ବିଜେପୁରରେ ଭୋଟ୍‌ ଆଜି, କଡ଼ା ସୁରକ୍ଷା

ବରଗଡ଼/ଭୁବନେଶ୍ୱର : କିଛି ଦିନ ହେଲା ନିର୍ବାଚନୀ ଉଷ୍ଣତାରେ ବିଜେପୁର ନିର୍ବାଚନ ମଣ୍ଡଳୀ ଘେରି ହୋଇ ରହିଥିଲା। ତେବେ ବିଜେପୁର କାହାର, ଜନତା କାଲି ତା’ର ଫଇସଲା କରିବେ। ୨୮୧ ବୁଥ୍‌ରେ ସକାଳ ୮ରୁ ସଂଧ୍ୟା ୫ଟା ଯାଏଁ ମତଦାନ ହେବ। ନିର୍ବାଚନ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ହୋଇଛି। ଆଗରୁ କୌଣସି ନିର୍ବାଚନ ମଣ୍ଡଳୀରେ ଏଭଳି କଡ଼ା ସୁରକ୍ଷା ବ୍ୟବସ୍ଥା ହୋଇନଥିଲା ବୋଲି ପୃଥକ୍‌ ପୃଥକ୍‌ ଭାବେ ଉତ୍ତରାଂଚଳ ଆଇଜି ସୁଶାନ୍ତ ନାଥ, ଜିଲ୍ଲାପାଳ ଯାମିନୀ ଷଡ଼ଂଗୀ ଏବଂ ଏସ୍‌ପି ଜୟନାରାୟଣ ପଙ୍କଜ ସୂଚନା

ଦେଇଛନ୍ତି। ସୂଚନା ଅନୁସାରେ, ମୁକ୍ତ ଓ ଅବାଧ ନିର୍ବାଚନ ପାଇଁ ୧୨ଟି ସ୍ୱତନ୍ତ୍ର ସ୍କ୍ଵାଡ୍‌ ଗଠନ କରାଯାଇଛି। ବିଭିନ୍ନ ସ୍ଥାନରେ ସଶସ୍ତ୍ର ଯବାନ ଏବଂ ଏକ୍‌ଜିକ୍ୟୁଟିଭ ମାଜିଷ୍ଟ୍ରେଟ୍‌ ରହିବେ। ଏଥିପାଇଁ ବଲାଂଗୀର ଏବଂ ସମ୍ବଲପୁରରୁ ୮ ଲେଖାଏଁ, ନୂଆପଡ଼ାରୁ ୪ଜଣ ମାଜିଷ୍ଟ୍ରେଟ୍‌ ଆସିଛନ୍ତି। ସମସ୍ତ ପୁଲିଂ ପାର୍ଟ ସୁରକ୍ଷିତ ଭାବେ ବୁଥ୍‌କୁ ପହଂଚି ସାରିଛନ୍ତି। ଯେଉଁ ୧୨ଟି ହାଇସ୍କୁଲରେ ମାଟ୍ରିକ୍‌ ପରୀକ୍ଷା କେନ୍ଦ୍ର ଥିଲା, ଶୁକ୍ରବାର ସଂଧ୍ୟା ସୁଦ୍ଧା ସେଠାରେ ପୁଲିଂ ପାର୍ଟି ପହଂଚିଛନ୍ତି। ଏଥର ବ୍ୟାପକ ସଂଖ୍ୟାରେ ଫୋର୍ସ ମୁତୟନ ରହିବେ। ବିଏସ୍‌ଏଫ୍‌ ଏବଂ ସିଆର୍‌ପିଏଫ୍‌ର ୫ କମ୍ପାନୀ ଫୋର୍ସ ପହଂଚିଛନ୍ତି। ଗୋଟିଏ କମ୍ପାନୀ ସମ୍ବେଦନଶୀଳ ବୁଥ ଏବଂ ୪ କମ୍ପାନୀ ବିଭିନ୍ନ ଅଂଚଳରେ ମୋର୍ଚ୍ଚା ସମ୍ଭାଳିବେ। ୩୬ ପ୍ଲାଟୁନ ରାଜ୍ୟ ସଶସ୍ତ୍ର ପୁଲିସ୍‌ ମଧ୍ୟ ନିର୍ବାଚନ ଦାୟିତ୍ୱରେ ଅଛନ୍ତି। ପୂର୍ବରୁ ୭୯ଟି ବୁଥ୍‌ କ୍ରିଟିକାଲ୍‌ ବୋଲି ଚିହ୍ନଟ ହୋଇଥିଲା। ଏହି ସଂଖ୍ୟା ୧୫୫କୁ ବଢ଼ାଇ ଦିଆଯାଇଛି। ୩୦ ଜଣ ଆଇଆଇସି ଏବଂ ୧୫୦ଜଣ ଏସ୍‌ଆଇ ବାହାର ଜିଲ୍ଲାରୁ ଆସିଛନ୍ତି। ୪୦ଟି ମୋବାଇଲ ପାର୍ଟି ୫ଟି ଲେଖାଏଁ ବୁଥଓ୍ଵାରୀ ତଦାରଖ କରିବେ।

ଗୋଟିଏ ମୋବାଇଲ ପାର୍ଟିରେ ଜଣେ ଅଫିସର, ୫ଜଣ ସଶସ୍ତ୍ର ଯବାନ ଏବଂ ଜଣେ ଲେଖାଏଁ ଏକ୍‌ଜିକ୍ୟୁଟିଭ ମାଜିଷ୍ଟ୍ରେଟ୍‌ ରହିବେ। ୧୨ଟି ସ୍ଥାନରେ ଚେକ୍‌ ପୋଷ୍ଟରେ ନାକାବନ୍ଦୀ କରାଯାଉଛି। ଏହାବାଦ ୮ଟି ସ୍ୱତନ୍ତ୍ର ଷ୍ଟ୍ରାଇକିଂ ଫୋର୍ସ ମୁତୟନ ରହିଛନ୍ତି। ଗୋଟିଏ କମ୍ପାନୀ ଓଡ଼ିଶା ସ୍ୱିଫ୍ଟ ଫୋର୍ସ ମଧ୍ୟ ମୋର୍ଚ୍ଚାରେ ରହିବେ। ୧୫୫ଟି କ୍ରିଟିକାଲ୍‌ ବୁଥରୁ ୨୦ଟିରେ ଓ୍ଵବ କାଷ୍ଟିଂ, ୨୦ଟିରେ ଭିଡିଓ କାଷ୍ଟିଂ ଏବଂ ୪୦ଟିରେ ମାଇକ୍ରୋ ଅବଜର୍ଭର ରହିବେ। ମୋଟ୍‌ ୫୩ଜଣ ଏକ୍‌ଜିକ୍ୟୁଟିଭ୍‌ ମାଜିଷ୍ଟ୍ରେଟ୍‌ ଦାୟିତ୍ୱରେ ରହିବେ। ନିରପେକ୍ଷ ଏବଂ ଅବାଧ ନିର୍ବାଚନ ପାଇଁ ପ୍ରଶାସନ ସମସ୍ତଙ୍କ ସହଯୋଗ କାମନା କରିଛି। ସୂଚନାଯୋଗ୍ୟ, ଏଥର ମୋଟ୍‌ ୨,୨୧,୧୪୯ ଭୋଟର୍‌ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ। ଏଥିରୁ ଗାଇସିଲାଟ୍‌ରେ ୩୪,୯୨୮ ଏବଂ ୩୨,୭୧୩ ଜଣ, ବିଜେପୁରରେ ୪୧,୦୨୯ ଏବଂ ୩୭,୩୦୮, ବରପାଲିରେ ୩୧,୨୩୭ ଏବଂ ୨୭,୮୩୭ ଏବଂ ବରପାଲି ଏନ୍‌ଏସିରେ ୮,୨୨୩ ଏବଂ ୭,୮୫୫ ଜଣ ଯଥାକ୍ରମେ ପୁରୁଷ ଓ ମହିଳା ଭୋଟର୍‌ ଅଛନ୍ତି।

ଉପନିର୍ବାଚନକୁ ସୁରୁଖୁରୁରେ ପରିଚାଳନା କରିବା ପାଇଁ ଭାରତର ନିର୍ବାଚନ କମିସନ୍‌ କଡ଼ା ନଜର ରଖିଛନ୍ତି। ମତଦାନ କେନ୍ଦ୍ରଗୁଡ଼ିକରେ ପୋଲିଂ ଟିମ୍‌ ଇଭିଏମ୍‌ ଓ ଭିଭିପାଟ୍‌ ମେସିନ୍‌ ସବୁ ନେଇ ପହଞ୍ଚି ସାରିଛନ୍ତି। ସମ୍ବେଦନଶୀଳ ବୁଥ୍‌ଗୁଡ଼ିକରେ କେନ୍ଦ୍ରରୁ ଆସିଥିବା ମାଇକ୍ରୋ ଅବଜର୍ଭର୍‌ମାନେ ରହିବେ। ନିର୍ବାଚନ କମିସନ୍‌ଙ୍କ ପକ୍ଷରୁ ନିୟମିତ ଭାବେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସହ ଯୋଗାଯୋଗ କରାଯାଉଛି ଓ ସ୍ଥିତିର ସମୀକ୍ଷା କରାଯାଉଛି। ଉପନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ସଭାରେ ଚପଲ ଫିଙ୍ଗାଯିବା ଓ ଗତକାଲି ସୋହେଲାରେ ଘଟିଥିବା ଗୁଳିକାଣ୍ଡ ପରିପ୍ରେକ୍ଷୀରେ ଅତିରିକ୍ତ ସୁରକ୍ଷା ବନ୍ଦୋବସ୍ତ କରିବା ପାଇଁ ନିର୍ବାଚନ ଅଧିକାରୀଙ୍କୁ କୁହାଯାଇଛି। ବିଶେଷ କରି ମାଇକ୍ରୋ ଅବଜର୍ଭର୍‌ ଓ ପାରାମିଲିଟାରି ଫୋର୍ସ ମୁତୟନ ମାମଲାରେ ଆଦୌ କୋହଳ ନ ହେବା ପାଇଁ ନିର୍ବାଚନ କମିସନ୍‌ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର