୧୫ରେ ପୁଣି ଓଡ଼ିଶା ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା

ଭୁବନେଶ୍ୱର : ୧୫ରେ ଓଡ଼ିଶା ଗସ୍ତରେ ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ  ଅମିତ ଶାହା । ଶାହା ୧୫ ତାରିଖ ଶୁକ୍ରବାର ସକାଳେ ଝାରସୁଗୁଡା ବିମାନବନ୍ଦରରେ ପହଞ୍ଚି ସେଠାରୁ ହେଲିକପ୍ଟର ଯୋଗେ ଦୁର୍ଗାପାଲି ପଡ଼ିଆରେ ପହଞ୍ଚି ସମଲେଶ୍ୱରୀ ମନ୍ଦିର ଯାଇ ମା’ଙ୍କ ଦର୍ଶନ କରିବେ । ପରେ  ଶାହା ଜେଲ୍ ଛକ ପାଖରେ ଥିବା ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ । ମଧ୍ୟାହ୍ନରେ  ଶାହା ସିଟି ଷ୍ଟେସନ ପାଖ ପଡିଆରେ କାର୍ଯ୍ୟକର୍ତା ସମାବେଶରେ ଯୋଗ ଦେଇ ଉଦବୋଧନ ଦେବେ । ସମ୍ବଲପୁର, ସୁନ୍ଦରଗଡ, ବରଗଡ ଓ ଢେଙ୍କାନାଳ ଲୋକସଭା ନିର୍ବାଚନମଣ୍ଡଳୀର ବୁଥ୍ ସ୍ତରୀୟ କାର୍ଯ୍ୟକର୍ତାମାନଙ୍କ ସହ ସାଙ୍ଗଠନିକ ସ୍ଥିତି ଏବଂ ଆଗାମୀ ନିର୍ବାଚନ ରଣନୀତି ନେଇ ଶାହା ଆଲୋଚନା କରିବେ। ଅପରାହ୍ନରେ ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁଯାୟୀ  ଶାହା ଦିଲ୍ଲୀ ପ୍ରତ୍ୟାବର୍ତନ କରିବେ ବୋଲି ରାଜ୍ୟ ମୁଖପାତ୍ର ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି।

ଶ୍ରୀ ମହାପାତ୍ର କହିଛନ୍ତି ଯେ, ପୂର୍ବ ଭାରତର ବିକାଶ ତଥା ନୂଆ ଓଡ଼ିଶା ଗଠନ ପାଇଁ ବିଜେପି ପ୍ରାଧାନ୍ୟ ଦେଇ ଆସୁଛି । ତୃଣମୂଳ ସ୍ତରରୁ ଆରମ୍ଭ କରି ସବୋର୍ଚ୍ଚ ନେତୃତ୍ୱ ପର୍ଯ୍ୟନ୍ତ ସମସ୍ତେ ଏକ ହୋଇ ଓଡିଶାର ବିକାଶ ଦିଗରେ କାର୍ଯ୍ୟ କରୁଛନ୍ତି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗତ ୪ ବର୍ଷ ମଧ୍ୟରେ ରାଜ୍ୟର ବିକାଶ ପାଇଁ ହଜାର ହଜାର କୋଟି ଅନୁଦାନ ଦେଇଛନ୍ତି ଯାହାକି କେବେ ଓଡିଶାକୁ କୌଣସି କେନ୍ଦ୍ର ସରକାର କେବେ ଦେଇନଥିଲେ ।

ସମ୍ବନ୍ଧିତ ଖବର