ବିଧାନସଭାରେ ମହିଳାମରୁଡ଼ି ! ୧୯୭୧ରେ ୧୪୦ ଜଣିଆ ଗୃହରେ ମହିଳାଙ୍କ ସଂଖ୍ୟା ଥିଲା ‘ଶୂନ’
ଭୋଟ ପେଡ଼ିର ପୁରୁଣା କଥା-୧୨/ ସ୍ବରାଜ ମିଶ୍ର
ରାଜନୈତିକ ଦଳମାନେ ଅଧିକରୁ ଅଧିକ ମହିଳାଙ୍କୁ ନିର୍ବାଚନରେ ଲଢ଼ିବା ପାଇଁ ଟିକେଟ ଦେବା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ। କିନ୍ତୁ ଏ କଥା ମଧ୍ୟ ସତ ଯେ, ଓଡ଼ିଶା ବିଧାନସଭାରେ ଏ ପର୍ଯ୍ୟନ୍ତ ମହିଳା ସଦସ୍ୟଙ୍କ ସଂଖ୍ୟା ମୋଟ ଆସନର ୧୦ ପ୍ରତିଶତ ମଧ୍ୟ ଛୁଇଁ ପାରିନାହିଁ। ଥରେ ତ ଏଭଳି ହୋଇଥିଲା ଯେ ଓଡ଼ିଶା ବିଧାନସଭାକୁ ଜଣେ ବି ମହିଳା ନିର୍ବାଚିତ ହୋଇ ଆସିପାରି ନଥିଲେ। ସେତେବେଳର ୧୪୦ ଜଣିଆ ବିଧାନସଭା ଗୃହରେ ମହିଳାଙ୍କ ସଂଖ୍ୟା ଥିଲା ‘ଶୂନ’। ଓଡ଼ିଶା ନିର୍ବାଚନ ଇତିହାସରେ ଏହି ପ୍ରଥମ ଓ ଏକମାତ୍ର ଦୁର୍ଭାଗ୍ୟଜନକ ‘ମହିଳାମରୁଡ଼ି’ ଘଟଣାଟି ଘଟିଥିଲା ୧୯୭୧ରେ।
Sambad is now on WhatsApp
Join and get latest news updates delivered to you via WhatsApp
ସ୍ୱାଧୀନତା ପରର ପଞ୍ଚମ ବିଧାନସଭା ନିର୍ବାଚନ ବେଳର କଥା। ୧୯୭୧ ମସିହା ମାର୍ଚ୍ଚ ମାସ ୫ ତାରିଖରେ ଓଡ଼ିଶାର ସମସ୍ତ ୧୪୦ଟି ଆସନ ପାଇଁ ନିର୍ବାଚନ ହୋଇଥାଏ। ଏଥିରେ ମୋଟ ୮୩୫ ଜଣ ପ୍ରାର୍ଥୀ ପ୍ରତିଦ୍ଵନ୍ଦ୍ୱିତା କରିଥିଲେ। ସେମାନଙ୍କ ଭିତରେ ଥିଲେ ମୋଟ ୧୨ ଜଣ ମହିଳା। ଯଦିଓ ମୋଟ ୧୭ ଜଣ ମହିଳା ନାମାଙ୍କନ ପତ୍ର ଦାଖଲ କରିଥିଲେ, ସେମାନଙ୍କ ମଧ୍ୟରୁ ଜଣଙ୍କର ପ୍ରାର୍ଥୀପତ୍ର ନାକଚ ହୋଇଥିଲାଏବଂ ଚାରି ଜଣ ସେମାନଙ୍କର ପ୍ରାର୍ଥୀପତ୍ର ପ୍ରତ୍ୟାହାର କରି ନେଇଥିଲେ।
ଏହି ୧୨ଜଣଙ୍କ ମଧ୍ୟରେ ବେଶ୍ କେତେଜଣ ପ୍ରତିଷ୍ଠିତ ନେତ୍ରୀ ମଧ୍ୟ ଥିଲେ। ବିଶେଷ କରି ଆଠଗଡ଼ରେ ସ୍ୱତନ୍ତ୍ର ଦଳର ଟିକେଟରେ ଲଢ଼ୁଥିଲେ ରାଣୀ ରାସମଞ୍ଜରୀ ଦେବୀ, ଭଟଲିରେ ଲଢ଼ୁଥିଲେ ଉତ୍କଳ କଂଗ୍ରେସ ପ୍ରାର୍ଥୀ ପୂର୍ବତନ ମନ୍ତ୍ରୀ ସରସ୍ୱତୀ ପ୍ରଧାନ ଏବଂ ସୁକିନ୍ଦାରେ ଜନ କଂଗ୍ରେସ ପ୍ରାର୍ଥୀ ଆନନ୍ଦମଞ୍ଜରୀ ଦେବୀ । ଏହାଛଡ଼ା ଖଲ୍ଲିକୋଟରେ କଂଗ୍ରେସ ଦଳର ଚନ୍ଦ୍ରପ୍ରିୟା ମର୍ଦ୍ଦରାଜ, ପାଲଲହଡ଼ାରେ ସ୍ୱତନ୍ତ୍ର ଦଳର କମଳକୁମାରୀ ଦେବୀ, ଚୌଦ୍ଵାରରେ ଜନ କଂଗ୍ରେସର ବସନ୍ତକୁମାରୀ ଦେବୀ, ପିପିଲିରେ ଜନକଂଗ୍ରେସ ପ୍ରାର୍ଥୀ କୁନ୍ତଳାକୁମାରୀ ଆଚାର୍ଯ୍ୟ ଏବଂ ବାଲିକୁଦାରେ ପିଏସ୍ପିର ମୀରା ଦାସପ୍ରମୁଖ ପ୍ରତିଦ୍ଵନ୍ଦ୍ୱିତାରେ ଥିଲେ। ଆଶା କରାଯାଉଥିଲା ଏମାନଙ୍କ ଭିତରୁ କେତେ ଜଣ ନିଶ୍ଚୟ ନିର୍ବାଚିତ ହେବେ। ମାତ୍ର ଭୋଟ ଗଣତି ପରେ ଫଳାଫଳ ଦେଖିଲାବେଳକୁ ଏମାନଙ୍କ ଭିତରୁ ଜଣଙ୍କର ବି ନାଁ ନଥିଲା।
ଆଠଗଡ଼ରେ ସ୍ୱତନ୍ତ୍ର ଦଳର ରାସମଞ୍ଜରୀ ଦେବୀ ଓ ସୁକିନ୍ଦାରେ ଜନକଂଗ୍ରେସର ଆନନ୍ଦମଞ୍ଜରୀ ଦେବୀ ଦ୍ଵିତୀୟ ସ୍ଥାନରେ ରହିଥିଲେ। ରାସମଞ୍ଜରୀ ସ୍ୱାଧୀନ ପ୍ରାର୍ଥୀ ରାଧାନାଥ ରଥଙ୍କ ଠାରୁ ମାତ୍ର ୯୪୯ ଖଣ୍ଡ ଭୋଟରେ ନିର୍ବାଚନ ହାରିଥିବାବେଳେ, ୧୯୬୭ରେ ସୁକିନ୍ଦାରୁ ଜିଣିଥିବା ଆନନ୍ଦମଞ୍ଜରୀ ଉତ୍କଳ କଂଗ୍ରେସର ସନାତନ ଦେଓଙ୍କଠାରୁ ମାତ୍ର ୨୮୦୫ ଭୋଟରେ ପରାଜିତ ହୋଇଥିଲେ। ସେହିପରି ଚୌଦ୍ଵାରରେ କାହ୍ନଚରଣ ଲେଙ୍କା ଓ ବିଜୁ ପଟ୍ଟନାୟକଙ୍କ ମଧ୍ୟରେ କଡ଼ା ପ୍ରତିଦ୍ଵନ୍ଦ୍ୱିତା ଚାଲିଥିଲାବେଳେ, ବସନ୍ତ କୁମାରୀ ଦେବୀ ତୃତୀୟ ସ୍ଥାନରେ ରହିଯାଇଥିଲେ। ସବୁଠାରୁ ବେଶୀ ଦୁର୍ଭାଗ୍ୟଜନକ ଥିଲା ଭଟଲିରେ ସରସ୍ୱତୀ ପ୍ରଧାନଙ୍କର ପରାଜୟ। କାରଣ ଏହି ଆସନରୁ ସରସ୍ୱତୀ ପୂର୍ବରୁ ଦୁଇଥର ୧୯୬୧ ଓ ୧୯୬୭ରେ କଂଗ୍ରେସ ଦଳର ଟିକେଟରେ ବିଜୟଲାଭ କରିଥିଲେଏବଂ ୧୯୬୧ ବିଜୁବାବୁଙ୍କ ମନ୍ତ୍ରିମଣ୍ଡଳରେ ଶିକ୍ଷାବିଭାଗର ଉପମନ୍ତ୍ରୀ ମଧ୍ୟ ଥିଲେ। ୧୯୭୧ରେ ସେ ଏହି ଆସନରୁ ନବଗଠିତ ଉତ୍କଳ କଂଗ୍ରେସ ଦଳ ତରଫରୁ ଲଢ଼ିଲେ ଏବଂ କଂଗ୍ରେସ ଦଳର କୁଞ୍ଜବିହାରୀ ନାଏକଙ୍କ ଠାରୁ ହାରି ଚତୁର୍ଥ ସ୍ଥାନରେ ରହିଲେ। ମୋଟାମୋଟି ଏହି ନିର୍ବାଚନରେ ୧୨ ଜଣଯାକ ମହିଳା ପ୍ରାର୍ଥୀ ପରାଜୟର ମୁହଁ ଦେଖିବା ଏକ ଦୁର୍ଭାଗ୍ୟପୂର୍ଣ୍ଣ ବିଷୟ ଥିଲା।
ମାତ୍ର କୌତୂହଳର କଥା, ଓଡ଼ିଶାର ପଞ୍ଚମ ବିଧାନସଭା ଶେଷ ପର୍ଯ୍ୟନ୍ତ ମହିଳାଶୂନ୍ୟ ହୋଇ ରହିନଥିଲା। ୧୯୭୧ରେ ବିଶ୍ୱନାଥ ଦାସଙ୍କ ନେତୃତ୍ଵରେ ଗଠିତ ମିଳିତ ସାମ୍ମୁଖ୍ୟ ମନ୍ତ୍ରିମଣ୍ଡଳ ୧୯୭୨ ଜୁନ୍ ମାସରେ ଇସ୍ତଫା ଦେଲେ ଏବଂ ରାଜ୍ୟରେ କଂଗ୍ରେସ ଦଳର ନୂଆ ମନ୍ତ୍ରିମଣ୍ଡଳ ଶପଥଗ୍ରହଣ କଲେ। ଏହି ମନ୍ତ୍ରିମଣ୍ଡଳର ନେତୃତ୍ଵ ନେଲେ ଜଣେ ମହିଳା, ଯେ କି ଛଅମାସ ମଧ୍ୟରେ ଉପନିର୍ବାଚନ ଜିଣି ବିଧାନସଭାକୁ ଆସିଲେ। ସେ ହେଲେ ପଞ୍ଚମ ଓଡ଼ିଶା ବିଧାନସଭାର ଏକମାତ୍ର ମହିଳା ସଦସ୍ୟା ତଥା ଆମ ରାଜ୍ୟର ପ୍ରଥମ ଓ ଏକମାତ୍ର ମହିଳା ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀ। ସତେଯେମିତି ୧୯୭୧ ବିଧାନସଭା ମହିଳାମରୁଡ଼ି ଥିଲା ଏମିତି ଏକ ନେତ୍ରୀଙ୍କର ମଞ୍ଚପ୍ରବେଶ ପାଇଁ ଏକ ବିଧିନିର୍ଦ୍ଦିଷ୍ଟ ପୃଷ୍ଠଭୂମି।