ରାଜନେୈତିକ ମହଲରେ ଚର୍ଚ୍ଚା : ପ୍ରଧାନମନ୍ତ୍ରୀ ମୋଦିଙ୍କ ଓଡ଼ିଶାରେ ଗସ୍ତ ସମୟରେ ବିଜେପିରେ ଯୋଗ ଦେଇପାରନ୍ତି ବୈଜୟନ୍ତ !

ଭୁବନେଶ୍ବର : ବିଜେପିରେ ମିଶିପାରନ୍ତି ବୈଜୟନ୍ତ ପଣ୍ଡା । ଆସନ୍ତା ୨୪ ତାରିଖରେ ମୋଦିଙ୍କ ଓଡ଼ିଶା ଗସ୍ତ ସମୟରେ ବୈଜୟନ୍ତ ପଣ୍ଡା ବିଜେପିରେ ଯୋଗଦେଇପାରନ୍ତି । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ  ଖୋର୍ଦ୍ଧାଠାରେ ହେବାକୁ ଥିବା ମୋଦିଙ୍କ ସଭାରେ ଏହି ମିଶ୍ରଣ ପର୍ବ ଅନୁଷ୍ଠିତ ହେବ । ମଂଚେଶ୍ୱର ସ୍ଥିତି ଉତ୍କଳ ବିପନ୍ନ ସହାୟତା ସମିତିରେ  ଆରଏସଏସ ମୁଖ୍ୟ ମୋହନ ଭାଗବତଙ୍କୁ ବୈଜୟନ୍ତଙ୍କ ପତ୍ନୀ ଜାଗି ପଣ୍ଡା ଭେଟିବା ପରେ ଏହି ଚର୍ଚ୍ଚା ଜୋର ଧରିଛି । ଦୀର୍ଘ ସମୟ ଧରି ମୋହନ ଭାଗବତ ଓ ଜାଗୀ ପଣ୍ଡାଙ୍କ ମଧ୍ୟରେ ଏନେଇ ଆଲୋଚନା ହୋଇଛି । ଓଡ଼ିଶା ଓ ପଶ୍ଚିମବଙ୍ଗର କ୍ରାନ୍ତୀୟ କର୍ମକର୍ତାଙ୍କ ସହ ଆଲୋଚନା ପାଇଁ ମୋହନ ଭାଗବତ ଓଡିଶା ଆସିଥିଲେ । ଏହି ସମୟରେ ଗତ ରବିବାର  ବୈଜୟନ୍ତଙ୍କ ପତ୍ନୀ ମୋହନ ଭାଗବତଙ୍କ ସହ ଆଲୋଚନା କରିଥିଲେ ।

ଆନୁଷ୍ଠାନିକ ଭାବରେ କୌଣସି ଘୋଷଣା ହୋଇନଥିଲେ ସୁଦ୍ଧା, ବିଶେଷ ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ ବିଜେପିରେ ଯୋଗ ଦେଇପାରନ୍ତି ବିଜେଡିରୁ ବିତାଡିତ ହୋଇଥିବା ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା । ଆଉ ଏହି ଚର୍ଚ୍ଚା ସେତେବେଳେ ଜୋର ଧରିଛି, ଯେତେବେଳେ ଆରଏ୍ଏସ୍ ମୁଖ୍ୟ ମୋହନ ଭାଗବତକୁ ଭେଟିଛନ୍ତି ବୈଜୟନ୍ତଙ୍କ ପତ୍ନୀ ଜାଗିମଙ୍ଗତ ପଣ୍ଡା ।

ବିଜେଡିରୁ ଇସ୍ତଫା ଦେବା ଘଟଣାକୁ ପ୍ରାୟ ୪ ମାସ ବିତିଗଲାଣି । ହେଲେ ଏଯାଏଁ ବୈଜୟନ୍ତ ପଣ୍ଡା ତାଙ୍କ ପରବର୍ତୀ ରାଜନୈତିକ କାର୍ଯ୍ୟପନ୍ଥା ନେଇ କୌଣସି ନିଷ୍ପତି ନେଇ ନାହାଁନ୍ତି । କିନ୍ତୁ ସବୁ ବିକଳ୍ପ ଖୋଲା ଅଛି ବୋଲି କହି ବୁଲୁଛନ୍ତି । ଠିକ୍ ଏତିକି ବେଳେ ବୈଜୟନ୍ତଙ୍କ ପତ୍ନୀ ଆରଏସଏସ୍ ମୁଖ୍ୟଙ୍କୁ ଭେଟିବା ଚର୍ଚ୍ଚାକୁ ଆହୁରୀ ବଢ଼ାଇ ଦେଇଛି । ଆରଏସ୍ଏସ୍ ହେଉଛି ସେହି ସଂଗଠନ, ଯାହାକୁ ବିଜେପିର ମାର୍ଗଦର୍ଶକ ଅନୁଷ୍ଠାନ ବୋଲି କୁହାଯାଏ । ତେଣୁ ଜାଗୀ-ମୋହନଙ୍କ ଭେଟ୍ ଘାଟ ଚର୍ଚ୍ଚା ବଢ଼ାଇବା ସ୍ୱାଭାବିକ ।

ମିଳିଥିବା ସୂଚନା ଅନୁସାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଖୋର୍ଦ୍ଧା ସମାବେଶ ଅବସରରେ ବିଜେପିରେ ସାମିଲ ହୋଇପାରନ୍ତି ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା । ମୋଦିଙ୍କ ଏହି ଗସ୍ତ ସମୟରେ ବିଜେପି ପକ୍ଷରୁ ଏକ ମିଶ୍ରଣ ପର୍ବର ଆୟୋଜନ କରାଯାଇଥିବା ମଧ୍ୟ ଚର୍ଚ୍ଚା ହେଉଛି ।ବିଭିନ୍ନ ସମୟରେ ମୋଦି ସରକାରଙ୍କୁ ପ୍ରଶଂସା କରି ଆସୁଛନ୍ତି ବୈଜୟନ୍ତ ପଣ୍ଡା । ତେଣୁ ବିଜେପି ଆଡକୁ ବୈଜୟନ୍ତ ଢ଼ଳିବାରେ ଆଶଙ୍କା କରିବାରେ କୌଣସି ଅସୁବିଧା ନାହିଁ । ତେବେ ପ୍ରକୃତରେ କ’ଣ ହେଉଛି ତାହା ଆସନ୍ତା ୨୪ ତାରିଖରେ ସ୍ପଷ୍ଟ ହୋଇଯିବ ।

ସମ୍ବନ୍ଧିତ ଖବର