୧୯୬୯ର କଂଗ୍ରେସ ବିଭାଜନ, ଇନ୍ଦିରାଙ୍କ ନେତୃତ୍ବକୁ ସ୍ବୀକୃତି

୧୯୭୧ ପଞ୍ଚମ ସାଧାରଣ ନିର୍ବାଚନ ବେଳକୁ ଦେଶରେ ବହୁତ ପରିବର୍ତ୍ତନ ହୋଇସାରିଥାଏ। ୧୯୬୭ ଚତୁର୍ଥ ସାଧାରଣ ନିର୍ବାଚନରେ ଇନ୍ଦିରା ଗାନ୍ଧିଙ୍କ ନେତୃତ୍ବରେ କଂଗ୍ରେସ ପୂର୍ବାପେକ୍ଷା କମ୍‌ ଆସନରେ ଜିଣିବା ପରେ ଦଳରେ କ୍ଷମତା କନ୍ଦଳ ଆରମ୍ଭ ହୋଇଯାଇଥାଏ। ପ୍ରଧାନମନ୍ତ୍ରୀ ଇନ୍ଦିରାଙ୍କୁ ଉପପ୍ରଧାନମନ୍ତ୍ରୀ ମୋରାରଜୀ ଦେଶାଇଙ୍କ ଗୋଷ୍ଠୀ ବିରୋଧ କରୁଥା’ନ୍ତି। ମୋରାରଜୀ ଦେଶାଇଙ୍କ ନେତୃତ୍ବାଧୀନ ବରିଷ୍ଠ ନେତାଙ୍କ ଗୋଷ୍ଠୀକୁ ‘ସିଣ୍ଡିକେଟ୍’ କୁହାଯାଉଥିବା ବେଳେ ଇନ୍ଦିରାଙ୍କ ସମର୍ଥକ ଗୋଷ୍ଠୀକୁ ‘ଇଣ୍ଡିକେଟ୍’ କୁହାଯାଉଥିଲା। ୧୯୬୯ରେ ଏହି କ୍ଷମତା କନ୍ଦଳ ନିର୍ଣ୍ଣାୟକ ରୂପ ନେଲା। କଂଗ୍ରେସ ଦଳର ସଭାପତି ଏସ୍. ନିଜ୍‌ଲିଙ୍ଗାପ୍ପା ୧୨ ନଭେମ୍ବର ୧୯୬୯ରେ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କୁ ଦଳରୁ ବହିଷ୍କାର କରିବା ଫଳରେ ଦଳରେ ବସ୍ତୁତଃ ବିଭାଜନ ହୋଇଗଲା। ମୂଳ କଂଗ୍ରେସରୁ ବାହାରି ଆସି ଇନ୍ଦିରା ନିଜ ପୃଥକ୍ ଗୋଷ୍ଠୀକୁ ପ୍ରକୃତ କଂଗ୍ରେସ ଭାବେ ଦାବି କଲେ। ଦଳର ଅଧିକାଂଶ ସାଂସଦ ଓ ତୃଣମୂଳ କର୍ମୀ ଇନ୍ଦିରାଙ୍କ ସାଙ୍ଗେ ରହିଲେ। ଅଖିଳ ଭାରତୀୟ କଂଗ୍ରେସ କମିଟିର ମୋଟ ୭୦୫ ଜଣ ସଦସ୍ୟଙ୍କ ମଧ୍ୟରୁ ଇନ୍ଦିରାଙ୍କୁ ୪୪୬ ଜଣ ସମର୍ଥନ ଦେଲେ। ଇନ୍ଦିରାଙ୍କ ନେତୃତ୍ବାଧୀନ ଗୋଷ୍ଠୀକୁ ରୁଲିଂ ବା ଶାସକ କଂଗ୍ରେସ (କଂଗ୍ରେସ-ଆର୍) କୁହାଯାଉଥିବା ବେଳେ ୩୧ ସାଂସଦଙ୍କୁ ନେଇ କାମରାଜ ଓ ପରେ ମୋରାରଜୀଙ୍କ ନେତୃତ୍ବରେ ଗଠିତ କଂଗ୍ରେସକୁ ସଂଗଠନ କଂଗ୍ରେସ ବା କଂଗ୍ରେସ(ଓ) କୁହାଗଲା। ପରେ ନିର୍ବାଚନ ଆୟୋଗ ଇନ୍ଦିରାଙ୍କ କଂଗ୍ରେସକୁ ପ୍ରକୃତ କଂଗ୍ରେସ ଭାବେ ସ୍ବୀକୃତି ପ୍ରଦାନ କଲେ।

ସଂଗଠନ କଂଗ୍ରେସ ହାତରେ ଏକାଧିକ ରାଜ୍ୟ

କେନ୍ଦ୍ରରେ ଇନ୍ଦିରା ଗାନ୍ଧି କଂଗ୍ରେସ(ଆର୍‌)ର ନେତୃତ୍ବ ନେଇ ପ୍ରଧାନମନ୍ତ୍ରୀ ଭାବେ ରହିଥିବା ବେଳେ ଏକାଧିକ ରାଜ୍ୟରେ କଂଗ୍ରେସ ସରକାର ସଂଗଠନ କଂଗ୍ରେସ ହାତକୁ ଗଲା। ବିହାରରେ ଭୋଲାପାଶ୍ବାନ ଶାସ୍ତ୍ରୀ, କର୍ଣ୍ଣାଟକରେ ବୀରେନ୍ଦ୍ର ପାଟିଲ, ଗୁଜରାଟରେ ହିତେନ୍ଦ୍ର ଦେଶାଇ ପ୍ରମୁଖ ସଂଗଠନ କଂଗ୍ରେସ ସରକାରର ନେତୃତ୍ବ ବନେଇଥିଲେ। ସଂଗଠନ କଂଗ୍ରେସରେ ଥିବା ପ୍ରମୁଖ ନେତାମାନେ ହେଲେ:- କାମରାଜ, ମୋରାରଜୀ ଦେଶାଇ, ଏସ୍. ନିଜ୍‌ଲିଙ୍ଗାପ୍ପା, ସିଏମ୍‌ ପୁନାଚ୍ଚା (ପରେ ଓଡ଼ିଶାର ରାଜ୍ୟପାଳ), ଏନ୍ ସଂଜୀବ ରେଡ୍ଡି (ପରେ ଭାରତର ରାଷ୍ଟ୍ରପତି), ବେଙ୍ଗଲର ନେତା ଅତୁଲ୍ୟ ଘୋଷ, ଏସ୍‌କେ ପାଟିଲ, ସତ୍ୟେନ୍ଦ୍ର ନାରାୟଣ ସିହ୍ନା, ହିତେନ୍ଦ୍ର ଦେଶାଇ, ଚନ୍ଦ୍ରଭାନୁ ଗୁପ୍ତା, ବୀରେନ୍ଦ୍ର ପାଟିଲ, ଅଶୋକ ମେହେଟ୍ଟା, ଟିଏନ୍‌ ସିଂହ, ରାମଶୁଭଗ ସିଂହ, ବିଡି ଶର୍ମ୍ମା (ପରେ ଓଡ଼ିଶାର ରାଜ୍ୟପାଳ) ପ୍ରମୁଖ। ଇନ୍ଦିରାଙ୍କ କେନ୍ଦ୍ର ସରକାର ଦାରିଦ୍ରୢ ଦୂରୀକରଣକୁ ପ୍ରାଧାନ୍ୟ ଦେଇ ସୋଭିଏତ୍ ଋଷ ଆଡ଼କୁ ଢଳିବା ଦ୍ବାରା ସାମାନ୍ୟ ବାମପନ୍ଥୀ ଭାବମୂର୍ତ୍ତି ଆପଣେଇଥିବା ବେଳେ ସଂଗଠନ କଂଗ୍ରେସ ଦକ୍ଷିଣପନ୍ଥୀଙ୍କ ସହ ମିଶିଥିଲା।

୧୯୭୧ ନିର୍ବାଚନରେ ଇନ୍ଦିରାଙ୍କ ବିପୁଳ ବିଜୟ; ସଂଗଠନ କଂଗ୍ରେସର ବିପର୍ଯ୍ୟୟ

୧୯୭୧ରେ ହୋଇଥିବା ପଞ୍ଚମ ସାଧାରଣ ନିର୍ବାଚନରେ ଇନ୍ଦିରାଙ୍କ ନେତୃତ୍ବାଧୀନ କଂଗ୍ରେସ ଦଳକୁ ସଂଗଠନ କଂଗ୍ରେସ ସମେତ ଏକାଧିକ ଦଳକୁ ସାମନା କରିବାକୁ ପଡ଼ିଥିଲା। ମୋରାରଜୀଙ୍କ ନେତୃତ୍ବାଧୀନ ସଂଗଠନ କଂଗ୍ରେସ ସମଭାବାପନ୍ନ ପିଏସ୍‌ପି, ଏସ୍‌ଏସ୍‌ପି, ଭାରତୀୟ ଜନସଂଘ ଓ ସ୍ବତନ୍ତ୍ର ପାର୍ଟି ସହ ପ୍ରାକ୍-ନିର୍ବାଚନୀ ମେଣ୍ଟ କରିଥିଲା। ହେଲେ ଇନ୍ଦିରାଙ୍କ କଂଗ୍ରେଠାରୁ ଶୋଚନୀୟ ଭାବେ ମେଣ୍ଟକୁ ପରାଜୟ ବରଣ କରିବାକୁ ହୋଇଥିଲା। ୪୩.୬୮ ପ୍ରତିଶତ ଭୋଟ ପାଇ ମୋଟ ୫୧୮ ଆସନରୁ ଇନ୍ଦିରାଙ୍କ କଂଗ୍ରେସ ଦଳ ୩୫୨ ଆସନ ହାସଲ କରିଥିଲା। ସଂଗଠନ କଂଗ୍ରେସ ମାତ୍ର ୧୬ଟି ଆସନରେ ଜିତିପାରିଥିଲା।

୧୯୭୧ ଲୋକସଭା ନିର୍ବାଚନ

ସମୁଦାୟ ଆସନ: ୫୪୫
ମୋଟ ମତଦାନ: ୫୫.୨୭%
ଦଳ ପ୍ରତିଶତ ଆସନ
ବିଶାଲ ହରିୟାଣା ୦.୨୪ ୧
ଉତ୍କଳ କଂଗ୍ରେସ ୦.୭୨ ୧
ୟୁନାଇଟେଡ୍ ଗାଓଁସ୍‌ (ସେକ୍ୟୁଲାର ଗ୍ରୁପ୍) ୦.୦୪ ୧
ୟୁନାଇଟେଡ୍ ଫ୍ରଣ୍ଟ ଅଫ୍ ନାଗାଲାଣ୍ଡ ୦.୦୬ ୧
ତେଲେଙ୍ଗାନା ପ୍ରଜା ସମିତି ୧.୨୮ ୧୦
ସ୍ବତନ୍ତ୍ର ପାର୍ଟି ୩.୦୭ ୮
ଶିରୋମଣି ଅକାଳି ଦଳ ୦.୮୭ ୧
ସଂଯୁକ୍ତ ସୋସିଆଲିଷ୍ଟ ପାର୍ଟି ୨.୪୩ ୩
ରିଭୋଲ୍ୟୁସନାରୀ ସୋସିଆଲିଷ୍ଟ ପାର୍ଟି ୦.୪୯ ୩
ରିପବ୍ଲିକାନ୍‌ ପାର୍ଟି ଅଫ୍ ଇଣ୍ଡିଆ ୦.୧ ୧
ପ୍ରଜା ସୋସିଆଲିଷ୍ଟ ପାର୍ଟି ୧.୦୪ ୨
ମନୋନିତ ଆ‌େଙ୍ଗ୍ଲା ଇଣ୍ଡିଆନ …. ୨
କେରଳ କଂଗ୍ରେସ ୦.୩୭ ୩
ଝାଡ଼ଖଣ୍ଡ ପାର୍ଟି ୦.୧୯ ୧
ମୁସ୍‌ଲିମ୍ ଲିଗ୍‌ ୦.୨୮ ୨
କଂଗ୍ରେସ (ଆର୍‌) ୪୩.୬୮ ୩୫୨
କଂଗ୍ରେସ (ଓ) ୧୦.୪୩ ୧୬
ସ୍ବାଧୀନ ୮.୩୮ ୧୪
ଡିଏମ୍‌କେ ୩.୮୪ ୨୩
ସିପିଏମ୍ ୫.୧୨ ୨୫
ସିପିଆଇ ୪.୩୭ ୨୩
ଭାରତୀୟ କ୍ରାନ୍ତି ଦଳ ୨.୧୮ ୧
ଭାରତୀୟ ଜନସଂଘ ୭.୩୫ ୨୨
ବାଂଲା କଂଗ୍ରେସ ୦.୩୫ ୧
ହିଲ୍‌ ଲିଡର୍ସ କନ୍‌ଫେରେନ୍ସ ୦.୦୬ ୧
ଫରୱାର୍ଡ ବ୍ଲକ ୦.୬୬ ୨

ସମ୍ବନ୍ଧିତ ଖବର