ମୁଖ୍ୟମନ୍ତ୍ରୀଙ୍କ ଥୋପ

ଭୁବନେଶ୍ୱର : ବିଜେପୁର ନିର୍ବାଚନ ପାଇଁ ଆଜି ବାଟ ଖୋଲିଛି। ଏପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୋଟରଙ୍କ ଉଦ୍ଦେଶ୍ୟରେ ପ୍ରଥମ ନିର୍ବାଚନୀ ଥୋପ ଫିଙ୍ଗିଛନ୍ତି। ଶହେ କି ଦୁଇଶହ କୋଟି ନୁହେଁ, ୧୨୫୦ କୋଟି ଟଙ୍କା ବ୍ୟୟରେ ଏକ ନୂଆ ଯୋଜନାର ଘୋଷଣା କରାଯାଇଛି। ବିଜେପୁରରେ ହେବ ଓଡ଼ିଶାର ପ୍ରଥମ ଭୂତଳ ଜଳସେଚନ ପ୍ରକଳ୍ପ। ଏହାର ନାମ ରଖାଯାଇଛି ‘ଗଙ୍ଗାଧର ମେହେର ଲିଫ୍ଟ କେନାଲ୍‌ ସିଷ୍ଟମ୍‌’। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ଜନ୍ମଦିନରେ ସଚିବାଳୟରେ ଏ ସଂପର୍କରେ ଘୋଷଣା କରିଥିଲେ। ଓଡ଼ିଶାରେ ପ୍ରଥମ ଥର ପାଇଁ ଅତ୍ୟାଧୁନିକ ଜ୍ଞାନକୌଶଳରେ ଜଳସେଚନର ଏହି ନୂଆ ବ୍ୟବସ୍ଥା କାର୍ଯ୍ୟକାରୀ ହେବ ବୋଲି କୁହାଯାଇଛି। ପୂର୍ବରୁ କର୍ଣ୍ଣାଟକରେ ଏଭଳି ଏକ ପ୍ରକଳ୍ପ ଆରମ୍ଭ ହୋଇଥିଲା।

ଆଜି ସଚିବାଳୟରେ ଏ ସମ୍ପର୍କରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ, ବରଗଡ଼ ଜିଲ୍ଲାର ମରୁଡ଼ି ପ୍ରଭାବିତ ଅଞ୍ଚଳରେ ବ୍ୟାପକ ଜଳସେଚନ ସୁବିଧା ପାଇଁ ଜିଲ୍ଲାବାସୀଙ୍କର ଦାବି ରହିଥିଲା। ଏହାକୁ ବିଚାରରେ ରଖି ବିଜେପୁର ଲିଫ୍ଟ କେନାଲ ସିଷ୍ଟମ୍‌ କାର୍ଯ୍ୟକାରୀ କରାଯିବାକୁ ସ୍ଥିର ହୋଇଛି। ମାଟି ତଳେ ଏପରି ପାଇପ୍‌ ଲାଇନ୍‌ ଭିତ୍ତିକ ଜଳସେଚନ ପ୍ରକଳ୍ପ କରାଯିବ। ଏହି ପ୍ରକଳ୍ପ ଦ୍ୱାରା ୩୨ ହଜାର ହେକ୍ଟର୍‌ ଜମିରେ ଜଳସେଚନ ହୋଇପାରିବ। ଏହା ମଧ୍ୟରୁ ଖରିଫ୍‌ ଋତୁରେ ୨୫ ହଜାର ୬୦୦ ହେକ୍ଟର୍‌ ଓ ରବି ଋତୁରେ ୭୦୦୦ ହେକ୍ଟର୍‌ ଜମି ଜଳସେଚିତ ହେବ। ପ୍ରକଳ୍ପ ପାଇଁ ୧୨୫୦ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି।

