ବୈଜୟନ୍ତଙ୍କ ବିରୋଧରେ ଷଡ଼୍‍ଯନ୍ତ୍ର ଅଭିଯୋଗ ଆଣିଲେ ଅନୁଗତ

ଭୁବନେଶ୍ୱର : ଦୁଇ ଦିନ ଦଳେ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ରାଜନୈତିକ ସଂଯୋଜକ ଦେବାