ଦିଲ୍ଲୀରେ ଆପ୍‌-କଂଗ୍ରେସ ମେଣ୍ଟ, ୨୦୧୯ ପାଇଁ ୫-୨ରେ ଅଟକିଛି ପ୍ରସ୍ତାବ?

0 1,033

ନୂଆଦିଲ୍ଲୀ: ସାଧାରଣ ନିର୍ବାଚନ ୨୦୧୯କୁ ଗୋଟିଏ ବର୍ଷରୁ କମ ସମୟ ଅଛି। ଏଭଳି ସ୍ଥିତିରେ କ୍ଷମତାରେ ଥିବା ଦଳ ସହିତ ବିରୋଧୀ ଦଳ ମେଣ୍ଟ ନେଇ ପ୍ରସ୍ତୁତି ଆରମ୍ଭ କରି ଦେଇଥିବା ଜଣାପଡ଼ିଛି। ବିରୋଧୀଙ୍କ ମେଳି ଯୋଗୁଁ ମଇ ୨୮ରେ ହୋଇଥିବା ଉପନିର୍ବାଚନରେ ଭାରତୀୟ ଜନତା ପାର୍ଟିକୁ ୪ଟି ଲୋକସଭା ଆସନରୁ ମାତ୍ର ଗୋଟିଏ ସିଟ୍‌ରେ ବିଜୟ ମିଳିଛି। ତଥାପି ଏପର୍ଯ୍ୟନ୍ତ ହୋଇଥିବା ସର୍ଭେ ଅନୁସାରେ ୨୦୧୯ ସାଧାରଣ ନିର୍ବାଚନରେ ମୋଦି ପୁଣି ଥରେ କ୍ଷମତାକୁ ଆସିବେ। କିନ୍ତୁ ଭାରତୀୟ ଜନତା ପାର୍ଟିର ବିରୋଧରେ ୨୦୧୯ ବିରୋଧୀ ଦଳମାନେ ମହାମେଣ୍ଟ କରି ମୋଦିଙ୍କ ପାଇଁ ଅଡୁଆ ସୃଷ୍ଟି କରିପାରନ୍ତି।

ଆପ୍‌-କଂଗ୍ରେସ ମଧ୍ୟରେ ହୋଇପାରେ ମେଣ୍ଟ, ରାହୁଲଙ୍କ ସଙ୍କେତକୁ ଅପେକ୍ଷା

ଜାତୀୟ ଗଣମାଧ୍ୟମରେ ଆଲୋଚନା ହେଉଛି ଯେ ବିଜେପି ବିରୋଧରେ କଂଗ୍ରେସ ଓ ଆମ୍‌ ଆଦମୀ ପାର୍ଟି ଏକ ଜୁଟ ହୋଇପାରନ୍ତି। ଏଥି ପାଇଁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ସଙ୍କେତକୁ ଅପେକ୍ଷା କରାଯାଇଛି। କର୍ଣ୍ଣାଟକରେ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଓ ଜନତା ଦଳ(ସେକ୍ୟୁଲାର) ଏକତ୍ର ହୋଇ ସରକାର ଗଢ଼ିଛନ୍ତି। ଏମିତି ଦିଲ୍ଲୀରେ ମଧ୍ୟ କଂଗ୍ରେସ-ଆପ୍‌ ଏକାଠି ହୋଇ ସରକାର ଗଠନ କରିବାକୁ ଉଦ୍ୟମ କରିପାରନ୍ତି। ରିପୋର୍ଟ ଅନୁସାରେ କଂଗ୍ରେସ ସୁପ୍ରିମୋ ରାହୁଲଙ୍କ ନିକଟରୁ କଂଗ୍ରେସ-ଆପ୍‌ ମେଣ୍ଟକୁ ସବୁଜ ସଙ୍କେତ ମିଳି ନାହିଁ।

ବିଗତ ଦିନରେ ମେ’ ମାସ ୨୪ରେ କଂଗ୍ରେସ ଓ ଆପ୍‌ ଏହି ପ୍ରସଙ୍ଗକୁ ନେଇ କଂଗ୍ରେସର ବରିଷ୍ଠ ନେତା ଜୟରାମ ରମେଶ ଓ ଦିଲ୍ଲୀ ପ୍ରଦେଶ ଅଧ୍ୟକ୍ଷଙ୍କ ମଧ୍ୟରେ ସୌଜନ୍ୟମୂଳକ ଆଲୋଚନା ହୋଇଛି। କୁହାଯାଉଛି ଯେ, ଏହାରି ଭିତରେ କଂଗ୍ରେସ ଓ ଆପ୍‌ ମଧ୍ୟରେ ମେଣ୍ଟକୁ ନେଇ ଆଲୋଚନା ହୋଇଛି। ଏହା ପରେ ଆପ୍‌ ପକ୍ଷରୁ କଂଗ୍ରେସ ସହିତ ମେଣ୍ଟ କରିବା ନେଇ ଉଦ୍ୟମ ହୋଇଛି।

କଂଗ୍ରେସକୁ ଦରକାର ଦିଲ୍ଲୀରେ ୩ ଲୋକସଭା ଆସନ, ୨ଟି ଦେବାକୁ ଆପ୍‌ ପ୍ରସ୍ତୁତ

କୁହାଯାଉଛି ଯେ, ୨୦୧୯ ସାଧାରଣ ନିର୍ବାଚନରେ ଦିଲ୍ଲୀରେ ସିଟ ଭାଗବଣ୍ଟାକୁ ନେଇ ଆଲୋଚନା ହୋଇଛି। ଆପ୍‌ ନିଜ ହାତରେ ୫ଟି ସିଟ ରଖି କଂଗ୍ରେସକୁ ୨ଟି ଦେବାକୁ ପ୍ରସ୍ତୁତ ଅଛି। ଅପରପକ୍ଷେ କଂଗ୍ରେସ ଚାହୁଁଛି ତାକୁ ୩ଟି ଲୋକସଭା ଆସନ ମିଳୁ।

ନୂଆଦିଲ୍ଲୀ ଆସନରୁ ଲଢ଼ିବେ ପୂର୍ବତନ ରାଷ୍ଟ୍ରପତିଙ୍କ ଝିଅ

କଂଗ୍ରେସ ୭ଟିରୁ ୩ଟିରେ ପ୍ରାର୍ଥୀ ଛିଡ଼ା କରିବାକୁ ଆଗ୍ରହ ପ୍ରକାଶ କରିଛି। ଏଥିରୁ ନୂଆଦିଲ୍ଲୀ ଆସନରୁ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଝିଅ ଶର୍ମିଷ୍ଠା ମୁଖାର୍ଜୀ, ଚାନ୍ଦିନୀ ଚୌକରୁ ଅଜୟ ମାକନ ଓ ଉତ୍ତର-ପଶ୍ଚିମ ଆସନରୁ ରାଜକୁମାର ଚୌହାନଙ୍କ ନାମ ଆଲୋଚନା ହୋଇଛି। ଶର୍ମିଷ୍ଠ ପୂର୍ବରୁ ବିଧାନସଭା ନିର୍ବାଚନରେ ହାରିଛନ୍ତି।

୫ଟି ଲୋକସଭା ଆସନରେ ମୁଖପାତ୍ର ନିଯୁକ୍ତ

ଅରବିନ୍ଦ କେଜ୍ରିଓ୍ଵାଲ ୭ଟିରୁ ୫ଟି ଲୋକସଭା ଆସନରେ ମୁଖପାତ୍ର ନିଯୁକ୍ତ କରିଛନ୍ତି। ଏଥିରେ ଅତିଶୀ ମାର୍ଲେନ ଓ ରାଘବ ଚଢ଼ାଙ୍କ ନାମ ସାମିଲ ରହିଛି। ଉଭୟଙ୍କୁ କିଛି ମାସ ପୂର୍ବରୁ ପରାମର୍ଶଦାତା ପଦରୁ ବାହାର କରି ଦିଆଯାଇଥିଲା।

ରାଜନୀତିର ପଶାକାଠି ବିଚିତ୍ର, ମେଣ୍ଟକୁ ଅଜୟ ମାକନ ମନା କଲେ

ରାଜନୀତିର ପଶାଖେଳ ବିଚିତ୍ର। ଏଠି ନାହିଁରେ ବି ହଁ ଥାଏ। ରାଜନୀତି ମଧ୍ୟ କ୍ରିକେଟ ଖେଳ ଭଳି ଅନିଶ୍ଚିତତା ମଧ୍ୟରେ ଗତି କରିଥାଏ। କଂଗ୍ରେସର ବିରୋଧ କରି କେଜ୍ରିଓ୍ଵାଲ ନିଜର ରାଜନୈତିକ ପତିଆରାକୁ ବିସ୍ତାର କରିଥିଲେ ଓ ଦିଲ୍ଲୀରେ ଐତିହାସିକ ବିଜୟ ସହିତ କ୍ଷମତାକୁ ଆସିଥିଲେ। ପୁଣି ସେହି କଂଗ୍ରେସ ସହିତ ମେଣ୍ଟ କରିବା ଯେତିକି ଆଶ୍ଚର୍ଯ୍ୟ ଲାଗୁଛି, କର୍ଣ୍ଣାଟକର ରାଜନୀତିର ବହି ପଢ଼ିବା ପରେ ଦିଲ୍ଲୀରେ ଏହା ସମ୍ଭବ ହେବା ନୂଆ କଥା ନୁହେଁ ବୋଲି ମନେ କରାଯାଉଛି। ଆପ୍‌-କଂଗ୍ରେସ ମେଣ୍ଟ ନେଇ ଖବର ପ୍ରଚାରିତ ହେବା ପରେ ଦିଲ୍ଲୀ ପ୍ରଦେଶ କଂଗ୍ରେସ କମିଟିର ଅଧ୍ୟକ୍ଷ ଅଜୟ ମାକନ ଟୁଇଟ କରି ଏହା ମିଛ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.