ମାସେ ପରେ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ: ରାହୁଲ ଗାନ୍ଧି ନେବେ ‘ମହାକାଳ’ଙ୍କ ଶରଣ

ଇନ୍ଦୋର: ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ଆଉ ଠିକ୍‌ ମାସେ ବାକି ଅଛି। ଅର୍ଥାତ ଆଗାମୀ ନଭେମ୍ବର ୨୮ରେ ରାଜ୍ୟରେ ବିଧାନସଭା ନିର୍ବାଚନ ହେବ। ଏଠାରେ ଭାରତୀୟ ଜନତା ପାର୍ଟି ୧୫ ବର୍ଷ ହେବ କ୍ଷମତାରେ ଥବା ବେଳେ ଆଗକୁ ମଧ୍ୟ ଶାସନ ଜାରି ରଖିବାକୁ ଚାହୁଁଛି। ଅନ୍ୟପକ୍ଷରେ କଂଗ୍ରେସ ଶାସକ ଦଳକୁ ଗାଦିଚ୍ୟୁତ କରିବାକୁ ବିଭିନ୍ନ ରଣନୀତି ଆପଣାଇଛି।

ଆଧ୍ୟାତ୍ମିକ ସହର ‘ଉଜୈନ’ର ପ୍ରସିଦ୍ଧ ମହାକାଳେଶ୍ୱର ( ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ ମଧ୍ୟରୁ ଅନ୍ୟତମ)ଙ୍କ ଦରବାରକୁ ରାଜନୈତିକ ଦଳର ହାଇକମାଣ୍ଡମାନେ ପହଞ୍ଚି ଦୀପ ଜାଳୁଛନ୍ତି। ତିନି ମାସ ତଳେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ମହାକାଳେଶ୍ୱର ପହଞ୍ଚି ଥିଲେ। ଶାହଙ୍କ କଂଗ୍ରେସ ସମକକ୍ଷ ରାହୁଲ ଗାନ୍ଧି ସୋମବାର ଉଜୈନରେ ଭଗବାନ ଶିବ ‘ମହାକାଳେଶ୍ୱର’ଙ୍କ ଶରଣ ନେବେ।

ରାହୁଲଙ୍କ ମହାକାଳେଶ୍ୱର ଗସ୍ତ ନେଇ ବିଜେପି ନିଜର ପ୍ରତିକ୍ରିୟା ରଖିଛି। ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ପ୍ରଭାତ ଝା କହିଛନ୍ତି, କଂଗ୍ରେସ ସବୁବେଳେ ଧାର୍ମିକ ରାଜନୀତିକୁ ମିଛ ବୋଲି ଅଭିଯୋଗ ଆଣିଥାଏ। ଏବେ ରାହୁଲ ଜବାବ ଦିଅନ୍ତୁ, ସେ କାହିଁକି ମନ୍ଦିର ବୁଲୁଛନ୍ତି। କଂଗ୍ରେସ ଅଧ୍ୟକ୍ଷ କୁହନ୍ତୁ, ତାଙ୍କ ମା’ ସୋନିଆ ଗାନ୍ଧି ମଧ୍ୟପ୍ରଦେଶ ଆସି ମଧ୍ୟ କାହିଁକି ମହାକାଳେଶ୍ୱର ଯାଇ ନଥିଲେ। ରାହୁଲ ନିର୍ବାଚନରୁ ଲାଭ ଉଠାଇବା ପାଇଁ ମହାକାଳେଶ୍ୱର ଯାଇ ଧାର୍ମିକ ବ୍ୟକ୍ତିର ପରିଚୟ ଦେବାକୁ ଅଭିନୟ କରୁଛନ୍ତି କିନ୍ତୁ ରାଜ୍ୟର ଜନତା ଜାଣିଛନ୍ତି, ତାଙ୍କର ମୂଳ ଉଦ୍ଦେଶ୍ୟ କ’ଣ।

ରାହୁଲ ମହାକାଳେଶ୍ୱର ମନ୍ଦିରରେ ପୂଜାର୍ଚ୍ଚନା କରିବା ପରେ ଭାରତୀୟ ଜନତା ପାର୍ଟିର ଗଡ଼ କୁହାଯାଉଥିବା ମାଲବା-ନିମାଡ ଅଞ୍ଚଳକୁ ୨ ଦିନିଆ ଗସ୍ତ କରିବେ। ପ୍ରସ୍ତାବିତ କାର୍ଯ୍ୟକ୍ରମ ଅନୁସାରେ ଉଜୈନ ସହିତ ସେ ଝାବୁଆ, ଇନ୍ଦୋର, ଧାର, ଖରଗୋନ ଏବଂ ମହୁରେ ନିର୍ବାଚନି ସଭାରେ ଯୋଗଦେଇ ଦଳୀୟ ନେତାଙ୍କୁ ସମ୍ବୋଧନ କରିବେ।

ରାହୁଲଙ୍କ ଗସ୍ତକୁ ନେଇ କଂଗ୍ରେସ ରାଷ୍ଟ୍ରୀୟ ସଂପାଦକ ସଞ୍ଜୟ କପୁର ରବିବାର କହିଛନ୍ତି, ରାହୁଲ ଗାନ୍ଧି ମହାକାଳେଶ୍ୱର ମନ୍ଦିରରେ ପାଖାପାଖି ୪୫ ମିନିଟ ପର୍ଯ୍ୟନ୍ତ ରହିବେ। ସେ ଏଠାରେ ଜଣେ ସାଧାରଣ ଭକ୍ତଙ୍କ ଭଳି ଭଗବାନ ଶିବଙ୍କୁ ଦର୍ଶନ କରିବେ।

ସମ୍ବନ୍ଧିତ ଖବର