ଜବତ ଟଙ୍କାକୁ ନେଇ କାଦୁଅଫିଙ୍ଗା

ବିଜେଡି ଓ ବିଜେପି ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ
ଉଭୟ ପରସ୍ପର ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କଲେ
ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ରିପୋର୍ଟ ଦେଲେ ବରଗଡ ଏସ୍‌ପି

ଭୁବନେଶ୍ୱର : ପଦ୍ମପୁରରେ ପୁଲିସ ଗତକାଲି ଜବତ କରିଥିବା ୪୦ ଲକ୍ଷ ୫୦ ହଜାର ଟଙ୍କାକୁ ନେଇ ରାଜନୀତି ଜମିଲାଣି। ବାସ୍ତବରେ ଏହି ଟଙ୍କା କାହାର ସେ ନେଇ ବିଜେଡି ଓ ବିଜେପି ମଧ୍ୟରେ କାଦୁଅ ଫିଙ୍ଗା ଜାରି ରହିଛି। ଉଭୟ ଦଳ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ଦ୍ୱାରସ୍ଥ ହୋଇ ପରସ୍ପର ବିରୋଧରେ ଫେରାଦ ହୋଇଛନ୍ତି।

ଅନ୍ୟପଟେ ଆଜି ବରଗଡ଼ ଏସ୍‌ପି ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଚିଠି ଲେଖି ଟଙ୍କା ଜବତ ସଂପର୍କରେ ଅବଗତ କରାଇଛନ୍ତି। ଦର୍ଶାଇଛନ୍ତି, ଏହି ଟଙ୍କା ବିଜେପି ସପକ୍ଷରେ ପ୍ରଚାର ପାଇଁ ଯାଉଥିଲା। ଏହି ଘଟଣାରେ ଗିରଫ ଆକାଶ ଅଗ୍ରଓ୍ଵାଲ ପୁଲିସ ନିକଟରେ ଏହା ସ୍ୱୀକାର କରିଥିବା ଏସ୍‌ପି ସୂଚନା ଦେଇଛନ୍ତି।

ତେବେ ନିର୍ବାଚନ ପୂର୍ବରୁ ଏତେ ପରିମାଣର ଟଙ୍କା ଜବତ ହେବା ଓ ବିଜେପି ଭୂମିକା ପଦାକୁ ଆସିବା ଘଟଣା ରାଜ୍ୟ ରାଜନୀତିରେ ଚର୍ଚ୍ଚାର ଖୋରାକ ଯୋଗାଇଛି। ସ୍ୱାଭାବିକ ଭାବେ ବିଜେପୁର ନିର୍ବାଚନମଣ୍ଡଳୀରେ ଏହାର ପ୍ରଭାବ ପଡ଼ିପାରେ ବୋଲି ରାଜନୈତିକ ପର୍ଯ୍ୟବେକ୍ଷକ ମହଲ ଅନୁମାନ କରୁଛନ୍ତି।

ଟଙ୍କା ଜବତ ପ୍ରସଙ୍ଗରେ ଆଜି ପ୍ରଥମେ ବିଜେପି ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇଥିଲା। ଏକ ସ୍ମାରକପତ୍ର ଦେଇ ବିଜେପି ପ୍ରତିନିଧିମାନେ ଅଭିଯୋଗ କରିଥିଲେ ଯେ ଜନମତକୁ ବିଭ୍ରାନ୍ତ କରିବା ପାଇଁ ଶାସକ ବିଜେଡି ବ୍ୟାପକ ମାତ୍ରାରେ କଳାଟଙ୍କାର ବ୍ୟବହାର କରୁଛି। ପଦ୍ମପୁର ଏସ୍‌ଡିପିଓ ଲକ୍ଷ୍ମୀନାରାୟଣ ପଣ୍ଡା ବିଜେଡି କର୍ମୀ ଭଳି କାର୍ଯ୍ୟ କରୁଛନ୍ତି। ତାଙ୍କୁ ତୁରନ୍ତ ବହିଷ୍କାର କରାଯାଉ। ଶାସକ ଦଳ ପ୍ରାର୍ଥୀଙ୍କ ପାଇଁ ପାଇଁ ଟଙ୍କା ବାଣ୍ଟୁଥିବା ପଦ୍ମପୁର ଏନ୍‌ଏସି କର୍ମଚାରୀଙ୍କ ବିରୋଧରେ ଅଭିଯୋଗ ପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ। ଶାସକ ଦଳ ବିଜେଡିର ପ୍ରଚାର ପାଇଁ ବେଆଇନ ଭାବେ ଯାଉଥିବା ୪୦ ଲକ୍ଷ ଟଙ୍କା ଜବତ ସତ୍ତ୍ୱେ ସମ୍ପୃକ୍ତ ବ୍ୟକ୍ତିଙ୍କୁ କେବଳ ଆଖି ଦେଖାଣିଆ ଗିରଫ ନୁହେଁ ବରଂ ଏହି ଅର୍ଥର ସୂତ୍ର ବାହାର କରାଯାଇ ସମ୍ପୃକ୍ତ ଶାସକ ଦଳ ନେତାଙ୍କୁ ଗିରଫ କରାଯାଉ ବୋଲି ବିଜେପି ଦାବି କରିଥିଲା।

