ବିଧାୟକଙ୍କ ମୃତ୍ୟୁ ପରେ ଶୁଣାଣି ଚାଲିବା ପ୍ରସଂଗରେ ଶୁଣାଣି ଶେଷ, ରାୟ ସଂରକ୍ଷିତ

ହାଇକୋର୍ଟରେ ବିଜେପୁର ନିର୍ବାଚନୀ ମାମଲା

କଟକ : ବିଧାୟକ ସୁବଳ ସାହୁଙ୍କ ପରଲୋକ ପରେ ବିଜେପୁର ନିର୍ବାଚନ ଅନିୟମିତତା ମାମଲାର ଅନ୍ତ ଘଟିବ ନା ଶୁଣାଣି ଚାଲୁ ରହିବ ସେ ପ୍ରସଂଗରେ ଆଜି ହାଇକୋର୍ଟରେ ଶୁଣାଣି ଶେଷ ହୋଇଛି। ରାୟ ସଂରକ୍ଷିତ ରହିଛି। ଜଷ୍ଟିସ ଦେବବ୍ରତ ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠରେ ୨୦୧୪ରେ ବିଜେପୁର ବିଧାନସଭା ଆସନରୁ ପରାଜିତ ପ୍ରାର୍ଥୀ ପ୍ରସନ୍ନ ଆଚାର୍ଯ୍ୟଙ୍କ ପକ୍ଷରୁ ଦାୟର ନିର୍ବାଚନୀ ମାମଲାର ଆଜି ଶୁଣାଣି ହୋଇଥିଲା। ଗତ ୯ ତାରିଖ ଦିନ ପ୍ରତିପକ୍ଷ ସ୍ୱର୍ଗତ ବିଧାୟକ ସୁବଳ ସାହୁଙ୍କ ମୃତ୍ୟୁ ପ୍ରମାଣପତ୍ର ହାଇକୋର୍ଟରେ ଦାଖଲ ହୋଇଥିଲା। ମାମଲାର ଏକ ମାତ୍ର ପ୍ରତିପକ୍ଷ ସୁବଳ ସାହୁଙ୍କ ମୃତ୍ୟୁ ପରେ ନିର୍ବାଚନୀ ମାମଲା ବନ୍ଦ୍‌ ନ କରି ଶୁଣାଣି ଚାଲୁ ରହିବା ସପକ୍ଷରେ ଶ୍ରୀ ଆଚାର୍ଯ୍ୟଙ୍କ ପକ୍ଷରୁ ଯୁକ୍ତି ଦର୍ଶାଯାଇଥିଲା।

ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟ ଦର୍ଶାଇଥିଲେ ଯେ ବିଜୟୀ ପ୍ରାର୍ଥୀଙ୍କ ମୃତ୍ୟୁ ପରେ ନିର୍ବାଚନୀ ମୋକଦ୍ଦମା ଆପେ ଆପେ ବନ୍ଦ ହୋଇ ଯାଏ ନାହିଁ। ପ୍ରତିପକ୍ଷଙ୍କ ପରଲୋକ ପରେ ଜନ ପ୍ରତିନିଧି ଆଇନର ଧାରା ୧୧୬ ଅନୁସାରେ ପଦକ୍ଷେପ ଗ୍ରହଣ କରାଯାଇ ନିର୍ବାଚନୀ ମୋକଦ୍ଦମାର ଶୁଣାଣି ହୋଇ ପାରିବ। ସେ ନିଜ ଯୁକ୍ତି ସପକ୍ଷରେ ୧୯୬୯ ଓ ୧୯୭୫ ମସିହାରେ ସୁପ୍ରିମକୋର୍ଟଙ୍କ ପ୍ରଦତ୍ତ ରାୟ ରହିଥିବା ଦର୍ଶାଇଥିଲେ। ଅନ୍ୟପକ୍ଷରେ ପ୍ରତିପକ୍ଷଙ୍କ ତରଫରୁ ମୋକଦ୍ଦମା ପରିଚାଳନା କରୁଥିବା ବରିଷ୍ଠ ଆଇନଜୀବୀ ବିଦ୍ୟାଧର ମିଶ୍ର ଦର୍ଶାଇଥିଲେ ଯେ ଏହି ନିର୍ବାଚନୀ ମୋକଦ୍ଦମାରେ କେବଳ ବିଧାୟକ ସୁବଳ ସାହୁ ପ୍ରତିପକ୍ଷ ରହିଥିଲେ। ନିର୍ବାଚନରେ ପ୍ରତିନ୍ଦ୍ୱନ୍ଦ୍ୱିତା କରିଥିବା ଅନ୍ୟ ପ୍ରାର୍ଥୀଙ୍କୁ ମାମଲାରେ ପକ୍ଷଭୁକ୍ତ କରାଯାଇ ନଥିଲା। ଏଥି ସହିତ ନିର୍ବାଚନୀ ମୋକଦ୍ଦମାରେ ସୁବଳ ସାହୁଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା ପାଇଁ ନିବେଦନ କରାଯାଇଥିଲା।