ଏହି ପାଇପ୍‌ଲାଇନ୍‌ ଯାଇଥିବା ଅଞ୍ଚଳରେ ପ୍ରତି ୪ କିମିରେ ଗୋଟିଏ ଗୋଟିଏ ଆଉଟ୍‌ଲେଟ୍‌ ରହିବ। ସେଠାରୁ ଜଳସେଚନ ପାଇଁ ପାଣି ଯୋଗାଇ ଦିଆଯିବ। ପ୍ରକଳ୍ପରେ ଜଳସେଚନର ଅତ୍ୟାଧୁନିକ ଜ୍ଞାନକୌଶଳ ବ୍ୟବହାର କରାଯିବ। ସମଗ୍ର ଦେଶରେ ଏହାକୁ ଏକ ‘ମଡେଲ୍‌ ପ୍ରୋଜେକ୍ଟ୍‌’ ଭାବେ ପ୍ରସ୍ତୁତ କରାଯିବ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।

ମୁଖ୍ୟମନ୍ତ୍ରୀ ଏ ସଂକ୍ରାନ୍ତରେ ଘୋଷଣା କରିବା ପୂର୍ବରୁ ସଚିବାଳୟରେ ଏକ ଉଚ୍ଚସ୍ତରୀୟ ବୈଠକ ଡକାଯାଇଥିଲା। ଏଥିରେ ଜଳସେଚନ ବିଭାଗ ପକ୍ଷରୁ ପ୍ରକଳ୍ପ ସଂପର୍କରେ ସବିଶେଷ ତଥ୍ୟ ଉପସ୍ଥାପନ କରାଯାଇଥିଲା। ବିଭାଗର ପ୍ରମୁଖ ସଚିବ ପ୍ରଦୀପ କୁମାର ଜେନା ଦର୍ଶାଇଥିଲେ ଯେ ଏହି ପ୍ରକଳ୍ପ ଲାଗି ଆୟକଟ୍‌ ସର୍ଭେ ସରିଛି। ଏବେ ପମ୍ପ ହାଉସ୍‌ ପାଇଁ ସର୍ଭେ କରାଯାଉଛି। ଏହା ପରେ ଡିଜାଇନ୍‌ କରାଯିବ ଓ ଖୁବ୍‌ ଶୀଘ୍ର ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ଲାଗି ପଦକ୍ଷେପ ନିଆଯିବ।

ଏହି ପ୍ରକଳ୍ପର ବିଶେଷତା ସଂପର୍କରେ ସୂଚନା ଦେଇ ଶ୍ରୀ ଜେନା କହିଥିଲେ, ଏହି ବ୍ୟବସ୍ଥାରେ ପାଣିକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣ କରାଯାଇପାରିବ। ଚାଷୀ ଯେଉଁ ସମୟରେ ଚାହିଁବେ, ପାଣି ନେଇପାରିବେ ଓ ବନ୍ଦ କରିପାରିବେ। ସେହିପରି ବିଭାଗ ମଧ୍ୟ ଚାହିଁଲେ ପାଣିକୁ ଯେ କୌଣସି ସ୍ଥାନରେ ହସ୍ତକ୍ଷେପ ନିୟନ୍ତ୍ରଣ କରିପାରିବ। କେବଳ ସେତିକି ନୁହେଁ, ଯେହେତୁ ପମ୍ପିଂ ମାଧ୍ୟମରେ ଏହି ଜଳଯୋଗାଣ କରାଯିବ, ଏଣୁ ପାଣିର ପ୍ରେସର ଅଧିକ ରହିବ ଓ ଅତିରୁ ଅତି ଢିପ ଜମିକୁ ମଧ୍ୟ ପାଣିମା଼଼ଡ଼ି ପାରିବ। ବରଗଡ ମୁଖ୍ୟ କେନାଲରୁ ୧୮ କିଲୋମିଟର ଯାଏ ଏକ ବଡ଼ ପାଇପ୍‌ (ପାଖାପାଖି ୨ମିଟର ମାଟି ତଳେ ବିଛାଯିବ) ଯୋଗେ ପାଣି ଦିଆଯିବ। ଏଣୁ କେବଳ ପମ୍ପ ହାଉସ୍‌ ଓ ଆଉଟ୍‌ ଲେଟ୍‌ ପାଇଁ ଜମି ଅଧିଗ୍ରହଣ କରାଯିବ।

