ଭକ୍ତ କହିଲେ, ଜଣେ ବ୍ୟକ୍ତି, ଗୋଟିଏ ପଦବି ନେଇ ବିବାଦ ନାହିଁ

ଭୁବନେଶ୍ୱର : ନୂଆଦିଲ୍ଲୀରେ କଂଗ୍ରେସ ସୁପି୍ରମୋ ରାହୁଲ ଗାନ୍ଧୀଙ୍କ ଅନୁମୋଦନ କ୍ରମେ ରାଜ୍ୟ କଂଗ୍ରେସର ବିଭିନ୍ନ ସାଂଗଠାନିକ ଜିଲ୍ଲା କମିଟି(ଡିସିସି)ର ସଭାପତି ପରିବର୍ତନ ହେବା ସହିତ ଅନେକ କମିଟିରେ ନୂଆ କରି କାର୍ଯ୍ୟକାରୀ ସଭାପତିଙ୍କୁ ମଧ୍ୟ ନିଯୁକ୍ତି ଦିଆଯାଇଛି। ଦଳରେ କିଛି ନେତା ‘ଜଣେ ବ୍ୟକ୍ତି, ଗୋଟିଏ ପଦବି’ କଥା ଉଠାଇଛନ୍ତି। ଏ ନେଇ କଂଗ୍ରେସର କିଛି ବରିଷ୍ଠ ନେତା ପ୍ରତିକ୍ରିୟା ଜରିଆରେ ନିଜ ନିଜର ଅସନ୍ତୋଷ ମଧ୍ୟ ଝାଡ଼ିଛନ୍ତିି। ତେବେ ଏ ନେଇ କୌଣସି ବିବାଦ ନାହିଁ ବୋଲି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି(ପିସିସି) କ୍ୟାମ୍ପେନ କମିଟି ସଭାପତି ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତଚରଣ ଦାସ କହିଛନ୍ତି।

ଡିସିସିଗୁଡ଼ିକର ସଭାପତି, କାର୍ଯ୍ୟକାରୀ ସଭାପତିଙ୍କ ତାଲିକା ପ୍ରକାଶ ପାଇଲା ପରେ ଓ୍ଵାନ ମ୍ୟାନ, ଓ୍ଵାନ୍‌ କମିଟି ବା ‘ଜଣେ ବ୍ୟକ୍ତି, ଗୋଟିଏ ପଦବି’କୁ ନେଇ ବିବାଦର ସୂତ୍ରପାତ ହୋଇଛି। ଏହି ପ୍ରସଙ୍ଗରେ ଖୋର୍ଧା ଜିଲ୍ଲା କଂଗ୍ରେସ ସଭାପତି ଭାବେ ନିଯୁକ୍ତ ସୁରେଶ ରାଉତରାୟ ତାଙ୍କ ପ୍ରତିକ୍ରିୟାରେ କହିଥିଲେ, ଯଦି ଏଭଳି ନିଷ୍ପତ୍ତି ନିଆଯାଏ, ଖୋଦ୍‌ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ୩ଜଣ ଯାକ କାର୍ଯ୍ୟକାରୀ ସଭାପତି, ଅଧିକାଂଶ କର୍ମକର୍ତା ନିର୍ବାଚନରେ ଛିଡ଼ା ହୋଇପାରିବେନି। ସେ ଦୀର୍ଘଦିନ ଧରି ତାଙ୍କ ନିର୍ବାଚନମଣ୍ଡଳୀ ପାଇଁ କାମ କରୁଛନ୍ତି। ତାଙ୍କ ପ୍ରତି ଲୋକଙ୍କର ବ୍ୟାପକ ସମର୍ଥନ ରହିଛି। ସେ କାହିଁକି ନିର୍ବାଚନରେ ପ୍ରାର୍ଥୀ ହେବେନି ବୋଲି ପଚାରିଛନ୍ତି। ଅନୁରୂପ ଭାବେ ଏହି ନୀତିକୁ ଅନ୍ୟ କିଛି ସଭାପତି, କାର୍ଯ୍ୟକାରୀ ସଭାପତି ବିରୋଧ କରିଛନ୍ତିି।

ଏହି ନୀତି ସଂପର୍କରେ ସ୍ପଷ୍ଟୀକରଣ ଦେଇ କ୍ୟାମ୍ପେନ କମିଟି ଅଧ୍ୟକ୍ଷ ଶ୍ରୀ ଦାସ କହିଲେ, ‘ଜଣେ ବ୍ୟକ୍ତି, ଗୋଟିଏ ପଦବି’ ଅର୍ଥ ହେଉଛି, ଜଣେ ବ୍ୟକ୍ତି ଦ୍ୱୈତ ଦାୟିତ୍ୱରେ ରହିପାରିବେନି। କିନ୍ତୁ ତାଙ୍କୁ ନିର୍ବାଚନ ଲଢ଼ିବାରୁ ବାରଣ କରିହେବନି। ତେବେ ସେ ନିର୍ବାଚନରେ ବିଜୟୀ ହୋଇ ମନ୍ତ୍ରୀ କିମ୍ବା କିଛି ଦାୟିତ୍ୱରେ ରହିଲେ ତାଙ୍କୁ ସଂଗଠନ ଦାୟିତ୍ୱ ଛାଡ଼ିବାକୁ ହେବ। ଏ କ୍ଷେତ୍ରରେ ଜଣେ ପଦବିଧାରୀ ବ୍ୟକ୍ତିଙ୍କର ବିଜୟ ସମ୍ଭାବନାକୁ ବିଚାରକୁ ନିଆଯିବ ବୋଲି ସେ କହିଲେ। ଯଦି ଏଭଳି ପ୍ରସଙ୍ଗରେ କୌଣସି ମତପାର୍ଥକ୍ୟ ରହୁଛି, ସେ କ୍ଷେତ୍ରରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସହିତ ଆଲୋଚନା କରିବାକୁ ଶ୍ରୀ ଦାସ ପ୍ରସ୍ତାବ ଦେଇଛନ୍ତିି। କିନ୍ତୁ ଏହାକୁ ଦଳୀୟ ଫୋରମ ବାହାରେ ଆଲୋଚନା କରିବା ଅନୁଚିତ। ଏ ନେଇ ସେ ପିସିସି ସଭାପତିଙ୍କ ସହିତ କଥା ହେବେ ବୋଲି କହିଥିଲେ।

ସମ୍ବନ୍ଧିତ ଖବର