ବିଜେପି ଚାପରୁ ମୁକ୍ତ କରାଯାଇ ଚାଷୀଙ୍କୁ ଶୀଘ୍ର ମିଳୁ ‘କାଳିଆ’ ଟଙ୍କା: ବିଜେଡି

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଲୋକପ୍ରିୟ ‘କାଳିଆ’ ଯୋଜନା ବନ୍ଦକୁ ନେଇ ବିଜୁ ଜନତା ଦଳ ଶୁକ୍ରବାର ମୁଖ୍ୟ ନିର୍ବାଚନ କମସନରଙ୍କ ଦ୍ୱାରସ୍ଥ ହୋଇଛି। ପୁରୀ ସାଂସଦ ପୀନାକି ମିଶ୍ରଙ୍କ ନେତୃତ୍ୱରେ ବିଜେଡି ପ୍ରତିନିଧି ମଣ୍ଡଳ ଚାଷୀକୂଳଙ୍କ ବୃହତ୍ତ ସ୍ୱାର୍ଥ ଦୃଷ୍ଟିରୁ ଏହି ‘କାଳିଆ’ ଯୋଜନା ଚାଲୁ ରଖିବା ସହ ସହାୟତା ଅର୍ଥ ବନ୍ଦ ଉପରୁ କଟକଣା ହଟାଇବାକୁ କମିସନରଙ୍କ ହସ୍ତକ୍ଷେପ ଲୋଡିଛନ୍ତି।

ମୁଖ୍ୟ ନିର୍ବାଚନ କମିସନର ସୁନୀଲ ଆରୋରାଙ୍କୁ ଦିଆଯାଇଥିବା ସ୍ମାରକପତ୍ରରେ ବିଜେଡ଼ି କାଳିଆ ଯୋଜନାର ଲୋକପ୍ରିୟତା ଓ ଏହା ବନ୍ଦ ପଛର ଚକ୍ରାନ୍ତ ଉଲ୍ଲେଖ କରିଛି। ବିଜେଡ଼ି ଦର୍ଶାଇଛି ଯେ, ଚାଷୀକୂଳର ସର୍ବାଙ୍ଗୀନ ବିକାଶ ପାଇଁ ନିର୍ବାଚନ ତାରିଖ ହେବାର ଯଥେଷ୍ଟ ପୂର୍ବରୁ ରାଜ୍ୟ ସରକାର କାଳିଆ ଯୋଜନା ଆରମ୍ଭ କରିଥିଲେ ଦେଶ ବିଦେଶର ବିଶେଷଜ୍ଞମାନେ ଏହି ସୁଦୂର ପ୍ରସାରୀ ଯୋଜନାର ଭୂରି ଭୂରି ପ୍ରଶଂସା କରିଛନ୍ତି।

ବର୍ତ୍ତମାନ ସୁଦ୍ଧା ୩୭ ଲକ୍ଷରୁ ଉର୍ଦ୍ଧ୍ୱ ଚାଷୀ ଏଥିରୁ ଉପକୃତ ହୋଇସାରିଲେଣି। ‘କାଳିଆ’ ସହାୟତା ବାବଦ ଦୁଇଟି କିସ୍ତିରେ ୧୮୫୦ କୋଟି ଟଙ୍କା ଚାଷୀଙ୍କୁ ଡିବିଟି ମାଧ୍ୟମରେ ଦିଆଯାଇଛି। ଏହି ସହାୟତା ପାଇବାକୁ ଆଉ ୧୪.୯୩ ଲକ୍ଷ କ୍ଷୁଦ୍ର ଓ ମଧ୍ୟବିତ୍ତ ଚାଷୀ ଏବଂ ୧୦.୪୧ ଲକ୍ଷ ଭୂମିହୀନ ଚାଷୀ ପରିବାର ଏହିଭଳି ଭାବେ ୨୫.୩୪ ଲକ୍ଷ ହିତାଧିକାରୀଙ୍କୁ ତାଲିକାଭୁକ୍ତ କରାଯାଇଛି।

ନିର୍ବାଚନ ଆଚରଣ ବିଧି ଲାଗୁ ହେବା ପୂର୍ବରୁ ଗତ ମାର୍ଚ୍ଚ ୧ ତାରିଖରେ ଗ୍ରାମ ପଂଚାୟତ କାର୍ଯ୍ୟାଳୟରେ ହିତାଧିକାରୀ ତାଲିକା ପ୍ରକାଶ ପାଇଥିଲା। ମାତ୍ର ନିର୍ବାଚନ ଆଚରଣ ବିଧିର ଆଳ ଖୋଜି ବିଜେପି ଏହି ଯୋଜନାକୁ ବନ୍ଦ କରିବାକୁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପାଖରେ ଅଭିଯୋଗ ଆଣିଛି।

ସମ୍ବନ୍ଧିତ ଖବର