ଭିମ୍‌ସାର୍‌ର ପୂର୍ବତନ ନିର୍ଦ୍ଦେଶକ ଅଶ୍ୱିନୀ ପୂଜାହାରୀ କଂଗ୍ରେସରେ ସାମିଲ, ଟିକେଟ୍‌କୁ ଅପେକ୍ଷା

ଭୁବନେଶ୍ୱର: ବୁର୍ଲାସ୍ଥିତ ଭିମ୍‌ସାରର ପୂର୍ବତନ ନିର୍ଦ୍ଦେଶକ ଅଶ୍ୱିନୀ ପୂଜାହାରୀ ରବିବାର କଂଗ୍ରେସରେ ଯୋଗ ଦେଇଛନ୍ତି। ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ନିରଂଜନ ପଟ୍ଟନାୟକଙ୍କ ଉପସ୍ଥିତିରେ ସେ କଂଗ୍ରେସରେ ସାମିଲ ହୋଇଛନ୍ତି। ଭିମ୍‌ସାର୍‌ରୁ ଚାକିରୀ ଛାଡ଼ିବା ପରେ କିଛି ମାସ ହେବ ଚର୍ଚ୍ଚା ହେଉଥିଲା ଯେ, ପୂଜାହାରୀ ରାଜନୈତିକ କ୍ୟାରିୟର ଆରମ୍ଭ କରିବେ କିନ୍ତୁ ଏହା ସ୍ପଷ୍ଟ ହେଉ ନଥିଲା ଯେ, କେଉଁ ଦଳରେ ସାମିଲ ହେବେ।

କଂଗ୍ରେସରେ ସାମିଲ ହେବା ପାଇଁ ପୂଜାହାରୀ ଶନିବାର ନିଷ୍ପତ୍ତି ନେଇଥିଲେ ଏବଂ ଆଜି ଦଳରେ ଆନୁଷ୍ଠାନିକ ଭାବରେ ଯୋଗଦେଇଛନ୍ତି। ବର୍ତ୍ତମାନ ଦେଖିବାକୁ ରହିଲା ଯେ, ଅଶ୍ୱିନୀ ପୂଜାହାରୀଙ୍କୁ କେଉଁଠାରୁ ଟିକେଟ ମିଳୁଛି। ସେ କେଉଁ ଲୋକସଭା ଆସନ ପାଇଁ ଟିକେଟ ପାଇବେ ନାଁ ବିଧାନସଭା ପ୍ରାର୍ଥୀ ଭାବରେ ଛିଡ଼ା ହେବେ ତାହା ମଧ୍ୟ ଦେଖିବାର ଅଛି।

ସୂଚନାଯୋଗ୍ୟ, ସମ୍ବଲପୁର ଭିମସାର ନିର୍ଦ୍ଦେଶକ ଡକ୍ଟର ଅଶ୍ୱିନୀ ପୂଜାହାରୀଙ୍କ ଲୁଣ ଚିକିତ୍ସା ପଦ୍ଧତିକୁ ନେଇ ବିବାଦ ଦେଖାଦେଇଥିଲା । କ୍ୟାନସର ଭଳି ରୋଗ କିମ୍ବା କୌଣସି ସଂକ୍ରମଣ ସ୍ଥାନରେ ଲୁଣ ଦେଇ ଚିକିତ୍ସା କରୁଥିବାରୁ ବିବାଦ ଘେରକୁ ଆସିଥିଲେ ଭିମସାର ନିର୍ଦ୍ଦେଶକ । ଆଉ ସେଥିପାଇଁ ତାଙ୍କୁ ଛୁଟିରେ ପଠାଯାଇଥିଲା । ବୁର୍ଲା ବଡ ମେଡିକାଲରେ ନିର୍ଦ୍ଦେଶକ ଭାବେ ଯୋଗଦେବା ପରଠାରୁ ଚର୍ଚ୍ଚାରେ ରହିଆସିଛନ୍ତି ଡାକ୍ତର ଅଶ୍ୱିନୀ ପୂଜାହାରୀ । ସରକାରୀ ଚାକିରିରେ ରହି ଘରୋଇ ଚିକିତ୍ସା କରୁଥିବା ଡାକ୍ତର ମାନଙ୍କ ବିରୋଧରେ ପଦକ୍ଷେପ ନେଇ ପଶ୍ଚିମାଂଚଳରେ ବେଶ ଲୋକପ୍ରିୟତା ସାଉଁଟିଥିଲେ । ହେଲେ ତାଙ୍କ ଚିକିତ୍ସା ପଦ୍ଧତିକୁ ନେଇ ବଡ ବିବାଦ ମୁଣ୍ଡ ଟେକିଥିଲା ।

ସମ୍ବନ୍ଧିତ ଖବର