ସବୁଠାରୁ ବଡ଼ କଥା ହେଉଛି, ସାଧାରଣତଃ କେନାଲମାନଙ୍କରେ ପାଣି ଯିବା ବେଳେ ୨୫ରୁ ୩୦% ଲିକେଜ୍‌ ଓ ବାଷ୍ପୀକରଣରେ ନଷ୍ଟ ହୋଇଥାଏ। ଅର୍ଥାତ୍‌ କେନାଲରେ ୧୯ହଜାର ହେକ୍ଟର ଜମି ପାଇଁ ଯେତିକି ପାଣି ଦରକାର, ସେତିକି ପାଣିରେ ଏହି ପ୍ରକଳ୍ପରେ ୨୫ହଜାର ହେକ୍ଟରକୁ ପର୍ଯ୍ୟାପ୍ତ ପାଣି ଯୋଗାଇ ଦିଆଯାଇପାରିବ। ଏଥିରେ ଲିକେଜ୍‌ ବା ବାଷ୍ପୀକରଣ ସୁଯୋଗ ନାହିଁ। ଯେହେତୁ ପାଣିକୁ ନିୟନ୍ତ୍ରଣ କରାଯିବାର ବ୍ୟବସ୍ଥା ରହିଛି, ଏଣୁ ଚାଷୀ ଚାହିଁଲେ କ୍ୟାସ୍‌ କ୍ରପ୍‌ ମଧ୍ୟ କରିପାରିବ ବୋଲି ଶ୍ରୀ ଜେନା କହିଥିଲେ।

ଉଲ୍ଲେଖଯୋଗ୍ୟ, ଚାଷ କ୍ଷେତ୍ରରେ ଆଗୁଆ ବରଗଡ଼ ଜିଲ୍ଲା ପାଇଁ ଏଭଳି ଜଳସେଚନ ପ୍ରକଳ୍ପର ଯଥେଷ୍ଟ ଗୁରୁତ୍ୱ ରହିଥିଲା। ପୂର୍ବରୁ ଏ ନେଇ ବାରମ୍ବାର ଆପତ୍ତି ଉଠୁଥିଲା। ଉପନିର୍ବାଚନ ଆଳରେ ମୁଖ୍ୟମନ୍ତ୍ରୀ ଏହି ଦାବି ପୂରଣ କରି ଲୋକଙ୍କ ମନ କିଣିବା ଲାଗି ଉଦ୍ୟମ କରିଛନ୍ତି। କେବଳ ସେତିକି ନୁହେଁ, ପୂର୍ବରୁ ବିଜେଡି ପ୍ରାର୍ଥୀ ଘୋଷଣା କରି ସାରିଛି। ଏବେ ତୃଣମୂଳସ୍ତରରେ ଦଳୀୟ ନେତାମାନେ ମାରାଥନ୍‌ ବୈଠକ କରି ସଂଗଠନ ସଜାଡୁଛନ୍ତି। ଏହି ଘୋଷଣାକୁ ଅସ୍ତ୍ର କରିବା ଲାଗି ନବୀନ ସୁଯୋଗ ସୃଷ୍ଟି କରିଛି। ଏମିତିରେ ବି ଆସନ୍ତା ୨୧ ତାରିଖ ମୁଖ୍ୟମନ୍ତ୍ରୀ ନିଜେ ବରଗଡ଼ ଯିବାର କାର୍ଯ୍ୟକ୍ରମ ରହିଛି। ସେଦିନ ସେଠାରେ ଏକ ବଡ଼ ସଭା କରାଯିବ। ଏହା ପୂର୍ବରୁ ଏଭଳି ନବୀନଙ୍କ ଘୋଷଣାକୁ ରାଜନୈତିକ ପର୍ଯ୍ୟବେକ୍ଷକ ମହଲ ବି ଗୁରୁତ୍ୱ ଦେଉଛନ୍ତି।

ସମ୍ବନ୍ଧିତ ଖବର