ବରଗଛ ଚିହ୍ନରେ ବିନୋଦ! ନିର୍ବାଚନୀ ପରାଜୟରୁ ଜନ୍ମନେଲା ‘ଜ୍ଞାନମଣ୍ଡଳ’ ପରି ଅମୂଲ୍ୟ ନିଧି

ଭୋଟ ପେଡ଼ିର ପୁରୁଣା କଥା-୧୫/ ସ୍ମରାଜ ମିଶ୍ର

0

‘ଜ୍ଞାନମଣ୍ଡଳ’ର ପ୍ରଣେତା ପଦ୍ମଶ୍ରୀ ବିନୋଦ କାନୁନ୍‌ଗୋଙ୍କୁ କିଏ ବା ନ ଜାଣେ? ସେ ନିଜେ ଥିଲେ ଜ୍ଞାନର ବରଗଛଟିଏ। ଦେଶର ସାଧାରଣ ଲୋକେ କିପରି ଜ୍ଞାନର ଶକ୍ତିକୁ ବ୍ୟବହାର କରି ଆଗକୁ ବଢ଼ିବେ ସେଥିପାଇଁ ସେ ନିଜ ଜୀବନକୁ ଉତ୍ସର୍ଗ କରିଯାଇଛନ୍ତି। କେବଳ ଅକ୍ଷର ଶିକ୍ଷା କରିଥିବା ସାଧାରଣ ଲୋକଟିଏ ବୁଝିପାରିଲା ଭଳି ଭାଷାରେ ଜ୍ଞାନ ବିଜ୍ଞାନର ଅନେକ କଥାକୁ ସେ ଜ୍ଞାନମଣ୍ଡଳରେ ଲିପିବଦ୍ଧ କରିଯାଇଛନ୍ତି। ନବମ ଶ୍ରେଣୀରୁ ପାଠପଢ଼ା ଛାଡ଼ି ସ୍ୱାଧୀନତା ଆନ୍ଦୋଳନରେ ଝାସ ଦେଇଥିବା ବିନୋଦ କାନୁନଗୋ ନିର୍ବାଚନ ରାଜନୀତିରେ ମଧ୍ୟ ଅଂଶଗ୍ରହଣ କରିଥିଲେ ଏବଂ ସୋସାଲିଷ୍ଟ ପାର୍ଟିର ପ୍ରାର୍ଥୀ ହିସାବରେ ତାଙ୍କର ନିର୍ବାଚନର ଚିହ୍ନ ଥିଲା ‘ବରଗଛ’।

୧୯୧୨ ଜୁନ୍‌ ୬ ତାରିଖରେ କଟକ ଜିଲ୍ଲାର ମଲ୍ଲୀପୁର ଗ୍ରାମରେ ଜନ୍ମନେଇଥିବା ବିନୋଦ କାନୁନଗୋ ମାତ୍ର ଚାଳିଶ ବର୍ଷ ବୟସରେ କିଶନନଗର ନିର୍ବାଚନମଣ୍ଡଳିରୁ ସୋସାଲିଷ୍ଟ ପାର୍ଟିର ଟିକେଟରେ ୧୯୫୨ ବିଧାନସଭା ନିର୍ବାଚନ ଲଢ଼ିଥିଲେ। ତାଙ୍କ ବିପକ୍ଷରେ ଥିଲେ କଂଗ୍ରେସ ଦଳର ଟାଣୁଆ ନେତା ରାଜକୃଷ୍ଣ ବୋଷ।

ବିନୋଦ କାନୁନଗୋ ( ଫ୍ଲିକର)

ନିର୍ବାଚନ ଲଢ଼େଇ ବେଶ୍‌ ଜମିଥିଲା। ରାଜକୃଷ୍ଣ ବୋଷ ଓ ବିନୋଦ କାନୁନଗୋଙ୍କ ଛଡ଼ା ଆଉ ଜଣେ ସ୍ୱାଧୀନପ୍ରାର୍ଥୀ ବିଶ୍ୱନାଥ ନନ୍ଦ ମଧ୍ୟ ଏହି ନିର୍ବାଚନରେ ପ୍ରତିଦ୍ଵନ୍ଦ୍ୱିତା କରୁଥାଆନ୍ତି। ପ୍ରଚାର ସମୟରେ ସ୍ୱଭାବସୁଲଭ ଭଙ୍ଗୀରେ ବିନୋଦ ବାବୁ ଏକ ଛୋଟ ପୁସ୍ତିକା ଲେଖି ବାଣ୍ଟିଲେ। ପୁସ୍ତିକାଟିର ନାମ- ‘ଆମେ ଭୋଟ ଦେବା କାହିଁକି?’ସାବାଳକ ଭୋଟ ପଦ୍ଧତିରେ ସ୍ୱାଧୀନ ଭାରତରେ ଅନୁଷ୍ଠିତ ହେଉଥିବା ଏହି ପ୍ରଥମ ସାଧାରଣ ନିର୍ବାଚନରେ ଏହା ଥିଲା ବିନୋଦ ବାବୁଙ୍କର ଲୋକଶିକ୍ଷା ପାଇଁ ଏକ ପ୍ର୍ରୟାସ।

କିଶନନଗରରେ ନିର୍ବାଚନ ପ୍ରଚାର ପାଇଁ ସୋସାଲିଷ୍ଟ ନେତା ଜୟପ୍ରକାଶ ନାରାୟଣ, ପତ୍ନୀ ପ୍ରଭାବତୀ ଦେବୀଙ୍କୁ ସାଙ୍ଗରେ ଧରି ସ୍ଥାନୀୟ ଅଳକାତୋଟାରେ ନିର୍ବାଚନୀ ସଭା କରିଥିଲେ। ଗାଁ ଗାଁରେ ବିନୋଦ ବାବୁଙ୍କର ପ୍ରତି ସାଧାରଣ ଲୋକଙ୍କର ସ୍ୱତସ୍ଫୂର୍ତ୍ତ ସମର୍ଥନ ମିଳୁଥିବାରୁ ତାଙ୍କ କର୍ମୀମାନେ ମଧ୍ୟ ବେଶ୍‌ ଉତ୍ସାହିତ ଥାଆନ୍ତି। ଏକ ପକ୍ଷରେ ଉତ୍ସାହୀ ଆଦର୍ଶବାଦୀ ଯୁବଗୋଷ୍ଠୀ, ଅନ୍ୟ ପକ୍ଷରେ ଅଭିଜ୍ଞ ଓ କୁଶଳୀ ରାଜନେତା ରାଜକୃଷ୍ଣ ବାବୁ। ପରିଶେଷରେ ରାଜକୃଷ୍ଣ ବୋଷ ହିଁ ୨୪୧୫ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହେଲେ। ବିନୋଦ କାନୁନଗୋ ୧୧୪୬୮ ଭୋଟ ପାଇଥିଲା ବେଳେ ରାଜକୃଷ୍ଣ ବୋଷ ପାଇଥିଲେ ୧୩୮୮୩ ଖଣ୍ଡ ଭୋଟ୍‌।

ଏହି ନିର୍ବାଚନ ହାରିବା ପରେ ବିନୋଦ କାନୁନଗୋ ସବୁଦିନ ପାଇଁ ରାଜନୀତି ଛାଡ଼ିଦେବା ପାଇଁ ନିଷ୍ପତ୍ତି ନେଲେ। ତାଙ୍କର ଏହି ସମୟର ମାନସିକ ସ୍ଥିତିକୁ ବଡ଼ ଚମତ୍କାର ଭାବରେ ଉପସ୍ଥାପିତ କରିଛନ୍ତି କଥାକାର ସୁରେନ୍ଦ୍ର ମହାନ୍ତି, ବିନୋଦବାବୁଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଉପଲକ୍ଷେ ପ୍ରକାଶିତ ‘ସ୍ମାରକୀ ଗ୍ରନ୍ଥ’ରେ।

ଇଂରାଜୀ ସାପ୍ତାହିକ ‘ଅବଜରଭର’ର ଅଫିସରେ ସମ୍ପାଦକ ମଧୁ ମହାନ୍ତିଙ୍କ ସହ ବିନୋଦ ବାବୁ କଥା ହେଉଥାନ୍ତି। ମଧୁ ମହାନ୍ତି କହିଲେ, ‘‘ଭାଙ୍ଗି ପଡ଼ନାହିଁ ବିନୋଦ…, ସେଇ କିଶନନଗରରେ ପୁଣି ଲାଗିପଡ଼।’’ ବିନୋଦ ବାବୁ କିଛି ସମୟ ନିରବରେ ଗୋଟିଏ କାଚ ପେପର ୱେଟ୍‌କୁ ହାତରେ ଧରି ତାକୁ କେବଳ ଏ ହାତରୁ ସେ ହାତ, ସେ ହାତରୁ ଏ ହାତ କରିବାରେ ଲାଗିଲେ। ଯେପରି ସେ ଗଭୀର ଭାବରେ କ’ଣ ଗୋଟାଏ ଚିନ୍ତା କରୁଥିଲେ। ଏପରି କେତୋଟି ମୁହୂର୍ତ୍ତ କଟିଯିବା ପରେ ବିନୋଦ ବାବୁ କହିଲେ, ‘‘ମୁ କିନ୍ତୁ ସ୍ଥିର କରିଛି, ଏହା ପରେ ରାଜନୀତି ଛାଡ଼ିଦେବି।’’ ‘‘କରିବ କ’ଣ ?’’ ମଧୁବାବୁ ପଚାରିଲେ। ବିନୋଦ ବାବୁ ଉତ୍ତର ଦେଲେ, ‘‘ମୁଁ ସ୍ଥିର କରିଛି, ଓଡ଼ିଆରେ ଗୋଟିଏ ‘ଏନ୍‌ସାଇକ୍ଲୋପେଡ଼ିଆ’ ସଂକଳନ କରିବି।’’

ନିର୍ବାଚନ ଲଢ଼େଇରେ ବିନୋଦ କାନୁନଗୋ ହାରିଗଲେଏବଂ ରାଜନୀତିରୁ ମନ ଫେରାଇନେଲେ। ବିଧାନସଭା ତାଙ୍କ ଭଳି ଜଣେ ଜ୍ଞାନବୃକ୍ଷଙ୍କୁ ହରାଇଲା। କିନ୍ତୁ ଆମ ସମସ୍ତଙ୍କର ସୌଭାଗ୍ୟ, ଆମେ ପାଇଲେ ‘ଜ୍ଞାନମଣ୍ଡଳ’ ପରି ଏକ ଅମୂଲ୍ୟ ନିଧି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.