ବିଜେପି ଅଧ୍ୟକ୍ଷ ଅମିତ ଶାହା ପତାକା ଉତ୍ତୋଳନ କରିବା ବେଳେ ଖସିପଡ଼ଲା ତ୍ରିରଙ୍ଗା, କଟାକ୍ଷ କଲା କଂଗ୍ରେସ, କହିଲା କେମିତି ସମ୍ଭାଳିବେ ଦେଶ ?

ନୂଆଦିଲ୍ଲୀ : ସାରା ଦେଶ ଆଜି ପାଳନ କରୁଛି ୭୨ତମ ସ୍ୱାଧୀନତା ଦିବସ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସକାଳେ ଲାଲକିଲ୍ଲା ଠାରେ ତ୍ରିରଙ୍ଗା ଉଡାଇବା ସହ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି । ଭାରତୀୟ ଜନତା ପାର୍ଟିର ଅଧ୍ୟକ୍ଷ ଅମିତ ଶାହା ମଧ୍ୟ ପାର୍ଟି କାର୍ଯ୍ୟାଳୟରେ ତ୍ରିରଙ୍ଗା ଉଡାଇଛନ୍ତି । କିନ୍ତୁ ସେତେବେଳେ କିଛି ଏପରି ଘଟଣା ଘଟିଥିଲା ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତ୍ରିରଙ୍ଗା ଉଡାଇବା ପାଇଁ ଯେତେବେଳେ ଅମିତ ଶାହା ରଶି ଟାଣୁଥିଲେ, ସେତେବେଳେ ତ୍ରିରଙ୍ଗା ପତାକା ତଳକୁ ଖସି ଆସିଥିଲା । ଏବେ କଂଗ୍ରେସ ଏହି ଘଟଣାର ଏକ ଭିଡିଓ ଜାରି କରି ଅମିତ ଶାହାଙ୍କୁ ଟାର୍ଗେଟ କରିଛି ।

ଅମିତ ଶାହାଙ୍କ ଭିଡିଓକୁ ଟ୍ୱିଟ କରିବା ସହ କଂଗ୍ରେସ ଲେଖିଛି ଯେ, ଯିଏ ଦେଶର ପତାକାକୁ ସମ୍ଭାଳିପାରୁନାହାନ୍ତି, ସିଏ ଦେଶ କ’ଣ ସମ୍ଭାଳିବେ? ଏହା ପୋଷ୍ଟ କରିବା ସହ କଂଗ୍ରେସ ଏକ ଭିଡିଓ ମଧ୍ୟ ଜାରି କରିଛି । ସୂଚନା ଅନୁଯାୟୀ, ସ୍ୱାଧୀନତା ଦିବସରେ ଅନେକ ପାର୍ଟିର ପ୍ରମୁଖ, ନେତା, କେନ୍ଦ୍ରୀମନ୍ତ୍ରୀ ନିଜ ଘରେ, ପାର୍ଟି କାର୍ଯ୍ୟାଳୟରେ ତ୍ରିରଙ୍ଗା ପତାକା ଉଡାଇଥାନ୍ତି । ଗୃହମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ଆଜି ସକାଳେ ନିଜ ଘରେ ତ୍ରିରଙ୍ଗା ଉଡାଇଥିଲେ । କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ମଧ୍ୟ କଂଗ୍ରେସ ପାର୍ଟି ଅଫିସରେ ତ୍ରିରଙ୍ଗା ଉଡାଇଥିଲେ। ସେହିପରି ଅମିତ ଶାହା ବିଜେପି କାର୍ଯ୍ୟାଳୟରେ ଜାତୀୟ ପତାକା ଉତ୍ତୋଳନ କରିବା ବେଳେ ଏପରି ଘଟିଥିବା ଜଣାପଡ଼ିଛି।

 

ସମ୍ବନ୍ଧିତ ଖବର