ବିଜେଡିର ୧୨ ସଫଳତା ଦାବି

ଭୁବନେଶ୍ୱର : ୨୦୧୭ରେ ୧୨ ମାସରେ ରାଜ୍ୟକୁ ୧୨ଟି ବଡ଼ ସଫଳତା ମିଳିଥିବା ଦାବି କରିଛି ବିଜେଡି। ଏ ନେଇ ସୋସିଆଲ୍‌ ମିଡିଆରେ ତଥ୍ୟ ଦିଆଯାଇଛି। ଜାନୁଆରି ମାସରେ ତୈଳ ଓ ଗ୍ୟାସ୍‌ ସଂରକ୍ଷଣ ସଚେତନତାରେ ସର୍ବୋତ୍କଷ୍ଟ ରାଜ୍ୟର ମାନ୍ୟତା ପାଇଥିଲା ଓଡ଼ିଶା। ଫେବ୍ରୁଆରିରେ ଶିଶୁ ମୃତ୍ୟୁହାରରେ ସର୍ବାଧିକ ହ୍ରାସ, ମାର୍ଚ୍ଚରେ ଶ୍ରେଷ୍ଠ ନଗର ପ୍ରଶାସନ ପୁରସ୍କାର, ଏପ୍ରିଲ୍‌ରେ ଭୁବନେଶ୍ୱର ସାରା ଦେଶରେ ଏକମାତ୍ର ସହର ଭାବେ ସର୍ବୋତ୍ତମ ଯୋଜନା ପାଇଁ ଆନ୍ତର୍ଜାତିକ ପୁରସ୍କାର, ମେ’ରେ ସାରା ଦେଶରେ ଶ୍ରେଷ୍ଠ ଐତିହ୍ୟସ୍ଥଳୀ ଭାବେ ପୁରସ୍କାର, ଜୁନ୍‌ରେ ଦକ୍ଷତା ବିକାଶ କ୍ଷେତ୍ରରେ ସର୍ବୋତ୍ତମ ରାଜ୍ୟ ଭାବେ ପୁରସ୍କୃତ ହୋଇଥିଲା ଓଡ଼ିଶା। ଜୁଲାଇରେ ସରକାରଙ୍କ ସଫଳତା ଥିଲା ଏସିଆନ୍‌ ଆଥଲେଟିକ୍‌ ଚମ୍ପିଆନ୍‌ସିପ୍‌ ଆୟୋଜନ। ଅଗଷ୍ଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ଶ୍ରେଷ୍ଠ ପ୍ରଶାସକ’ ପୁରସ୍କାର ପାଇ ସଫଳତାରେ ଆଉ ଏକ ଫର୍ଦ୍ଦ ଯୋଡ଼ିଲେ। ସେପ୍ଟମ୍ବରରେ ଜଙ୍ଗଲ ଅଧିକାର ନିୟମ ଆଗୁଆ ଲାଗୁ କରିବା ରାଜ୍ୟମାନଙ୍କ ଭିତରେ ଓଡ଼ିଶା ସ୍ଥାନ ପାଇଲା। ଅକ୍ଟୋବରରେ ପୁଞ୍ଜିନିବେଶରେ ଦେଶର ଶ୍ରେଷ୍ଠ ତିନି ରାଜ୍ୟ ଭିତରେ ଓଡ଼ିଶା ରହିଲା। ନଭେମ୍ବରରେ ଓଡ଼ିଶା ଗ୍ରାମୀଣ ରାସ୍ତା ପ୍ରସାର କ୍ଷେତ୍ରରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ୪୨ ହଜାର କିମି ଗ୍ରାମୀଣ ରାସ୍ତା ନିର୍ମାଣ କରି ରେକର୍ଡ ସ୍ଥାପନ କଲା। ଡିସେମ୍ବରରେ ରପ୍ତାନୀ କ୍ଷେତ୍ରରେ ଓଡ଼ିଶା ଚାମ୍ପିଅନ୍‌ ରାଜ୍ୟ ହେଲା।

ସମ୍ବନ୍ଧିତ ଖବର