ବିଜେପିର ମିଶ୍ରଣ ପର୍ବ : ୩ ଜିଲ୍ଲାର ବିଜେଡି, କଂଗ୍ରେସ କର୍ମୀ ମିଶିଲେ

ଭୁବନେଶ୍ୱର : ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଏକ ମିଶ୍ରଣ ପର୍ବ ଆଜି ଅନୁଷ୍ଠିତ ହୋଇଯାଇଛି। ମୟୂରଭଞ୍ଜ, ଯାଜପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାର ଶତାଧିକ ବିଜେଡି ଓ କଂଗ୍ରେସ ଦଳର ନେତା ଓ କର୍ମୀ ବିଜେପିରେ ସାମିଲ୍‌ ହୋଇଥିଲେ। କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା ଓ ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓଙ୍କ ଉପସ୍ଥିତିରେ ଏହି ନେତାମାନେ ବିଜେପିରେ ଯୋଗ ଦେଇଥିଲେ।

କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ କହିଥିଲେ, ଏହି ମିଶ୍ରଣ ପର୍ବ ହେଉଛି ଓଡ଼ିଶାର ନୂଆ ରାଜନୈତିକ ଧ୍ରୁବିକରଣର ପ୍ରତିଫଳନ। ଏହା ଦ୍ୱାରା ବିଜେପି ତୃଣମୂଳ ସ୍ତରରେ ଅଧିକ ମଜବୁତ୍‌ ହେବ। ଏକ ନୂଆ ଓଡ଼ିଶା ଗଠନରେ ଏହା ସହାୟକ ହେବ।

ମିଶ୍ରଣ ପର୍ବରେ ମୟୂରଭଞ୍ଜ ଜିଲ୍ଲାର ପୂର୍ବତନ ଜିଲ୍ଲା ପରିଷଦ ସଭାପତି ପ୍ରକାଶ ସୋରେନ୍‌, ଖୁଣ୍ଟା ବ୍ଲକ୍‌ର ପୂର୍ବତନ ଅଧ୍ୟକ୍ଷ ଦଶରଥ ବସ୍କି, ପୂର୍ବତନ ସରପଞ୍ଚ ସମରାୟ ଟୁଡ଼ୁ, ବିଜୟ ହାଁସଦାଙ୍କ ସମେତ ବିଭିନ୍ନ ପଞ୍ଚାୟତର ଶତାଧିକ କର୍ମୀ ବିଜେଡି ଛାଡ଼ି ବିଜେପିରେ ସାମିଲ୍‌ ହୋଇଥିଲେ। ଯାଜପୁର ଜିଲ୍ଲାର ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଦିଲ୍ଲୀପ କୁମାର ରାଉତ, ପୂର୍ବତନ ସରପଞ୍ଚ ବିଜୟାନନ୍ଦ ବଳ, ବିଭୂତି ମଲ୍ଲିକ, ହଳଧର କୁଣ୍ଡୁ, ପୂର୍ଣ୍ଣଚନ୍ଦ୍ର ନାଥ, ରବୀନ୍ଦ୍ର ରାଉତଙ୍କ ସମେତ ଶତାଧିକ କର୍ମୀ ବିଜେପିରେ ଯୋଗ ଦେଇଥିଲେ। କେନ୍ଦ୍ରାପଡ଼ା ପୌରପାଳିକାର ପୂର୍ବତନ ଅଧ୍ୟକ୍ଷ ପ୍ରବୀର କୁମାର ମହାନ୍ତି, ବିବେକାନନ୍ଦ ଦାସ, ଅଜୟ କୁମାର ବେଉରା, ନବଜ୍ୟୋତି ରାୟ, ଜେନାମଣି ଜୟପ୍ରକାଶ, ଜଗନ୍ନାଥ ଦାଶ, ପପ୍ପୁ ସେଠୀ, ଗୌରାଙ୍ଗ ଦାଶଙ୍କ ସମେତ ବହୁ କଂଗ୍ରେସ ଓ ବିଜେଡି କର୍ମୀ ବିଜେପିରେ ସାମିଲ୍‌ ହୋଇଥିଲେ। ସବୁ ନେତାଙ୍କୁ ବିଜେପି ଉତ୍ତରୀୟ ଓ ଟୋପି ପିନ୍ଧାଯାଇ ସ୍ୱାଗତ କରାଯାଇଥିଲା।

ସମ୍ବନ୍ଧିତ ଖବର