ନିର୍ବାଚନୀ ଇସ୍ତାହାର ‘ହମ୍‌ ନିଭାଏଙ୍ଗେ’ ଜାରି କଲା କଂଗ୍ରେସ : ଏହି ୧୫ଟି ପ୍ରତିଶ୍ରୁତି ଦିଆଯାଇଛି ଏଥିରେ..

ନୂଆଦିଲ୍ଲୀ : ଆଗାମୀ ଲୋକସଭା ନିର୍ବାଚନକୁ ଆଖି ଆଗରେ ରଖି ଆଜି କଂଗ୍ରେସ ନିର୍ବାଚନୀ ଇସ୍ତହାର ଜାରି କରିଛି । ଏହି ଇସ୍ତହାରରେ ଜନତାଙ୍କ ହିତ ପାଇଁ ୧୫ଟି ମୁଖ୍ୟ ପ୍ରତିଶ୍ରୁତି ରହିଛି, ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଇସ୍ତହାରର ନାଁ ହମ୍‌ ନିଭାଏଙ୍ଗେ ଥିବା ବେଳେ ଇସ୍ତହାର ଜାରି କରି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ମୋଦୀଙ୍କୁ କଟାକ୍ଷ କରିଥିବା ଦେଖା ଯାଇଥିଲା । ମୋଦି ପ୍ରକୃତ ବିଷୟ ଉପରେ ଆଲୋଚନା କରୁ ନାହାନ୍ତି । ସେ ଚାହିଁଲେ ମୋ ସହ ରାଷ୍ଟ୍ରୀୟ ସୁରକ୍ଷାକୁ ନେଇ ତର୍କ କରି ପାରିବେ ବୋଲି କହି ମୋଦୀଙ୍କୁ ସମାଲୋଚନା କରିଥିଲେ ରାହୁଲ । ଏହା ସହ ଇସ୍ତାହର ବିଷୟରେ କହିବାକୁ ଯାଇ, ଏହା ବନ୍ଦ କୋଠରି ଭିତରେ ତିଆରି କରାଯାଇ ନାହିଁ । ଏହା ଦେଶର ଜନତା ଚାହୁଁଥିବା ଜିନିଷକୁ ନେଇ ତିଆରି କରାଯାଇଥିବା କହିଥିଲେ ରାହୁଲ । ଆସନ୍ତୁ ଜାଣିବା ଇସ୍ତହାରରେ ରାହୁଲ ଗାନ୍ଧୀ କରିଥିବା ୧୫ଟି ପ୍ରତିଶ୍ରୁତି ବିଷୟରେ…

୧. କ୍ଷମତାକୁ ଆସିବା ପରେ ଦେଶରୁ ଦାରିଦ୍ର୍ୟକୁ ହଟାଇବା ପାଇଁ କଂଗ୍ରେସ ନ୍ୟୁନତମ ଆୟ ଯୋଜନା ଲାଗୁ କରିବାର ପ୍ରତିଶ୍ରୁତି ଦେଇଛି । ଏହି ଯୋଜନା ଅନୁଯାୟୀ, ଦେଶରେ ଥିବା ୨୦ପ୍ରତିଶତ ଅତି ଦରିଦ୍ର ଲୋକମାନଙ୍କୁ ପ୍ରତିବର୍ଷ ୭୨,୦୦୦ଟଙ୍କାର ସହାୟତା ଦିଆଯିବ ।

୨. ଦେଶର ଯୁବପିଢ଼ିଙ୍କୁ ସାର୍ବଜନିକ ଏବଂ ଘରୋଇ କ୍ଷେତ୍ରରେ ଚାକିରି ଦେବା ନେଇ କଂଗ୍ରେସ ପ୍ରାଥମିକତା ଦେବ । ନିର୍ବାଚନ ଜିତିବା ପରେ ସାର୍ବଜନିକ କ୍ଷେତ୍ରରେ ଯୁବକ-ଯୁବତୀମାନଙ୍କୁ ୩୪ଲକ୍ଷ ଚାକିରିର ସୁବିଧା ମିଳିବ ।

୩. କୃଷକମାନେ କରିଥିବା ଋଣକୁ ଛାଡ଼ କରି ସେମାନଙ୍କୁ କରଜ ମୁକ୍ତ କରି ଦିଆଯିବ । ପ୍ରତିବର୍ଷ କୃଷି ବଜେଟ୍‌ ଆଣାଯିବ । କୃଷି ବିକାଶ ଏବଂ ଯୋଜନା ପାଇଁ ଏକ ସ୍ଥାୟୀ ରାଷ୍ଟ୍ରୀୟ ଆୟୋଗର ସ୍ଥାପନା କରାଯିବ ।

The Hans India

୪. ସ୍ବାସ୍ଥ୍ୟସୁରକ୍ଷା ଅଧିନିୟମ ଲାଗୁ କରି ସାର୍ବଜନିକ ଡ଼ାକ୍ତରଖାନା ଏବଂ  ଘରୋଇ ଡ଼ାକ୍ତରଖାନା ମାଧ୍ୟମରେ ଲୋକମାନଙ୍କୁ ମାଗଣା ଡାଏଗ୍ନୋସିସ୍‌, ଆଉଟ୍‌-ପେସେଣ୍ଟ କେୟାର, ମାଗଣାରେ ଔଷଧ ଏବଂ ଡ଼ାକ୍ତରଖାନାରେ ଭର୍ତ୍ତି କରାଇବାର ପ୍ରତିଶ୍ରୁତି ଦେଇଛି କଂଗ୍ରେସ ।

