ବଦଳିପାରେ ବିଜେପି ରଣନୀତି : ଜୁଲାଇ ପହିଲାରେ ଆସୁଛନ୍ତି ଅମିତ ଶାହ, ଆଶା-ଆଶଙ୍କାରେ ଦଳୀୟ ନେତା

ଭୁବନେଶ୍ୱର : ବିଜେପି ସୁପ୍ରିମୋ ଅମିତ ଶାହ ଜୁଲାଇ ୧ ତାରିଖରେ ଓଡ଼ିଶା ଆସୁଛନ୍ତି। ପ୍ରଥମ ଥର ପାଇଁ ତାଙ୍କ ଗସ୍ତ ସମୟରେ କୌଣସି ସାଧାରଣ ସଭା ନାହିଁ। ଯାହା ଆଲୋଚନା ହେବ ଦଳୀୟ କାର୍ଯ୍ୟାଳୟରେ। ତାହା ପୁଣି କବାଟ କିଳା ଆଲୋଚନା। ଅମିତଙ୍କ ଏହି ଗସ୍ତ ଉପରେ ବିରୋଧୀ ରାଜନୈତିକ ଦଳଗୁଡ଼ିକର ତୀକ୍ଷ୍ଣ ନଜର ତ ଅଛି। ଖୋଦ୍‌ ବିଜେପି ଶିବିରରେ ଏ ନେଇ ମଧ୍ୟ ଅଧିକ ଆଶା-ଆଶଙ୍କା।

ପଞ୍ଚାୟତ ନିର୍ବାଚନରେ ବିଜେପିର ଆଶାତୀତ ସଫଳତା ପରେ ଦଳୀୟ ନେତା କର୍ମୀ ମହଲରେ ସାଧାରଣ ନିର୍ବାଚନକୁ ନେଇ ବେଶ୍‌ ଉତ୍ସୁକତା ଦେଖାଦେଇଥିଲା। ଦଳୀୟ ନେତୃତ୍ୱ ସେହି ଅନୁସାରେ ରଣନୀତି ବି ପ୍ରସ୍ତୁତ କରିଥିଲେ। କିନ୍ତୁ ବିଜେପୁର ଉପନିର୍ବାଚନ ସମସ୍ତ ହିସାବକିତାବକୁ ଗଡ଼ବଡ଼ କରିଦେଲା। ପରବର୍ତ୍ତୀ ସମୟରେ ଆଉ କେତେକ ପୌରପାଳିକା ଉପନିର୍ବାଚନରେ ମଧ୍ୟ ଦଳର ଦୁର୍ବଳ ପ୍ରଦର୍ଶନ ହାଇକମାଣ୍ଡ୍‌ଙ୍କୁ ଚିନ୍ତାରେ ପକାଇଦେଇଛି। ତେଣୁ ପରିବର୍ତ୍ତିତ ସ୍ଥିତିରେ ନୂଆ ରଣନୀତି ପ୍ରସ୍ତୁତ କରି ସାଧାରଣ ନିର୍ବାଚନ ସାମ୍ନା କରିବାକୁ ଉଦ୍ୟମ ଆରମ୍ଭ ହୋଇଛି। ଏଠାରେ ଦଳୀୟ କର୍ମକର୍ତାଙ୍କ ସହିତ ଅମିତ ଏ ସଂପର୍କରେ ବିଚାରବିମର୍ଶ କରିବେ ବୋଲି ଜଣାପଡ଼ିଛି।

ଯେକୌଣସି ମୂହୁର୍ତ୍ତରେ ଆଗୁଆ ସାଧାରଣ ନିର୍ବାଚନ ହୋଇପାରେ ବୋଲି ସାରା ଦେଶରେ ଚର୍ଚ୍ଚା ଜୋର୍‌ ଧରିଛି। ଆଗୁଆ ନିର୍ବାଚନକୁ ସାମ୍ନା କରିବାକୁ ବିଜେଡି ପ୍ରସ୍ତୁତ ବୋଲି ଖୋଦ୍‌ ସୁପ୍ରିମୋ ନବୀନ ପଟ୍ଟନାୟକ ଖୋଲାଖୋଲି କହୁଛନ୍ତି। ନିର୍ବାଚନମନସ୍କ ହୋଇ ବିଜେଡି ବି ବିଭିନ୍ନ ପଦକ୍ଷେପ ନେଉଥିବା ଦେଖାଯାଉଛି। ପୁଣି ନିରଞ୍ଜନ ପଟ୍ଟନାୟକ ପିସିସି ସଭାପତି ହେଲା ପରେ କଂଗ୍ରେସ ଶିବିର ଚଳଚଞ୍ଚଳ ରହିଛି। ଅଗଷ୍ଟ ସୁଦ୍ଧା କଂଗ୍ରେସର ୫୦ ବିଧାୟକ ପ୍ରାର୍ଥୀ ତାଲିକା ଚୂଡ଼ାନ୍ତ ହେବ ବୋଲି ସୂଚନା ଦେଇ ରାଜନୀତିକୁ ଅଧିକ ସରଗରମ କରିଦେଇଛନ୍ତି ନିରଞ୍ଜନ। ଏମିତି ଏକ ବାତାବରଣରେ ଅମିତଙ୍କ ଗସ୍ତ ଓଡ଼ିଶା ରାଜନୀତିରେ ଗୁରୁତ୍ୱ ବହନ କରୁଛି।

