ସତ ଓଗାଳିଲେ ବିଶ୍ୱଭୂଷଣ

ଭୁବନେଶ୍ୱର : ମେଣ୍ଟରେ ବିଜେଡି-ବିଜେପି ଶାସନ କରିଥିଲେ ୯ବର୍ଷ। ହେଲେ ଗତ ୪ ବର୍ଷ ଧରି ରାଜ୍ୟ ବିଜେପି ସରକାର ସେ ସମୟର ସବୁ ଦାୟିତ୍ୱ ଝାଡି ଦେଉଥିଲା କେବଳ ବିଜେଡି ଉପରେ। ଏହାକୁ ନେଇ ଉଭୟ ଦଳ ଅନେକ ବାର ମୁହାଁମୁହିଁ ହୋଇଛନ୍ତି। ଆଜି କିନ୍ତୁ ବିଜେପି ନେତା ବିଶ୍ୱଭୂଷଣ ହରିଚନ୍ଦନ ଏହି ପ୍ରସଙ୍ଗରେ ଚାଞ୍ଚଲ୍ୟକର ମନ୍ତବ୍ୟ ଦେଇଛନ୍ତି।

କନକ ନ୍ୟୁଜ୍‌କୁ ଏକ ସ୍ୱତନ୍ତ୍ର ସାକ୍ଷାତକାର ଦେବା ବେଳେ ଶ୍ରୀ ହରିଚନ୍ଦନ ସିଧା ସିଧା କହିଛନ୍ତି, ଯଦି ମେଣ୍ଟ ସରକାର ସମୟରେ ବିଜେପି କୌଣସି ଭୁଲ୍‌ କରିଥାଏ, ତେବେ ଦଳ ସେଥିପାଇଁ ଦାୟୀ ରହିବ। ଏପରିକି ଇଚ୍ଛାଧୀନ କୋଟା ଆବଣ୍ଟନ କେଳେଙ୍କାରୀ ହେଉ କି ଅନ୍ୟ କୌଣସି ଦୋଷ ତ୍ରୁଟି ହୋଇଥିଲେ ସଂପୃକ୍ତ ମନ୍ତ୍ରୀ ଏଥିପାଇଁ ଦାୟିତ୍ୱ ମୁଣ୍ଡାଇବେ। ଏହି ଅବସରରେ ସେ ନବୀନଙ୍କୁ ଖୋଲା ପ୍ରଶଂସା ମଧ୍ୟ କରିଛନ୍ତି। କିଛି ବର୍ଷ ତଳେ ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଖୋଲା ପ୍ରଶଂସା କରିଥିଲେ।

ବିଶ୍ୱଭୂଷଣଙ୍କ ଏଭଳି ମନ୍ତବ୍ୟକୁ ତତ୍କାଳ ସ୍ୱାଗତ କରିଛି ବିଜେଡି। ହେଲେ ବିଜେପି ଶିବିରରେ କିନ୍ତୁ ଏହା ଆଲୋଡ଼ନ ସୃଷ୍ଟି କଲାଣି। ମେଣ୍ଟ ସରକାରରେ ଥିବା ମନ୍ତ୍ରୀମାନେ ଏବେ ଅକଳରେ ପଡିଯାଇଛନ୍ତି। କାରଣ ସେ ସମୟର ସବୁ ବଡ଼ କେଳେଙ୍କାରି ନେଇ ଏବେ ସେମାନଙ୍କ ଉପରେ ଆଙ୍ଗୁଠି ଉଠିବ। କେବଳ ସେତିକି ନୁହେଁଁ, ଦଳର ଆଜି ଦିନର ତଥାକଥିତ ପ୍ରଭାବଶାଳୀ ନେତା, ଯେଉଁମାନେ ସରକାରର ୯ବର୍ଷର ମେଣ୍ଟ ଶାସନ କଥା ଗିଳି ବିଜେଡିକୁ ଆକ୍ରମଣ କରି ଚାଲିଥିଲେ, ସେମାନଙ୍କୁ ବି ଜବରଦସ୍ତ ଝଟ୍‌କା ଲାଗିଛି।
ଶ୍ରୀ ହରିଚନ୍ଦନ ତାଙ୍କ ସାକ୍ଷାତକାରରେ ନିଜ ଜୀବନୀ ଲେଖୁଥିବା ସଂପର୍କରେ ସୂଚାଇଛନ୍ତି। କହିଛନ୍ତି, ମେଣ୍ଟ ସରକାରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ତାଙ୍କର ଭଲସଂପର୍କ ଥିଲା। ମୁଁ ତାଙ୍କୁ ବହୁ ପରାମର୍ଶ ବି ଦେଇଛି। ନବୀନ ପଟ୍ଟନାୟକ ଜଣେ ଭଲ ମଣିଷ ଓ ତାଙ୍କର କଥାବାର୍ତା ଓ ଆଚାର ବ୍ୟବହାର ବହୁତ ଭଲ।

ମୁଖ୍ୟମନ୍ତ୍ରୀ ଆଜି ଅନେକ ଭୁଲ ନିଷ୍ପତ୍ତି ନେଉଛନ୍ତି ଓ ପ୍ରଶାସକଙ୍କ ଉପରେ ଅଧିକ ନିର୍ଭରଶୀଳ ହୋଇପଡୁଛନ୍ତି ବୋଲି ସୂଚାଇ ବିଶ୍ୱଭୂଷଣ କହିଛନ୍ତି, ୯ ବର୍ଷ ଭାଗୀଦାରି ଶାସନରେ ନବୀନଙ୍କ ଅନେକ ନିଷ୍ପତ୍ତିରେ ସେ ହସ୍ତକ୍ଷେପ କରିଛନ୍ତି।

୮୩ ବର୍ଷ ବୟସରେ ବି ସେ ସକ୍ରିୟ ଅଛନ୍ତି। ହେଲେ ନିର୍ବାଚନ ଲଢିବାକୁ ଆଶା ନାହିଁ ବୋଲି ବିଶ୍ୱଭୂଷଣ କହିଛନ୍ତି। କହିଛନ୍ତି, ଜୀବନ ସାରା ସେ ଲଢିଆସିଛନ୍ତି। ଗତ ନିର୍ବାଚନରେ ମଧ୍ୟ ତାଙ୍କୁ ଲଢିବାକୁ ଚାପ ପକାଯାଇଥିଲା। ସେଥିପାଇଁ ଲଢିଥିଲେ। ଏ ସଂପର୍କରେ ପ୍ରତିକ୍ରିୟା ଦେଇ ବିଜେଡି ମୁଖପାତ୍ର ପ୍ରତାପ ଦେବ କହିଛନ୍ତି, ଗତ ବର୍ଷମାନଙ୍କରେ ବିଜେପି ମୁଖପାତ୍ରମାନେ ୧୮ ବର୍ଷର କୁଶାସନ କଥା କହି ଏଥିପାଇଁ କେବଳ ନବୀନ ପଟ୍ଟନାୟକଙ୍କୁ ଦାୟୀ କରିଚାଲିଥିଲେ। ହେଲେ ସେମାନେ ଯେ ଏ ମଧ୍ୟରେ ୯ବର୍ଷ ସରକାରରେ ରହି ଶାସନ କରିଛନ୍ତି, ଭୁଲିଯାଇଥିଲେ। ଏବେ ବିଶ୍ୱଭୂଷଣ ହରିଚନ୍ଦନ ସତ କଥା କହିଛନ୍ତି। ଏକଥା ବିଜେପି ନେତାମାନଙ୍କର ଗତ ୪ବର୍ଷର ଆଭିମୁଖ୍ୟକୁ ପଦାରେ ପକାଇ ଦେଇଛି।

ସମ୍ବନ୍ଧିତ ଖବର