୫.ଜିଏସ୍‌ଟିକୁ ସରଳୀକରଣ କରିବା ସହ ସବୁ ଦ୍ରବ୍ୟର ଜିଏସ୍‌ଟି ହାର ସମାନ ରଖାଯିବ ।

୬.ପ୍ରତିରକ୍ଷା ବିଭାଗ ପାଇଁ ଖର୍ଚ୍ଚ ବଢ଼ାଇବା ସହ ବିଭିନ୍ନ ଅସ୍ତ୍ର ଶସ୍ତ୍ରର ଆଧୁନୀକରଣ କରାଯିବ ।

India Today

୭.କ୍ଷମତାକୁ ଆସିଲେ ପ୍ରଥମ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାକୁ ଅନିବାର୍ୟ୍ୟ ଏବଂ ମାଗଣା କରାଯିବ ।

୮.ଲୋକସଭା ଏବଂ ରାଜ୍ୟ ବିଧାନସଭାରେ ମହିଳାମାନଙ୍କ ପାଇଁ ୩୩ ପ୍ରତିଶତ ଆସନ ପ୍ରଦାନ କରିବା ପାଇଁ ମହିଳା ଆରକ୍ଷଣ ବିଲ୍‌ ଏବଂ ସବୁ କେନ୍ଦ୍ର ସରକାରୀ ଚାକିରିରେ ମହିଳାମାନଙ୍କ ପାଇଁ ୩୩ପ୍ରତିଶତ କୋଟା ପ୍ରଦାନ କରିବାର ପ୍ରତିଶ୍ରୁତି  ।

୯.କ୍ଷମତାକୁ ଆସିଲେ ବନ ଅଧିକାର ଅଧିନିୟମ ୨୦୦୬କୁ ଲାଗୁ କରିବା ସହ କୌଣସି ବନବାସୀଙ୍କ ସହ ଅନ୍ୟାୟ ହେବ ନାହିଁ ।

୧୦.କ୍ଷମତାକୁ ଆସିବା ପରେ ଗୃହ ଅଧିକାର ଅଧିନିୟମ ଲାଗୁ କରି ଯେଉଁମାନଙ୍କ ପାଖରେ ନିଜର ଘର ବା ଜମି ନାହିଁ, ସେମାନଙ୍କୁ ଜମି ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛି କଂଗ୍ରେସ ।

୧୧.ବିଜେପି ସରକାର ଆସିବା ଦ୍ୱାରା ଦଳିତ ଲୋକମାନଙ୍କ ପ୍ରତି ଅତ୍ୟାଚାର ବଢ଼ି ଯାଇଥିବା ବେଳେ ଏହାକୁ ଶେଷ କରିବାର ପ୍ରତିଶ୍ରୁତି ଦେଇଛି କଂଗ୍ରେସ ।

୧୨. ଗୋପନୀୟତା ଉପରେ ଏକ ଆଇନ୍‌ ପ୍ରଣୟନ କରିବା ସହ ଆଧାର ଅଧିନିୟମର ମୂଳ ଉଦ୍ଦେଶ୍ୟ ପାଇଁ ଆଧାରର ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇବାକୁ ପ୍ରତିଶ୍ରୁତି ଦେଇଛି କଂଗ୍ରେସ ।

୧୩.ସିଧା ନିର୍ବାଚିତ ହୋଇଥିବା ମେୟରମାନଙ୍କ ଦ୍ୱାରା ସହରମାନଙ୍କ ପାଇଁ ଶାସନର ଏକ ନୂଆ ମଡେଲ ଆଣିବା ।

୧୪.ହେଉଥିବା ବାୟୁ ପ୍ରଦୂଷଣକୁ ଆଖି ଆଗରେ ରଖି ରାଷ୍ଟ୍ରୀୟ ସ୍ୱଚ୍ଛ ବାୟୁ କାର୍ଯ୍ୟକ୍ରମକୁ ମଜବୁତ୍‌ କରିବାରେ ପ୍ରତିଶ୍ରୁତି ।

୧୫, ୫ବର୍ଷ  ମଧ୍ୟରେ ଦେଶର ବିଭିନ୍ନ ସଂସ୍ଥାଗୁଡ଼ିକ ଦୁର୍ବଳ ହୋଇଯାଇଥିବା କହିବା ସହ ଆର୍‌ବିଆଇ, ସିବିଆଇ, ଇସିଆଇ, ସିଆଇସି ଇତ୍ୟାଦି ସଂସ୍ଥା ଗୁଡ଼ିକୁ ଅଧିକାର ଏବଂ ସ୍ୱରାଜ୍ୟ ଦେବାର ପ୍ରତିଶ୍ରୁତି ।

ସମ୍ବନ୍ଧିତ ଖବର