ଏହି ପ୍ରତିନିଧି ଦଳରେ ବିଜେପି ରାଜ୍ୟ ଉପସଭାନେତ୍ରୀ ସୁଶ୍ରୀ ସୁକେଶୀ ଓରାମ, ରାଜ୍ୟ ମୁଖ୍ୟ ମୁଖପାତ୍ର ସଜ୍ଜନ ଶର୍ମା,ମୁଖପାତ୍ର ଦିଲୀପ ମହାନ୍ତି, ଯୁବମୋର୍ଚ୍ଚା ରାଷ୍ଟ୍ରୀୟ ଉପ ସଭାପତି ଠାକୁର ରଣଜିତ୍‌ ଦାଶ, ରାଜ୍ୟ ସମ୍ପାଦକ ଶିଶିର ଗମାଙ୍ଗ, ଭୁବନେଶ୍ୱର ଜିଲ୍ଲା ସଭାପତି ହରେକୃଷ୍ଣ ଖୁଣ୍ଟିଆ ପ୍ରମୁଖ ସାମିଲ ହୋଇଥିଲେ।

ସେପଟେ ବିଜେଡିର ଏକ ପ୍ରତିନିଧି ଦଳ ମଧ୍ୟ ରାଜ୍ୟ ନିର୍ବାଚନ ଆୟୋଗଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ପଦ୍ମପୁରରେ ଜବତ ହୋଇଥିବା ଟଙ୍କା ବିଜେପିର ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ବିଜେଡି ଅଭିଯୋଗ କରିଥିଲା। ଇଡି ଓ ଆୟକର ଅଧିକାରୀ ଏ ସଂପର୍କରେ ତଦନ୍ତ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଜେଡି ପ୍ରତିନିଧି ଦଳ ଅନୁରୋଧ କରିଥିଲେ।

ବିଜୁ ଜନତା ଦଳର ଉପସଭାପତି ସୂର୍ଯ୍ୟ ନାରାୟଣ ପାତ୍ର ଏବଂ ଅନଙ୍ଗ ଉଦୟ ସିଂହଦେଓ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ସ୍ମାରକପତ୍ର ଦେଇ ଦର୍ଶାଇଥିଲେ ଯେ ଫେବ୍ରୁଆରି ୧୭ ତାରିଖ ସନ୍ଧ୍ୟାରେ ପଦ୍ମପୁରଠାରେ ଆକାଶ ଅଗ୍ରୱାଲା ନାମକ ବିଶ୍ୱହିନ୍ଦୁ ପରିଷଦର ଜଣେ ସକ୍ରିୟ କର୍ମୀଙ୍କ ଠାରୁ ୪୦ଲକ୍ଷ ୫୦ ହଜାର ଟଙ୍କା ପୁଲିସ ଜବତ କରିଛି। ବିଜେପୁର ଉପ-ନିର୍ବାଚନରେ ବିଜେପିକୁ ଭୋଟ ଦେବା ପାଇଁ ଭୋଟର୍‌ମାନଙ୍କୁ ପ୍ରଭାବିତ କରିବାକୁ ଉକ୍ତ ଟଙ୍କା ବଣ୍ଟା ଯାଇଥାନ୍ତା, ଯାହା ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରୁଛି। ମୁଖ୍ୟ ନିର୍ବାଚନ ଅଧିକାରୀ ତୁରନ୍ତ ଆକାଶ ଅଗ୍ରୱାଲାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ଦଳ ଦାବି କରଛି। ବିଜେଡି କହିଛି, ଉଭୟ ଆକାଶ ଅଗ୍ରୱାଲା ଏବଂ ତାଙ୍କ ପିତା ଓମ୍‌ ପ୍ରକାଶ ଅଗ୍ରୱାଲା ବିଶ୍ୱହିନ୍ଦୁ ପରିଷଦ ଓ ବିଜେପିର ସକ୍ରିୟ ସଦସ୍ୟ ଅଟନ୍ତି। ପୂର୍ବରୁ ଆକାଶଙ୍କ ପିତା ଓମ୍‌ ପ୍ରକାଶ ଅଗ୍ରୱାଲାଙ୍କ ବିରୋଧରେ ଏକ ଚର୍ଚ୍ଚ ପୋଡ଼ିବା ନେଇ ପଦ୍ମପୁର ଥାନାରେ ସାମ୍ପ୍ରଦାୟିକ ହିଂସାଜନିତ ମାମଲା ରୁଜୁ ହୋଇଛି। ଏଥିରୁ ସ୍ପଷ୍ଟ ଜଣାପଡୁଛି ଯେ ଜବତ ହୋଇଥିବା ଟଙ୍କା ବିଜେପି ତରଫରୁ ବଣ୍ଟା ହେବାକୁ ଯାଉଥିଲା। ଏହି ସ୍ମାରକପତ୍ର ପ୍ରଦାନ ସମୟରେ ବିଧାୟକ ପ୍ରିୟଦର୍ଶୀ ମିଶ୍ର, ବିଜେଡି ରାଜ୍ୟ ସଂପାଦକ ବିଜୟ ନାୟକ ଓ ମୁଖପାତ୍ର ସସ୍ମିତ ପାତ୍ର ଉପସ୍ଥିତ ଥିଲେ।

ଉଲ୍ଲେଖଥାଉକି, ଟଙ୍କା ଜବତ ଘଟଣାର ସବିଶେଷ ବିବରଣୀ ଲେଖି ଏସ୍‌ପି ଜୟ ନାରାୟଣ ପଙ୍କଜ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଜଣାଇଛନ୍ତି। ଏସ୍‌ପି ଲେଖିଛନ୍ତି ଯେ ଏକ୍‌ଜ୍ୟୁଟିଭ୍‌ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ଏହି ଟଙ୍କା ଜବତ ହୋଇଛି। ଏହା ରାୟପୁରରୁ ବିଜେପୁର ଆସୁଥିବା ନିଜେ ଆକାଶ ପୁଲିସକୁ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର