ବିଜେପୁରରେ ପ୍ରାର୍ଥୀ ଦେବ ଉତ୍କଳ ଭାରତ

ସମ୍ବଲପୁର: ବିଜେପୁର ଉପନିର୍ବାଚନରେ ଉତ୍କଳ ଭାରତ ପାର୍ଟି ପ୍ରାର୍ଥୀ ଦେବ। ଏଥି ପାଇଁ ଦଳ ପକ୍ଷରୁ ପ୍ରସ୍ତୁତି ଚାଲିଛି ବୋଲି ଉତ୍କଳ ଭାରତର ପ୍ରତିଷ୍ଠାତା ସଭାପତି ଖାରବେଳ ସ୍ୱାଇଁ ସୂଚନା ଦେଇଛନ୍ତି। ଶ୍ରୀ ସ୍ୱାଇଁ କହିଲେ, ବିଜେପୁରରେ ବର୍ତମାନ ଚାଲିଥିବା ଦଳ ବଦଳକୁ ନେଇ ବ୍ୟାପକ ଜନ ଅସନ୍ତୋଷ ସୃଷ୍ଟି ହୋଇଛି। ମୁଁ ନିଜେ ଗୋଟିଏ ରାଉଣ୍ଡ ଉକ୍ତ ନିର୍ବାଚନ ମଣ୍ଡଳୀରେ ବୁଲି ପ୍ରାୟ ୧୧ଟି ବୈଠକ କରିଥିଲା ବେଳେ ଆମ ଦଳର କର୍ମକର୍ତ୍ତାମାନେ ଆଉ ୨ ରାଉଣ୍ଡ ବୁଲି ସାରିଛନ୍ତି। ଲୋକଙ୍କ ମନୋଭାବକୁ ସମ୍ମାନ ଜଣାଇ ଆମେ ଅନ୍ୟ କୌଣସି ଦଳର ହୋଇ ନଥିବା ଜଣେ ଭଲ ଓ କାମିକା ବ୍ୟକ୍ତିଙ୍କୁ ପ୍ରାର୍ଥୀ କରିବୁ ବୋଲି ଶ୍ରୀ ସ୍ୱାଇଁ କହିଥିଲେ। ନିର୍ବାଚନର ଠିକ୍‌ ପୂର୍ବରୁ ଦଳବଦଳକୁ ବିରୋଧ କରି ସେ କହିଲେ ଏହା ସୁବିଧାବାଦୀ ରାଜନୀତି। ଏହାକୁ ବିରୋଧ କରି ଆମେ ନିର୍ବାଚନକୁ ଓହ୍ଲାଇବୁ। ଆମର ଲଢ଼େଇ ପ୍ରସଂଗ ଭିତ୍ତିକ ହେବ। ନିର୍ବାଚନ ଜିତିଲେ ଯାଇ ଲଢ଼ିବ ସେହି କଥାରେ ଆମେ ବିଶ୍ୱାସ କରୁ ନାହିଁ। ଯଦି କେବଳ ଜିତିବା ପ୍ରାର୍ଥୀ ଲଢ଼ନ୍ତେ ତାହେଲେ ନିର୍ବାଚନର ଆବଶ୍ୟକତା ହିଁ ପଡ଼ନ୍ତା ନାହିଁ ବୋଲି ନିଜ ପ୍ରାର୍ଥୀଙ୍କ ବିଜୟ ସମ୍ଭାବନା ସଂପର୍କିତ ପ୍ରଶ୍ନର ଉତ୍ତରରେ ସେ କହିଥିଲେ।
ରାଜ୍ୟର ତିନି ପ୍ରମୁଖ ଦଳ ସଂପର୍କରେ ମତ ଦେଇ ସେ କହିଲେ ବିଜେଡି ଓ ବିଜେପିର ଚରିତ୍ର ସମାନ। କଂଗ୍ରେସ ଦଳରେ କେହି ବିଶ୍ୱାସଯୋଗ୍ୟ ନୁହନ୍ତି। ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ସ୍ଥାପନକୁ କଟକର ଆଇନ୍‌ଜୀବୀମାନଙ୍କୁ ଛାଡ଼ି ଉପକୁଳ ଓଡ଼ିଶାର ବାକି ସମସ୍ତେ ସମର୍ଥନ କରନ୍ତି। ବିଭିନ୍ନ ଜିଲ୍ଲା ଭିତରେ ଥିବା ମତଭେଦକୁ ଆଳ କରି ସରକାର ଏହାକୁ ଟାଳି ପାରିବେ ନାହିଁ। ସବୁ ଜିଲ୍ଲାକୁ ମାସେ ସମୟ ଦିଆଯାଉ। ଯଦି ସର୍ବସମ୍ମତ ନିଷ୍ପତ୍ତି ନହେଲା ତାହେଲେ ସରକାର ବା ହାଇକୋର୍ଟ ମୁଖ୍ୟ ବିଚାରପତି ଯେଉଁଠି ସ୍ଥିର କରିବେ ସେଇଠି ବେଞ୍ଚ ସ୍ଥାପନ ହେଉ।

ସମ୍ବନ୍ଧିତ ଖବର