ଏପରି ପରିସ୍ଥିତିରେ ଏକମାତ୍ର ପ୍ରତିପକ୍ଷଙ୍କ ମୃତ୍ୟୁ ପରେ ନିର୍ବାଚନୀ ମୋକଦ୍ଦମା ଚାଲିବାର କୌଣସି ପ୍ରାସଂଗିକତା ନାହିଁ। ଜନ ପ୍ରତିନିଧି ଆଇନର ଧାରା ୧୫୦ରେ ବିଧାନସଭା ଆସନରେ କାଜୁଆଲ ଭାକାନ୍ସି ପ୍ରସଂଗରେ ଉଲ୍ଲେଖ ହୋଇଛି। ସେହିଭଳି ଭାବେ ଧାରା ୧୫୧-କରେ ୬ ମାସ ଭିତରେ କାଜୁଆଲ ଭାକାନ୍ସି ପୂରଣ ପାଇଁ ଉପନିର୍ବାଚନ କରାଯିବା କଥା। ବିଧାୟକଙ୍କ ମୃତ୍ୟୁ ପରେ ବିଜେପୁରରେ କାଜୁଆଲ ଭାକାନ୍ସି ସୃଷ୍ଟି ହୋଇଛି ଓ ୬ ମାସ ଭିତରେ ଉପନିର୍ବାଚନ କରାଯିବାରେ ବାଧା ନାହିଁ ବୋଲି ଶ୍ରୀ ମିଶ୍ର ଦର୍ଶାଇଥିଲେ। ଆଜି ଉଭୟ ପକ୍ଷଙ୍କ ଯୁକ୍ତି ଉପସ୍ଥାପନ ଶେଷ ହୋଇଥିବା ବେଳେ ଖଣ୍ଡପୀଠ ରାୟ ସଂରକ୍ଷିତ ରଖିଛନ୍ତି। ବରିଷ୍ଠ ଆଇନଜୀବୀ ଶ୍ରୀ ମିଶ୍ରଙ୍କୁ ଆଇନଜୀବୀ ତରଣୀକାନ୍ତ ବିଶ୍ୱାଳ ଓ ପୁଷ୍ପରାଜ ଭରଦ୍ୱାଜ ମାମଲା ପରିଚାଳନାରେ ସହାୟତା କରୁଥିଲେ।

ଏଠାରେ ସୂଚନା ଯୋଗ୍ୟ ଯେ ୨୦୧୪ ବିଧାନସଭା ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ସୁବଳ ସାହୁ ଜିତିବା ପରେ ପରାଜିତ ପ୍ରାର୍ଥୀ ତଥା ବିଜେଡି ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇ ଥିଲେ। ଏହି ନିର୍ବାଚନକୁ ଅସିଦ୍ଧ ଘୋଷଣା କରିବା ପାଇଁ ସେ ନିବେଦନ କରି ମାମଲା ରୁଜୁ କରିଥିଲେ। ଏହି ମାମଲା ବିଚାରାଧୀନ ଥିବା ବେଳେ ବିଧାୟକଙ୍କ ମୃତ୍ୟୁ ହୋଇଛି। ବିଜେପୁର ଉପନିର୍ବାଚନକୁ ନେଇ ପ୍ରମୁଖ ରାଜନୈତିକ ଦଳ ଜୋରଦାର ସମରସଜ୍ଜା ଚଳାଇଥିବା ବେଳେ ହାଇକୋର୍ଟଙ୍କ ରାୟ ଉପରେ ଉପନିର୍ବାଚନ ପାଇଁ ତାରିଖ ଘୋଷଣା ନିର୍ଭର କରେ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର