ଅଶୋକ ଗେହଲୋଟ ରାଜସ୍ଥାନର ନୂଆ ମୁଖ୍ୟମନ୍ତ୍ରୀ, ସଚିନ ପାଇଲଟ ଉପମୁଖ୍ୟମନ୍ତ୍ରୀ

ଜୟପୁର : ବରିଷ୍ଠ କଂଗ୍ରେସ ନେତା ଅଶୋକ ଗେହଲୋଟ ରାଜସ୍ଥାନର ନୂଆ ମୁଖ୍ୟମନ୍ତ୍ରୀ ହେବେ । ଏହା ଛଡା କଂଗ୍ରେସର ଲୋକପ୍ରିୟ ଯୁବନେତା ସଚିନ ପାଇଲଟ ରାଜ୍ୟର ଉପମୁଖ୍ୟମନ୍ତ୍ରୀ ହେବେ ବୋଲି ସୂଚନା ମିଳିଛି । ଗାନ୍ଧି ପରିବାର ଅଶୋକଙ୍କ ନାମରେ ମୋହର ମାରିଥିବା ସୂଚନା ମିଳିଛି । ଗତ ଦୁଇଦିନ ହେଲା ରାଜ୍ୟର ମୁଖ୍ୟମନ୍ତ୍ରୀ ପଦକୁ ନେଇ ଉଭୟ ଗେହଲୋଟ ଓ ସଚିନଙ୍କ ସମର୍ଥକମାନେ ଦାବି କରିଆସୁଥିଲେ। ଏପରିକି ଗତକାଲି ସଚିନଙ୍କୁ ମୁଖ୍ୟମନ୍ତ୍ରୀ କରିବା ଦାବିରେ ତାଙ୍କ ସମର୍ଥକମାନେ ରାସ୍ତାକୁ ଓହ୍ଲାଇ ରାସ୍ତାରୋକ ଓ ପୋଡାଜଳା କରିବା ଆରମ୍ଭ କରିଦେଇଥିଲେ । ତେବେ ଶାନ୍ତି ଓ ଶୃଙ୍ଖଳା ରକ୍ଷା ପାଇଁ ସଚିନ ପାଇଲଟ ନିଜର ସମର୍ଥକ ମାନଙ୍କୁ ନିବେଦନ କରିଥିଲେ ଓ ରାହୁଲ ଗାନ୍ଧି ଯେଉଁ ନିଷ୍ପତ୍ତି ନେବେ ତାହାକୁ ଗ୍ରହଣ କରିବାକୁ ସେ ସମର୍ଥକମାନଙ୍କୁ କହିଥିଲେ ।

ନିକଟରେ ସମାପ୍ତ ବିଧାନସଭା ନିର୍ବାଚନରେ କଂଗ୍ରେସ ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ଏକକ ସଂଖ୍ୟା ଗରିଷ୍ଠ ଦଳ ଭାବେ ଉଭା ହୋଇଥିଲା । ମଧ୍ୟପ୍ରଦେଶରେ କଂଗ୍ରେସ ୧୧୪ଟି ସିଟ ପାଇଥିବାବେଳେ ରାଜସ୍ଥାନରେ ୧୦୦ ଟି ସିଟ ପାଇଥିଲା । ତେବେ ଦଳ ବିଏସପି ଓ ଅନ୍ୟ ସ୍ୱାଧୀନ ବିଧାୟକଙ୍କ ସମର୍ଥନରେ ଏହି ଦୁଇ ରାଜ୍ୟରେ ସରକାର ଗଢିବାକୁ ଯାଉଛି ।

ସମ୍ବନ୍ଧିତ ଖବର