କଂଗ୍ରେସକୁ ଫେରିବେ ଆର୍ଯ୍ୟକୁମାର, କାର୍ତିକେଶ୍ୱର, ହଳଧର

ଭୁବନେଶ୍ୱର : ଆସନ୍ତାକାଲି କଂଗ୍ରେସ ଭବନରେ ମିଶ୍ରଣ ପର୍ବ ହେଉଥିବାର ସୂଚନା ମିଳିଛି। ପିସିସି ପକ୍ଷରୁ କୁହାଯାଇଛି ଯେ ତୃଣମୂଳ କଂଗ୍ରେସର ପୂର୍ବତନ ରାଜ୍ୟ ସଭାପତି ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର, ପୂର୍ବତନ ସାଂସଦ ଡ. କାର୍ତ୍ତିକେଶ୍ୱର ପାତ୍ର, ପୂର୍ବତନ ମନ୍ତ୍ରୀ ହଳଧର କାର୍ଜୀ ପ୍ରମୁଖଙ୍କ ସମେତ ଅନେକ ବିଶିଷ୍ଟ ନେତା କଂଗ୍ରେସରେ ଯୋଗ ଦେଉଛନ୍ତି। ଅତୀତରେ ସେମାନେ ବିଭିନ୍ନ କାରଣରୁ କଂଗ୍ରେସ ଦଳ ଛାଡ଼ିଥିଲେ। ଏଆଇସିସି ଓଡ଼ିଶା ପ୍ରଭାରୀ ଜିତେନ୍ଦ୍ର ସିଂହ ଓ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଉପସ୍ଥିତିରେ ସେମାନେ କଂଗ୍ରେସ ଦଳରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏମାନଙ୍କ ବ୍ୟତୀତ ପୂର୍ବରୁ ପିସିସି ମୁଖପାତ୍ର ଥିବା ଅଶୋକ ସାମଲ ମଧ୍ୟ ବିଜେଡି ଛାଡ଼ି କଂଗ୍ରେସରେ ଯୋଗଦେବାର କାର୍ଯ୍ୟକ୍ରମ ରହିଥିବା ଦଳୀୟ କର୍ମକର୍ତା କହିଛନ୍ତି।

ଆସନ୍ତା ୯ ତାରିଖରେ ନୂଆଦିଲ୍ଲୀରେ ଏଆଇସିସି ସଭାପତି ରାହୁଲ ଗାନ୍ଧୀଙ୍କ ସହିତ ଓଡ଼ିଶା ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସହିତ ଅନ୍ୟ କର୍ମକର୍ତାମାନଙ୍କ ଆଲୋଚନା ଅନୁଷ୍ଠିତ ହେବ। ଆଲୋଚନା ଅବସରରେ ରାଜ୍ୟରେ ରାଜନୈତିକ ସ୍ଥିତି ସହିତ ବିଭିନ୍ନ ପ୍ରସଙ୍ଗ ନେଇ ପିସିସି ସଭାପତି ଶ୍ରୀ ପଟ୍ଟନାୟକ ରିପୋର୍ଟ ଉପସ୍ଥାପନ କରିବାର କାର୍ଯ୍ୟକ୍ରମ ରହିଛି। ଏଥିପାଇଁ ଆଜି ସନ୍ଧ୍ୟାରେ କଂଗ୍ରେସ ଭବନରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଶ୍ରୀ ପଟ୍ଟନାୟକ, ଏଆଇସିସି ଓଡ଼ିଶା ପ୍ରଭାରୀ ଜିତେନ୍ଦ୍ର ସିଂହ, ଏଆଇସିସି ସଂପାଦକ, କାର୍ଯ୍ୟକାରୀ ସଭାପତି ଚିରଞ୍ଜୀବ ବିଶ୍ୱାଳଙ୍କ ସମେତ କର୍ମକର୍ତା ଓ ଦଳୀୟ ନେତାମାନେ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର