ହିମାଚଳ ପ୍ରଦେଶ: ନିର୍ବାଚନ ମଇଦାନରେ ୧୫୮ କୋଟିପତି ଓ ୬୧ ଅପରାଧିକ ପୃଷ୍ଠଭୂମି ଥିବା ପ୍ରାର୍ଥୀ

ନୂଆଦିଲ୍ଲୀ: ୬୮ ଆସନ ବିଶିଷ୍ଟ ହିମାଚଳ ପ୍ରଦେଶ ବିଧାନସଭା ପାଇଁ ଆସନ୍ତା ୯ ତାରିଖରେ ହେବ ଭୋଟ ଗ୍ରହଣ। ତେବେ, ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ରଣାଙ୍ଗନରେ ପ୍ରତିଦ୍ୱନ୍ଦ୍ୱିତା ପାଇଁ ମଇଦାନକୁ ଓହ୍ଲାଇଥିବା ପ୍ରାର୍ଥୀମାନଙ୍କ ମଧ୍ୟରେ ୧୫୮ ଜଣ କୋଟପତି ପ୍ରାର୍ଥୀ ଥିବା ବେଳେ ୬୧ ଜଣ ଅଛନ୍ତି ଅପରାଧିକ ପୃଷ୍ଠଭୂମି ଥିବା ପ୍ରାର୍ଥୀ। ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ କାଳରେ ପ୍ରାର୍ଥୀମାନେ ଦାଖଲ କରିଥିବା ସତ୍ୟପାଠରୁ ଏହି ତଥ୍ୟ ଜଣା ପଡ଼ିଛି।

ହିମାଚଳ ପ୍ରଦେଶ ଇଲେକ୍‌ସନ୍‌ ଓ୍ଵାଚ୍‌ ଆଣ୍ଡ୍‌ ଆସୋସିଏସନ୍‌ ଫର୍‌ ଡେମୋକ୍ରାଟିକ୍‌ ରିଫର୍ମସ୍‌ (ଏଡିଆର୍‌) ପକ୍ଷରୁ ପ୍ରାର୍ଥୀମାନଙ୍କ ପକ୍ଷରୁ ଦାଖଲ ହୋଇଥିବା ୩୩୮ଟି ସତ୍ୟପାଠକୁ ଅନୁଧ୍ୟାନ କରା ଯାଇଥିଲା। ଅନୁଧ୍ୟାନରୁ ଜଣାପଡ଼ିଲା ଯେ ନିର୍ବାଚନ ଲଢ଼ୁଥିବା ୩୩୮ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୧୫୮ ଜଣ (୪୭ ପ୍ରତିଶତ) ହେଉଛନ୍ତି କୋଟିପତି ପ୍ରାର୍ଥୀ। ୨୦୧୭ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ଲଢ଼ୁଥିବା ପ୍ରାର୍ଥୀମାନଙ୍କର ହାରାହାରି ସଂପତ୍ତିର ପରିମାଣ ହେଉଛି ୪.୦୭ କୋଟି। କୋଟିପତି ପ୍ରାର୍ଥୀମାନଙ୍କ ମଧ୍ୟରେ କଂଗ୍ରେସରୁ ସର୍ବାଧିକ ୫୯ ଜଣ ଥିବାବେଳେ, ଭାରତୀୟ ଜନତା ପାର୍ଟି (ବିଜେପି)ରୁ ୪୭, ବହୁଜନ ସମାଜ ପାର୍ଟି (ବିଏସ୍‌ପି)ରୁ ୬ ଜଣ, ସିପିଆଇ(ଏମ୍‌)ର ୩ ଜଣ, ସିପିଆଇର ଜଣେ ଏବଂ ୩୬ ଜଣ ସ୍ୱାଧୀନ ପ୍ରାର୍ଥୀ ରହିଛନ୍ତି। ନିର୍ବାଚନ ଲଢ଼ୁଥିବା ସବୁଠାରୁ ଧନୀ ପ୍ରାର୍ଥୀ ହେଉଛନ୍ତି ବିଜେପିର ବଲବୀର ସିଂହ ବର୍ମା ଯାହାଙ୍କର ମୋଟ ସଂପତ୍ତିର ପରିମାଣ ହେଉଛି ୯୦ କୋଟି। ୟାଙ୍କ ପଛକୁ ରହିଛନ୍ତି କଂଗ୍ରେସର ବିକ୍ରମାଦିତ୍ୟ ସିଂହ ଯାହାଙ୍କର ମୋଟ ସଂପତ୍ତିର ପରିମାଣ ରହିଛି ୮୪ କୋଟି। ନିର୍ବାଚନ ଲଢ଼ୁଥିବା ପ୍ରାର୍ଥୀମାନଙ୍କ ମଧ୍ୟରୁ ୫ ଜଣ ପ୍ରାର୍ଥୀ ସେମାନଙ୍କର ବାର୍ଷିକ ଆୟ ୧କୋଟିରୁ ଅଧିକ ଥିବା ସତ୍ୟପାଠରେ ଦର୍ଶାଇଥିବା ବେଳେ ୭୧ ଜଣ ପ୍ରାର୍ଥୀ ସେମାନଙ୍କର ଆୟର ଉତ୍ସ ବାବଦରେ କୌଣସି ପ୍ରକାରର ସୂଚନା ଦେଇ ନାହାନ୍ତି।