ମିସନ୍‌ ୧୨୦+ ଘୋଷଣା କରିଥିବା ଅମିତ ଶାହ ଲୋକସଭା ଓ ବିଧାନସଭା ନିର୍ବାଚନମଣ୍ଡଳୀଓ୍ଵାରି ଦଳର ବାସ୍ତବ ସ୍ଥିତି ଏଥର ପରଖିବେ। ‘ଟାସ୍କ ମାଷ୍ଟର୍‌’ ଭାବେ ପରିଚିତ ଅମିତ ଦିନତମାମ କି ପରାମର୍ଶ ଦେବେ, କି ତାଗିଦ୍‌ କରିବେ, କି ଟାସ୍କ ଆଦାୟ କରିବେ ଓ ଆଗାମୀ ଦିନ ପାଇଁ କି ଟାସ୍କ ଦେବେ, ତାହାକୁ ନେଇ ଅଙ୍କକଷା ଆରମ୍ଭ ହେଲାଣି। କେଉଁ ନିର୍ବାଚନମଣ୍ଡଳୀରେ କାହାକୁ ନଜରରେ ରଖି ବିଜେପି ଗୋଟି ଚଳାଇବ, ତାହାର ଆଭାସ ବି ଏଥର ମିଳିବାର ସମ୍ଭାବନା ରହିଛି। ଏ ନେଇ ବାହାରକୁ କୌଣସି ସୂଚନା ଦିଆଯିବ ନାହିଁ। କିନ୍ତୁ ବହୁ ନିର୍ବାଚନମଣ୍ଡଳୀର ସମ୍ଭାବ୍ୟ ପ୍ରାର୍ଥୀଙ୍କୁ ବ୍ୟକ୍ତିଗତ ଭାବେ ସବୁଜ ସଙ୍କେତ ଦିଆଯିବ ବୋଲି କୁହାଯାଉଛି।

ପୂର୍ବାଞ୍ଚଳକୁ ବିଜେପି ଫୋକସ୍‌ କରୁଛି ବୋଲି ଉଭୟ ପ୍ରଧାନନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ଅଧ୍ୟକ୍ଷ ଅମିତ ଶାହ ବାରମ୍ବାର କହିଆସୁଛନ୍ତି। ପୂର୍ବାଞ୍ଚଳ ଭିତରେ ଓଡ଼ିଶାକୁ ଅଧିକ ଗୁରୁତ୍ୱ ଦିଆଯାଉଛି ବୋଲି ଦଳ ପକ୍ଷରୁ କୁହାଯାଉଛି। ଗତ ମାସରେ ମୋଦି ସରକାରର ଚାରି ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ନିଜ ସରକାରର ହିସାବ ଦେବା ପାଇଁ ଓଡ଼ିଶାକୁ ବାଛିଥିଲେ। କେନ୍ଦ୍ର ସରକାରଙ୍କ ସେହି ସଫଳତାର ଗାଥା କିପରି ତଳ ସ୍ତରର ଲୋକଙ୍କ ପାଖକୁ ଯିବ, ତାହାର ବ୍ଲୁ ପ୍ରିଣ୍ଟ୍‌ ଏଥର ଅମିତ ପ୍ରସ୍ତୁତ କରିବେ।

ଅମିତଙ୍କ ଗସ୍ତ ପୂର୍ବରୁ ବିଜେପି ଶିବିରରେ ଜୋର୍‌ଦାର୍‌ ପ୍ରସ୍ତୁତି ଚାଲିଛି। ବିଭିନ୍ନ ଲୋକସଭା ନିର୍ବାଚନମଣ୍ଡଳୀ ସ୍ତରରେ ସାଂଗଠନିକ ବୈଠକ ବସୁଛି। ଲୋକସଭା ଓ ବିଧାନସଭାଓ୍ଵାରି ତଥ୍ୟଭିତ୍ତିକ ରିପୋର୍ଟ ପ୍ରସ୍ତୁତ କରିବାକୁ ରାଜ୍ୟ ନେତୃତ୍ୱ ଲାଗିପଡ଼ିଛି। ତେବେ କିଛି ସ୍ଥାନରେ ବିଜେପିର ସାଂଗଠନିକ ବୈଠକରେ ଅସନ୍ତୋଷ ବି ଦେଖିବାକୁ ମିଳିଛି। ପରସ୍ପର ମଧ୍ୟରେ ଛକାପଞ୍ଝା ହୋଇ ହାତାହାତି ହେଉଥିବାର ଖବର ପହଞ୍ଚିଛି। ଏହାକୁ ନେଇ ରାଜ୍ୟ ବିଜେପିରେ ଚିନ୍ତା ବଢ଼ି ଯାଇଛି।

ଅମିତଙ୍କ ଗସ୍ତ ପୂର୍ବରୁ ଦୁଇ ଜଣ କେନ୍ଦ୍ର ମନ୍ତ୍ରୀଙ୍କ ଗସ୍ତ ଏଇ ସପ୍ତାହରେ ରଖାଯାଇଛି। ୨୬ ତାରିଖରେ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ଭୁବନେଶ୍ୱର ଆସିବେ। ବୁଦ୍ଧିଜୀବୀ ସମ୍ମିଳନୀରେ ଯୋଗ ଦେବା ସହ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରିବେ। ୨୯ ଓ ୩୦ ତାରିଖ ଦୁଇ ଦିନ ଧରି କେନ୍ଦ୍ର ପେଟ୍ରୋଲିୟମ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭୁବନେଶ୍ୱରରେ ରହି ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେବେ। କୃଷିର ବିକାଶ ଉପରେ ଏକ କନ୍‌କ୍ଲେଭ୍‌ ଏହି ସମୟରେ ଆୟୋଜନ କରାଯାଉଛି।

ସମ୍ବନ୍ଧିତ ଖବର