ଭୁବନେଶ୍ୱରରେ ଅମିତ ଶାହ : ଦିନତମାମ କବାଟକିଳା ଆଲୋଚନା, ପରିଶ୍ରମ କର, କ୍ଷମତା ଦଖଲ ନିଶ୍ଚିତ

ଭୁବନେଶ୍ୱର : ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଆଜି ଓଡ଼ିଶା ଗସ୍ତରେ ଆସିଛନ୍ତି। ଦଳର ରାଜ୍ୟ କାର୍ଯ୍ୟାଳୟରେ କର୍ମକର୍ତ୍ତାମାନଙ୍କୁ ଦିନତମାମ ସାଂଗଠନିକ ପାଠ ପଢ଼ାଇଛନ୍ତି। ଲଗାତର ବୈଠକ କରି ମିସନ୍‌ ୧୨୦+ର ସଫଳତା ପାଇଁ ‘ଟାସ୍କ’ ବାଣ୍ଟିଛନ୍ତି। ପୁଣି ପ୍ରଦର୍ଶନୀ ପଡ଼ିଆରେ ତିନିଟି ଲୋକସଭା ନିର୍ବାଚନଣ୍ଡଳୀର ପଞ୍ଚାୟତ ସ୍ତରର ନେତାଙ୍କୁ ବି ମନ୍ତ୍ର ଫୁଙ୍କିଛନ୍ତି। ପ୍ରଥମ ଥର ପାଇଁ ଶ୍ରୀ ଶାହ ଓଡ଼ିଶା ଗସ୍ତରେ ଆସି କୌଣସି ସାଧାରଣ ସଭାରେ ଉଦ୍‌ବୋଧନ ନ ଦେଇ କେବଳ ସାଂଗଠନିକ ସମୀକ୍ଷା କରିଥିବାରୁ ରାଜନୈତିକ ମହଲରେ ଏହାକୁ ନେଇ ହଟଚମଟ ସୃଷ୍ଟି ହୋଇଛି।

ଶ୍ରୀ ଶାହ ଆଜି ସକାଳ ପ୍ରାୟ ୧୧ଟାରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଥିଲେ। ସେଠାରେ ରାଜ୍ୟ ବିଜେପି ପକ୍ଷରୁ ତାଙ୍କୁ ସ୍ୱାଗତ କରାଯାଇଥିଲା। ଦୁଇ କେନ୍ଦ୍ର ମନ୍ତ୍ରୀ ଜୁଏଲ୍‌ ଓରାମ, ଧର୍ମେନ୍ଦ୍ର ପ୍ରଧାନ, ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା ଓ ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓଙ୍କ ସମେତ ଅନ୍ୟ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ। ଏକ ମୋଟର୍‌ ସାଇକେଲ୍‌ ଶୋଭାଯାତ୍ରାରେ ଶ୍ରୀ ଶାହଙ୍କୁ ରାଜ୍ୟ କାର୍ଯ୍ୟାଳୟକୁ ପାଛୋଟି ଅଣାଯାଇଥିଲା। ସେଠାରେ ପହଞ୍ଚିଲା ପରେ ସଙ୍ଗେ ସଙ୍ଗେ ଶ୍ରୀ ଶାହ ବୈଠକ ଆରମ୍ଭ କରିଦେଇଥିଲେ। ଅପରାହ୍ନ ୪ଟା ପର୍ଯ୍ୟନ୍ତ ଦଳୀୟ କାର୍ଯ୍ୟାଳୟରେ ତୁହାକୁ ତୁହା ବୈଠକ ହୋଇଥିଲା। ବୈଠକରେ ପୂର୍ବରୁ ଦିଆଯାଇଥିବା ସାଂଗଠନିକ ଦାୟିତ୍ୱ ସମ୍ପର୍କର ଶ୍ରୀ ଶାହ ପଚାରିଥିଲେ। ତୃଣମୂଳ ସ୍ତରରେ ଦଳର ସ୍ଥିତି ପରଖିଥିଲେ। ଆଗକୁ ଦଳ କିପରି ଭଲ କରିବ, ସେ ନେଇ ରଣନୀତି ସମ୍ପର୍କରେ ବି ସୂଚନା ଦେଇଥିଲେ। ବିଶେଷ କରି କେନ୍ଦ୍ର ସରକାରଙ୍କ ସଫଳତା ଓ ରାଜ୍ୟ ସରକାରଙ୍କ ଅପାରଗତାକୁ ଲୋକଙ୍କ ପାଖକୁ ବାରମ୍ବାର ନେବା ପାଇଁ ସେ କହିଥିଲେ। ପୁଣି ବିଭିନ୍ନ ନିର୍ବାଚନମଣ୍ଡଳୀର ସମ୍ଭାବ୍ୟ ପ୍ରାର୍ଥୀଙ୍କ ସହ ବି ସେ ରୁଦ୍ଧଦ୍ୱାର ବୈଠକ କରିଥିବା ଜଣାପଡ଼ିଛି।

ବାହାରେ ଗଣମାଧ୍ୟମକୁ ଦଳର ନେତାମାନେ ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ସହ ଆଲୋଚନା ସମ୍ପର୍କରେ ସୂଚନା ଦେଇଥିଲେ। ସେମାନଙ୍କ କହିବା ଅନୁଯାୟୀ ପୂର୍ବରୁ ଅଧ୍ୟକ୍ଷ ଯେଉଁ ଦାୟିତ୍ୱ ବାଣ୍ଟିଥିଲେ, ସେହି ଅନୁଯାୟୀ କାମ ହୋଇଥିବାରୁ ସେ ସନ୍ତୋଷ ପ୍ରକାଶ କରିଛନ୍ତି। ମିସନ୍‌-୧୨୦ କିପରି ସଫଳ ହେବ, ସେ ନେଇ ସଭାପତି ରଣନୀତି ପ୍ରସ୍ତୁତ କରିଛନ୍ତି। ତୃଣମୂଳ ସ୍ତର ଠାରୁ ଆରମ୍ଭ କରି ରାଜ୍ୟ ସ୍ତରର ନେତାମାନେ କି ଦାୟିତ୍ୱ ନେବେ, ତାହା ସେ ସ୍ଥିର କରିଛନ୍ତି। ତାଙ୍କ ଯୋଜନା ଅନୁଯାୟୀ ଦଳ କାର୍ଯ୍ୟ କରିବ।

ଅପରାହ୍ନରେ ପ୍ରଦର୍ଶନୀ ପଡ଼ିଆରେ ଏକ ସ୍ୱତନ୍ତ୍ର ବୈଠକର ଆୟୋଜନ କରାଯାଇଥିଲା। ଭୁବନେଶ୍ୱର, ପୁରୀ ଓ କଟକ ସଂସଦଦୀୟ କ୍ଷେତ୍ରର ୨୧ଟି ବିଧାନସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ସମସ୍ତ ପଞ୍ଚାୟତରୁ ଆସିଥିବା ୨ ଜଣ ଲେଖାଏଁ ପ୍ରମୁଖ ନେତା ଏଥିରେ ଯୋଗ ଦେଇଥିଲେ। ଶ୍ରୀ ଶାହ କହିଥିଲେ, ଜନ ଆକାଂକ୍ଷା ପୂରଣ କରିବା ପାଇଁ ବିଜେପିର କାର୍ଯ୍ୟକର୍ତ୍ତାମାନେ ଲୋକଙ୍କ ସହ ମିଶି ଜନସମ୍ପର୍କ ଓ ଜନ ସଂଘର୍ଷ ଆଧାରରେ ଯୋଜନାବଦ୍ଧ କାର୍ଯ୍ୟକ୍ରମ ହାତକୁ ନିଅନ୍ତୁ। ମହାପ୍ରଭୁ ଜଗନ୍ନାଥଙ୍କ ରତ୍ନଭଣ୍ଡାର ଚାବିକୁ ସୁରକ୍ଷା ଦେବାରେ ବିଫଳ ରାଜ୍ୟ ସରକାର ସାଢ଼େ ୪ କୋଟି ଓଡ଼ିଆଙ୍କୁ କି ସୁରକ୍ଷା ଦେବେ? ଗ୍ରାମୀଣ ଓଡ଼ିଶାରେ ମାତ୍ର ଦୁଇ ପ୍ରତିଶତ ଘରେ ଶୁଦ୍ଧ ପାଇପ ପାଣି ପହଞ୍ଚିବା କି ପ୍ରକାର ଜନ ମଙ୍ଗଳ? ଏ ନେଇ ଲୋକଙ୍କୁ ଜଣାଇବା ସହ କେନ୍ଦ୍ର ସରକାରଙ୍କ ଗରିବ କଲ୍ୟାଣ ଯୋଜନା ସମ୍ପର୍କରେ ସଚେତନତା ସୃଷ୍ଟି କରିବାକୁ ଶ୍ରୀ ଶାହ ଆହ୍ଵାନ ଦେଇଥିଲେ। ଓଡ଼ିଶାର ସାଧାରଣ ଲୋକଙ୍କୁ ଦେଶର ବିକାଶରେ ସାମିଲ୍‌ କରିବାକୁ ହେଲେ ଓଡ଼ିଶାରେ ବି ବିଜେପି ଶାସନ ପ୍ରତିଷ୍ଠା କରିବାକୁ ହେବ। ଏହା ଓଡ଼ିଶାର ଲୋକଙ୍କ ଇଚ୍ଛା ଓ ବିଜେପି କାର୍ଯ୍ୟକର୍ତ୍ତାଙ୍କ କଠିନ ପରିଶ୍ରମ ଆଧାରରେ ହିଁ ସମ୍ଭବ ହୋଇପାରିବ ବୋଲି ସେ କହିଥିଲେ।

ଗସ୍ତ ସମୟରେ ସଂଘ ପରିବାର କର୍ମକର୍ତ୍ତାଙ୍କ ସହ ବି ଶ୍ରୀ ଶାହ ଆଲୋଚନା କରିଥିଲେ। ମଞ୍ଚେଶ୍ୱରସ୍ଥିତ ଉତ୍କଳ ବିପନ୍ନ ସହାୟତା ସମିତି ପରିସରରେ ଅଧ ଘଣ୍ଟା ଏହି ଆଲୋଚନା ହୋଇଥିଲା। ବିଜେପି ପକ୍ଷରୁ ଦେଶବ୍ୟାପୀ ଚାଲିଥିବା ‘ସମର୍ଥନ ପାଇଁ ସମ୍ପର୍କ’ କାର୍ଯ୍ୟକ୍ରମରେ ଶ୍ରୀ ଶାହ ସାମିଲ୍‌ ହୋଇଥିଲେ। ରାତିରେ ପଦ୍ମବିଭୂଷଣ ରଘୁନାଥ ମହାପାତ୍ରଙ୍କ ବାସଭବନକୁ ଯାଇ ତାଙ୍କୁ ଭେଟିଥିଲେ। ମୋଦି ସରକାରଙ୍କ ଗତ ୪ ବର୍ଷର ସଫଳତା ସମ୍ବଳିତ ପୁସ୍ତକ ପ୍ରଦାନ କରିବା ସହ ସେ ସମ୍ପର୍କରେ ଆଲୋଚନା କରିଥିଲେ। ରାତିରେ ଶ୍ରୀ ଶାହ ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିଥିଲେ।

ସମ୍ବନ୍ଧିତ ଖବର