୨ ସାଂସଦ ଓ ୬ ବିଧାୟକଙ୍କୁ ବଦଳାଇଲେ ନବୀନ: ଘୋଷିତ ୯ ପ୍ରାର୍ଥୀଙ୍କ ମଧ୍ୟରୁ ୮ ନୂଆ ମୁହଁ

ଭୁବନେଶ୍ୱର : ବିଜୁ ଜନତା ଦଳ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଢ଼େଙ୍କାନାଳ ଓ କେନ୍ଦୁଝର ଲୋକସଭା ପାଇଁ ପ୍ରାର୍ଥୀ ବଦଳାଇଛନ୍ତି। ସେହିପରି ଆଜି ଘୋଷିତ ୭ଟି ବିଧାନସଭା ଆସନ ମଧ୍ୟରୁ ୬ ଜଣ ପ୍ରାର୍ଥୀଙ୍କୁ ପରିବର୍ତ୍ତନ କରାଯାଇଛି।

ଢେଙ୍କାନାଳ ସାଂସଦ ତଥାଗତ ସତପଥୀ ଏଥର ନିର୍ବାଚନ ଲଢିବା ପାଇଁ ଅନିଚ୍ଛା ପ୍ରକାଶ କରିବା ପରେ ଏଥର ଏହି ଆସନରୁ କାହାକୁ ଦଳୀୟ ପ୍ରାର୍ଥୀ କରାଯିବ ସେଥିନେଇ କଳ୍ପନାଜଳ୍ପନା ଚାଲିଥିଲା। ଶେଷରେ ପାଲଲହଡା ବିଧାୟକ ମହେଶ ସାହୁଙ୍କୁ ନବୀନ ଦଳୀୟ ପ୍ରାର୍ଥୀ ଭାବେ ବାଛିଛନ୍ତି।

ସେହିପରି କେନ୍ଦୁଝର ସାଂସଦ ଶକୁନ୍ତଳା ଲାଗୁରୀଙ୍କୁ ବଦଳାଯାଇ ତାଙ୍କ ସ୍ଥାନରେ ପ୍ରାର୍ଥୀ କରାଯାଇଛି ନବାଗତା ଚନ୍ଦ୍ରାଣୀ ମୁର୍ମୁ। ଜଣେ ମେକାନିକାଲ ଇଂଜିନିୟର୍‌ ଚନ୍ଦ୍ରାଣୀ ଗତକାଲି ବିଜୁ ଜନତା ଦଳରେ ଯୋଗ ଦେଇଥିଲେ। ସେ କେନ୍ଦୁଝର ଲୋକସଭା ଆସନରୁ ପ୍ରାର୍ଥୀ ହେବେ ବୋଲି ଗତକାଲି ସୂଚନା ଦେଇଥିଲେ। ଚନ୍ଦ୍ରାଣୀ ହେଉଛନ୍ତି ସାଂସଦ ହରିହର ସୋରେନ୍‌ଙ୍କ ନାତୁଣୀ।

ନବୀନଙ୍କ ସହ ଚନ୍ଦ୍ରାଣୀ ମୁର୍ମୁ

ବର୍ତ୍ତମାନ ବାକିଥିବା ୧୦ ଟି ବିଧାନସଭା ଆସନ ମଧ୍ୟରୁ ୭ଟି ଆସନ ପାଇଁ ପ୍ରାର୍ଥୀ ତାଲିକା ନବୀନ ଘୋଷଣା କରିଥିଲେ। ୭ ଜଣ ମଧ୍ୟରୁ ୬ ଜଣ ନୂଆ ମୁହଁ। କେବଳ ଯାଜପୁର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରଣବ ପ୍ରକାଶ ଦାସଙ୍କୁ ପୁଣି ଦଳୀୟ ପ୍ରାର୍ଥୀ କରାଯାଇଛି।

ଭୁବନେଶ୍ୱର ମଧ୍ୟ ବିଧାନସଭା ଆସନରେ ବିଜୟ କୁମାର ମହାନ୍ତିଙ୍କୁ ବଦଳାଇ ନବୀନ ଏଥର ବାଛିଛନ୍ତି ଭୁବନେଶ୍ୱର ମହାନଗର ନିଗମର ଦୁଇ ଦୁଇ ଥର ମେୟର୍‌ ଥିବା ଅନନ୍ତ ନାରାୟଣ ଜେନା। ସେହିପରି ଭୁବନେଶ୍ୱର ଉତ୍ତର ବିଧାୟକ ପ୍ରିୟଦର୍ଶିୀ ମିଶ୍ରଙ୍କ ସ୍ଥାନରେ ଏଥର ଜଣାଶୁଣା ସମାଜସେବୀ ସୁଶାନ୍ତ କୁମାର ରାଉତଙ୍କୁ ପ୍ରାର୍ଥୀ କରାଯାଇଛି।

କୋରେଇ ବିଧାୟକ ତଥା ଜଣାଶୁଣା ଓଡ଼ିଆ ଚଳଚ୍ଚିତ୍ର ତାରକା ଆକାଶ ଦାସ ନାୟକଙ୍କୁ ଏଥର ଟିକେଟ ଦିଆଯାଇ ନାହିଁ। ତାଙ୍କ ସ୍ଥାନରେ ଦଳର ଜଣାଶୁଣା ସଂଗଠକ ଅଶୋକ ବଳଙ୍କୁ ପ୍ରାର୍ଥୀ କରାଯାଇଛି।

ଖଣ୍ଡପଡ଼ା ବିଧାୟକ ଅନୁଭବ ପଟ୍ଟନାୟକଙ୍କୁ ବଦଳାଯାଇ ରାଜ୍ୟସଭା ସଦସ୍ୟ ତଥା ‘ସମ୍ବାଦ’ସମ୍ପାଦକ ସୌମ୍ୟରଂଜନ ପଟ୍ଟନାୟକଙ୍କୁ ଏଥର ନିର୍ବାଚନ ମଇଦାନକୁ ପଠାଯାଇଛି।

ପାଲଲହଡ଼ା ବିଧାୟକ ମହେଶ ସାହୁ ଢ଼େଙ୍କାନାଳ ଲୋକସଭା ନିର୍ବାଚନ ପାଇଁ ପ୍ରାର୍ଥୀ ମନୋନୀତ ହେବା ପରେ ତାଙ୍କ ସ୍ଥାନରେ ମୁକେଶ ପାଲ୍‌ଙ୍କୁ ପ୍ରାର୍ଥୀ କରାଯାଇଛି। ଆଠମଲ୍ଲିକର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସଞ୍ଜୀବ କୁମାର ସାହୁଙ୍କୁ ବଦଳାଯାଇ ରମେଶ ଚନ୍ଦ୍ର ସାଇଙ୍କୁ ଦଳୀୟ ଟିକେଟ ଦିଆଯାଇଛି।

ତେବେ, ଯାଜପୁର ଜିଲ୍ଲାର ଟାଣୁଆ ଯୁବ ନେତା ତଥା ପୂର୍ବତନ ମନ୍ତ୍ରୀ ପ୍ରଣବ ପ୍ରକାଶ ଦାସଙ୍କୁ ପୁଣି ପ୍ରାର୍ଥୀ ବଛାଯାଇଛି। ଆଉ ୩ଟି ବିଧାନସଭା ଆସନ -କେନ୍ଦ୍ରାପଡ଼ା,ବାରିପଦା ଓ ଚମ୍ପୁଆ -ପାଇଁ ପ୍ରାର୍ଥୀ ତାଲିକା ଘୋଷଣା ବାକି ରହିଲା।

ସମ୍ବନ୍ଧିତ ଖବର