ସେହିପରି, ହିମାଚଳ ପ୍ରଦେଶ ନିର୍ବାଚନ ମଇଦାନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ମୋଟ ୩୩୮ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୬୧ ଜଣ (୧୮ ପ୍ରତିଶତ) ପ୍ରାର୍ଥୀଙ୍କର ଅପରାଧିକ ପୃଷ୍ଠଭୂମି ରହିଛି। ଏମାନଙ୍କ ମଧ୍ୟରୁ ୩୧ ଜଣ (୯ ପ୍ରତିଶତ) ବିଭିନ୍ନ ପ୍ରକାରର ସଂଗୀନ୍‌ ଅପରାଧରେ ସଂପୃକ୍ତ ଥିବା ଜାଣିବାକୁ ମିଳିଛି। ଅପରାଧିକ ପୃଷ୍ଠଭୂମି ଥିବା ପ୍ରାର୍ଥୀମାନଙ୍କ ମଧ୍ୟରୁ ବିଜେପିର ସର୍ବାଧିକ ୨୩ ଜଣ ଥିବା ବେଳେ ୬ ଜଣ କଂଗ୍ରେସର, ୩ ଜଣ ବିଏସ୍‌ପିର, ୧୦ ଜଣ ସିପିଆଇ(ଏମ୍‌)ର ଓ ୧୬ ଜଣ ସ୍ୱାଧୀନ ପ୍ରାର୍ଥୀ ରହିଛନ୍ତି।

ଅନ୍ୟପକ୍ଷରେ, ୧୨୦ ଜଣ ପ୍ରାର୍ଥୀଙ୍କର ଶିକ୍ଷାଗତ ଯୋଗ୍ୟତା ପଞ୍ଚମରୁ ଦ୍ୱାଦଶ ଶ୍ରେଣୀ ମଧ୍ୟରେ ହୋଇଥିବା ବେଳେ ୨୧୪ ଜଣ ପ୍ରାର୍ଥୀଙ୍କର ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା ତଦୁର୍ଦ୍ଧ ରହିଛି। ଯଦିଓ କେବଳ ମାତ୍ର ଜଣେ ପ୍ରାର୍ଥୀ ତାଙ୍କର ଶିକ୍ଷାଗତ ଯୋଗ୍ୟତା ବାବଦରେ କୌଣସି ତଥ୍ୟ ପ୍ରଦାନ କରି ନାହାନ୍ତି; ତଥାପି କୌଣସି ପ୍ରାର୍ଥୀ ନିରକ୍ଷର ନଥିବା ଜାଣିବାକୁ ମିଳିଛି।

ଅନ୍ୟପକ୍ଷରେ, ନିର୍ବାଚନ ଲଢ଼ୁଥିବା ପ୍ରାର୍ଥୀମାନଙ୍କ ମଧ୍ୟରୁ ୧୫୫ ଜଣଙ୍କର ବୟସ ୨୫ରୁ ୫୦ ବର୍ଷ ମଧ୍ୟରେ ହୋଇଥିବା ବେଳେ ୧୭୯ ପ୍ରାର୍ଥୀଙ୍କର ବୟସ ୫୧ରୁ ୮୦ ବର୍ଷ ମଧ୍ୟରେ ରହିଛି। ସେହିପରି ହିମାଚଳ ପ୍ରଦେଶ ବିଧାନସଭା ପାଇଁ ହେଉଥିବା ନିର୍ବାଚନରେ ୧୯ ଜଣ ମହିଳା ପ୍ରାର୍ଥୀ ନିର୍ବାଚନ ଲଢ଼ୁଛନ୍ତି।

ସମ୍ବନ୍ଧିତ ଖବର