ବିଜେପିର ରଣନୀତି ବୈଠକ, ଅଶୋକ ଅନୁପସ୍ଥିତ

ବରଗଡ଼: ବିଜେପୁର ଉପନିର୍ବାଚନ ତାତି ସୋମବାର ବରଗଡ଼ ସହର ଆଡ଼କୁ ମୁହାଁଇଛି। ଦିନତମାମ ସହର ରାଜନୈତିକ ମାହୋଲ ଭିତରେ ବୁଡ଼ି ରହିଥିଲା। ସ୍ଥାନୀୟ ଆନନ୍ଦ ମଣ୍ଡପଠାରେ ବିଜେଡିର ରଣନୀତି ଚୂଡ଼ାନ୍ତ ହେଉଥିବା ବେଳେ ଅନତି ଦୂରରେ ଥିବା ମିଲନ ମଣ୍ଡପଠାରେ ଚାଲିଥିଲା ବିଜେପିର ବୈଠକ। ପ୍ରଥମ ପର୍ଯ୍ୟାୟରେ ବରଗଡ଼ ଏବଂ ଝାରସୁଗୁଡ଼ା ଲୋକସଭା ମଣ୍ଡଳିକୁ ନେଇ ବିଜେପିର ଆଲୋଚନା ହୋଇଥିଲା। ସର୍ବଭାରତୀୟ ସଂପାଦକ ଅନୀଲ ଜୈନ, ରାଷ୍ଟ୍ରୀୟ ସଂପାଦକ ସୁରେଶ ପୂଜାରୀ, ରାଜ୍ୟ ସଭାପତି ବସନ୍ତ ପଣ୍ଡା, ବିଧାୟକ ଦଳର ନେତା କେଭି ସିଂହଦେଓ, ପୂର୍ବତନ ମନ୍ତ୍ରୀ ଜୟନାରାୟଣ ମିଶ୍ର, ବିଧାୟକ ପ୍ରଦୀପ ପୁରୋହିତ, ରାଧାରାଣୀ ପଣ୍ଡା ପ୍ରମୁଖ ମଂଚାସୀନ ଥିଲେ। ଦ୍ୱିତୀୟ ପର୍ଯ୍ୟାୟରେ କେବଳ ବିଜେପୁର ଉପନିର୍ବାଚନ ଉପରେ ଆଲୋଚନା ହୋଇଥିଲା। କିନ୍ତୁ କୌଣସି ପର୍ଯ୍ୟାୟରେ ବିଜେପିରେ ସଦ୍ୟ ସାମିଲ ହୋଇଥିବା ଅଶୋକ ପାଣିଗ୍ରାହୀଙ୍କୁ ଦେଖିବାକୁ ମିଳିନଥିଲା। ଯାହାକୁ ନେଇ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି। ବୈଠକରେ ବିଜେପୁର ମଣ୍ଡଳିର ନେତା ଏବଂ କର୍ମକର୍ତା ଥିଲେ। ଅଶୋକ ପଦ୍ମଦଳକୁ ଡେଇଁବା ପୂର୍ବରୁ ହିଁ ତାଙ୍କର ସମ୍ଭାବ୍ୟ ପ୍ରାର୍ଥିତ୍ୱକୁ ମୂଳ ବିଜେପି କର୍ମୀ ବିରୋଧ କରିଥିଲେ। ପରେ ପ୍ରାର୍ଥିତ୍ୱ ପ୍ରସଂଗକୁ ସମସ୍ତେ କେନ୍ଦ୍ରିୟ ସଂଗଠନ କୋର୍ଟକୁ ଫିଙ୍ଗି ଦେଇଥିଲେ। ଫଳରେ ଅଶୋକଙ୍କ ପ୍ରାର୍ଥିତ୍ୱ ଏବେବି ଝୁଲନ୍ତା ଅବସ୍ଥାରେ ରହିଛି। ବିବାଦକୁ ଏଡ଼ାଇବା ସକାଶେ ଆଜିର କାର୍ଯ୍ୟକ୍ରମରୁ ଅଶୋକଙ୍କୁ ଦୂରେଇ ରଖାଯାଇଥିବା ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି। ତେବେ ଗାଇସିଲାଟ୍‌ ଏବଂ ବିଜେପୁର ଅଂଚଳରେ ଦଳୀୟ କାର୍ଯ୍ୟକ୍ରମ ବ୍ୟସ୍ତତା ଯୋଗୁଁ ସେ ବରଗଡ଼ ଆସି ପାରିନଥିଲେ ବୋଲି ଶ୍ରୀ ପାଣିଗ୍ରାହୀ ପ୍ରତିକ୍ରିୟାରେ କହିଛନ୍ତି।

ସମ୍ବନ୍ଧିତ ଖବର