କାଶ୍ମୀର ସମସ୍ୟା ପାଇଁ ନେହେରୁଙ୍କୁ ଦାୟୀ କଲେ ଶାହା : ସର୍ଦ୍ଦାର ପଟେଲ ଦେଶର ପ୍ରଧାନମନ୍ତ୍ରୀ ହୋଇଥିଲେ ଆଜି କାଶ୍ମୀରରେ ଏଭଳି ପରିସ୍ଥିତି ହୋଇ ନଥାନ୍ତା

ନୂଆଦିଲ୍ଲୀ: ପୁଲୱାମା ଆତଙ୍କବାଦୀ ଆକ୍ରମଣ ପରେ ଗୋଟିଏ ପଟେ ସାରା ଦେଶରେ କ୍ରୋଧର ନିଆଁ ଜଳୁଥିବା ବେଳେ ଅନ୍ୟପଟେ ଏହି ଛାତିଥରା ଘଟଣାକୁ ନେଇ ରାଜନୀତି ମଧ୍ୟ ଜୋର ଧରିଛି । ପାକିସ୍ତାନ ଠାରୁ ପ୍ରତିଶୋଧ ନେବା ପାଇଁ ଏବେ ସାରା ଦେଶ ଦାବି କରୁଛି । ଆଉ ଏହାରି ଭିତରେ ଘଟଣାକୁ ନେଇ ବିଜେପି ଓ କଂଗ୍ରେସ ମଧ୍ୟରେ ଆରମ୍ଭ ହୋଇଯାଇଛି କାଦୁଅ ଫିଙ୍ଗାଫିଙ୍ଗି । ପୁଲୱାମାରେ ଆତଙ୍କବାଦୀ ଆକ୍ରମଣ ସମୟରେ ପ୍ରଧାନମନ୍ତ୍ରୀ ଡକ୍ୟୁମେଣ୍ଟାରି ସୁଟିଂ କରୁଥିଲେ ବୋଲି ଗତକାଲି କଂଗ୍ରେସ ଆଣିଥିଲା ସାଙ୍ଘାତିକ ଅଭିଯୋଗ । ଆଉ ଆଜି କଂଗ୍ରେସ ଉପରେ ଜବରଦସ୍ତ ବର୍ଷିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ।

Deccan Chronicle

ଆନ୍ଧ୍ରପ୍ରଦେଶର ରାଜମହେନ୍ଦ୍ରିରେ ଏକ ସମ୍ମିଳନୀରେ ଅମିତ ଶାହା କହିଛନ୍ତି, ନରେନ୍ଦ୍ର ମୋଦିଙ୍କ ସରକାର, ଦେଶର ସୁରକ୍ଷାକୁ ସବୁବେଳେ ପ୍ରାଥମିକତା ଦେଇଆସିଛି । ଆତଙ୍କବାଦୀ ମୁଦ୍ଦା ଉପରେ ସରକାର ଜିରୋ ଟଲରାନ୍ସ ନୀତି ଆପଣେଇଛନ୍ତି । ଏପରିକି ପୁଲୱାମା ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନକୁ କଡା ଜବାବ ଦେବା ପାଇଁ ମଧ୍ୟ ଉଚିତ୍ ରଣନୀତି ଉପରେ କାର୍ଯ୍ୟ କରାଯାଉଛି । ଆଉ ଏହାରି ଭିତରେ ରାଜନୈତିକ ଫାଇଦା ପାଇଁ କଂଗ୍ରେସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ମିଛ ଅଭିଯୋଗ କରୁଥିବା ଅମିତ ଶାହା କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି, କାଶ୍ମୀରରେ ଆଜି ଯେଉଁ ସମସ୍ୟା ଦେଖାଯାଉଛି, ତାହା କେବଳ ନେହେରୁଜୀଙ୍କ ପାଇଁ ହିଁ ହେଉଛି । ଯଦି ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଦେଶର ପ୍ରଧାନମନ୍ତ୍ରୀ ହୋଇଥାନ୍ତେ, ତେବେ ଆଜି କାଶ୍ମୀରରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇନଥାନ୍ତା ।

ଏହି ଅବସରରେ କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ । ଏପରିକି କଂଗ୍ରେସ ଆତଙ୍କବାଦକୁ ପ୍ରଶୟ ଦେଉଥିବା ପରୋକ୍ଷରେ କହିଛନ୍ତି ଅମିତ ଶାହା । ସେ କହିଛନ୍ତି, ଦେଶର ବିଭାଜନର କଥା କହୁଥିବା ଲୋକମାନଙ୍କୁ ସମର୍ଥନ କରୁଥିବା କଂଗ୍ରେସ, ତାଙ୍କୁ ଦେଶଭକ୍ତି ଶିଖାଇବାର ଆବଶ୍ୟକତା ନାହିଁ । ପୁଲୱାମା ଆକ୍ରମଣର ବ୍ୟବହାର କଂଗ୍ରେସ ନିଜର ରାଜନୈତିକ ଫାଇଦା ପାଇଁ କରୁଥିବା ସେ କହିଛନ୍ତି । ତେବେ ଗୋଟିଏ ପଟେ, ପୁଲୱାମାର ଛାତିଥରା ବିସ୍ଫୋରଣ ସାରା ଦେଶକୁ ଦୋହଲାଇ ଦେଇଥିବା ବେଳେ, ଅନ୍ୟପଟେ ଏହି ଘଟଣାକୁ ନେଇ ରାଜନୀତି ମଧ୍ୟ ତେଜିବାରେ ଲାଗିଛି ।

 

ସମ୍ବନ୍ଧିତ ଖବର