ବିଜେଡିରେ ଯୋଗଦେଲେ ଅମର ପଟ୍ଟନାୟକ

ବିଜେଡି ଆଇଟି ସେଲ୍‌ ମୁଖ୍ୟ ନିଯୁକ୍ତ

ଭୁବନେଶ୍ୱର : ପୂର୍ବତନ ପ୍ରିନ୍‌ସପାଲ୍‌ ଆକାଉଣ୍ଟାଣ୍ଟ ଜେନେରାଲ ଅମର ପଟ୍ଟନାୟକ ଆଜି ବିଜେଡିରେ ଯୋଗଦେଇଛନ୍ତି। ନବୀନ ନିବାସରେ ବିଜେଡି ରାଜ୍ୟ ସଭାପତି ନବୀନ ପଟ୍ଟନାୟକ ତାଙ୍କୁ ଦଳକୁ ସ୍ୱାଗତ କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ତାଙ୍କୁ ଧନ୍ୟବାଦ ଜଣାଇବା ସହିତ କହିଥିଲେ, ସେ ବହୁ ରାଜ୍ୟରେ କାର୍ଯ୍ୟ କରିଛନ୍ତି ଓ ତାଙ୍କର ବିପୁଳ ପ୍ରଶାସନିକ ଅନୁଭୂତି ରହିଛି। ସେ ଆଜି ଆମ ଦଳରେ ଯୋଗ ଦେଇଥିବାରୁ ବିଜେଡିର ଶକ୍ତି ବୃଦ୍ଧି ହେବ, ଏଥିରେ ସନ୍ଦେହ ନାହିଁ। ଅମର ଆମ ଦଳର ଆଇଟି ସେଲ୍‌ ମୁଖ୍ୟ ହୋଇ କାର୍ଯ୍ୟ କରିବେ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।

ଅନ୍ୟପକ୍ଷରେ ଅମର ପଟ୍ଟନାୟକ ତାଙ୍କ ପ୍ରତିକ୍ରିୟାରେ କହିଥିଲେ, ମୁଖ୍ୟମନ୍ତ୍ରୀଙ୍କ ଦୃଢ଼ ଓ ଦକ୍ଷ ନେତୃତ୍ୱ ଉପରେ ମୋର ବିଶ୍ୱାସ, ଆସ୍ଥା ଓ ପ୍ରତିବଦ୍ଧତାର ପ୍ରମାଣ ହେଉଛି ବିଜେଡିର ମୋର ଯୋଗଦାନ। ମୁଁ ରାଜ୍ୟରେ ଯେତେବେଳେ ପ୍ରିନ୍ସପାଲ ଏଜି ଥିଲି, ସେତେବେଳେ ତାଙ୍କର ପ୍ରଶଂସା କରୁଥିଲି ଓ ସର୍ବଦା ତ୍ୱରିତ ପଦକ୍ଷେପ ନେବାରେ ତାଙ୍କର ଭୂମିକା ପ୍ରଶଂସନୀୟ ବୋଲି ମୁଁ ଖୋଲାଖୋଲି ସ୍ୱୀକାର କରିଛି। ଏହି ଯୋଗଦାନ କାର୍ଯ୍ୟକ୍ରମରେ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ଶଶିଭୂଷଣ ବେହେରା, ଅଶୋକ ଚନ୍ଦ୍ର ପଣ୍ଡା, ସୂର୍ଯ୍ୟ ନାରାୟଣ ପାତ୍ର, ଦଳର ସାଧାରଣ ସଂପାଦକ ତଥା ବିଧାୟକ ପ୍ରଣବ ପ୍ରକାଶ ଦାସ, ମୁଖପାତ୍ର ଡ. ସସ୍ମିତ ପାତ୍ରଙ୍କ ସମେତ ବହୁ ନେତା ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର