ଅପରାଜିତା ଷଡ଼ଙ୍ଗୀ ବିଜେପିରେ ଯୋଗଦେବା ପରେ ଭୁବନେଶ୍ୱରରେ ଆରମ୍ଭ କଲେ ଜନ ପରାମର୍ଶ ପଦଯାତ୍ରା

ଦଳର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ହେବ, ଏ ନେଇ ବଢୁଛି ଚର୍ଚ୍ଚା

ଭୁବନେଶ୍ୱର : ପ୍ରଶାସିକାରୁ ରାଜନୀତି ମଇଦାନକୁ ଡେଇଁଥିବା ଅପରାଜିତା ଷଡ଼ଙ୍ଗୀ ବିଜେପିରେ ଯୋଗ ଦେବା ପରେ ଲୋକଙ୍କ ସହ ଯୋଡି ହେବା ପାଇଁ ଏ‌ବେ ପ୍ରୟାସ ଆରମ୍ଭ କରିଛନ୍ତି। ନେତା ଓ କର୍ମୀଙ୍କ ଗହଣରେ ସେ ଆଜି ଭୁବନେଶ୍ୱରରେ ଆରମ୍ଭ କରିଛନ୍ତି ଜନ ପରାମର୍ଶ ଯାତ୍ରା । ଭୁବନେଶ୍ୱର ଲୋକସଭା ମଣ୍ଡଳୀରେ ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା ବଢୁଥିବା ବେଳେ ରାଜଧାନୀର ବିଜେପି ସଂଗଠନକୁ ମଜବୁତ କରିବା ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି ଅପରାଜିତା । ସେପଟେ ଦଳରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ହେବ ସେନେଇ ଚର୍ଚା ବଢୁଥିବା ବେଳେ ବରିଷ୍ଠ ନେତା ପ୍ରତାପ ଷଡଙ୍ଗୀ କହିଛନ୍ତି, ବିଜେପିରେ ଅନେକ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ରହିିଛନ୍ତି ।

ବିଜେପିରେ ଯୋଗଦେବା ପରେ ଅପରାଜିତା ଷଡ଼ଙ୍ଗୀଙ୍କୁ ଏବେ ଦେଖିବାକୁ ମିଳୁଛି ଆକ୍ସନ ମୁଡରେ । ଭୁବନେଶ୍ୱର ଲୋକସଭା ମଣ୍ଡଳୀରେ ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା ଧରିଥିବା ବେଳେ ରାଜଧାନୀର ବିଜେପି ସଂଗଠନକୁ ମଜବୁତ କରିବା ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି ଅପରାଜିତା। ଆଜି ସେ ନେତା ଓ କର୍ମୀଙ୍କ ଗହଣରେ ଭୁବନେଶ୍ୱରରେ ଆରମ୍ଭ କରିଛନ୍ତି ଜନ ପରାମର୍ଶ ଯାତ୍ରା । ଲୋକଙ୍କ ପରାମର୍ଶ ନେବା ସହ ଲୋକଙ୍କ ସମସ୍ୟା ପଚାରି ବୁଝୁଛନ୍ତି । ଏଥିସହିତ ଭୁବନେଶ୍ୱରର ଛାମୁଆ ନେତାଙ୍କ ସହ ସେ ତୁହାକୁ ତୁହା ଆଲୋଚନା କରୁଥିବା ଜଣାପଡିଛି । ଏହାରି ଭିତରେ ଅଧିକ ସମୟ ନନେଇ ସିଧା ଲୋକଙ୍କ ଗହଣକୁ ଓହ୍ଲାଇ ଆସିଛନ୍ତି ଅପରାଜିତା ।

ଅପରାଜିତା ବିଜେପିରେ ଯୋଗ ଦେବା ପରେ ଦଳର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ହେବ, ଏ ନେଇ ଚର୍ଚ୍ଚା ଜାରି ରହିଥିବାବେଳେ ଆସିଛି ବରିଷ୍ଠ ନେତା ପ୍ରତାପ ଷଡଙ୍ଗୀଙ୍କ ପ୍ରତିକ୍ରିୟା । ରାଜ୍ୟ ବିଜେପିରେ ଅନେକ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଥିବା କହିଛନ୍ତି ପ୍ରତାପ । ସେ ଆହୁରି ମଧ୍ୟ କହିଛନ୍ତି ଦଳ କାହା ନେତୃତ୍ୱରେ ନିର୍ବାଚନ ଲଢିବ ତାହା ପାର୍ଲାମେଣ୍ଟାରୀ ବୋର୍ଡ ନିଷ୍ପତି ନେବ । ଦଳ ତରଫରୁ କିଛି କୁହାଯାଇନଥିବାରୁ ଏ ନେଇ ଯେଉଁମାନେ ମନ୍ତବ୍ୟ ଦେଉଛନ୍ତି ତାହା ସେମାନଙ୍କ ବ୍ୟକ୍ତିଗତ ମତ ବୋଲି କହିଛନ୍ତି ପ୍ରତାପ ଷଡଙ୍ଗୀ । ପୂର୍ବରୁ କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ କହିଥିଲେ, ଧର୍ମେନ୍ଦ୍ର ପ୍ରଧାନ ହେଉଛନ୍ତି ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ । ଏବେ ପ୍ରତାପ ଷଡ଼ଙ୍ଗାଙ୍କ ଏପରି ମନ୍ତବ୍ୟ ଓ ଅପରାଜିତାଙ୍କ ଉତ୍ସାହ ଦେଖିଲେ ବିଜେପି ରାଜନୀତି କୁଆଡକୁ ଯାଉଛି, ଆକଳନ କରିବା ମୁସ୍କିଲ ହୋଇପଡିଛି ।

ସମ୍ବନ୍ଧିତ ଖବର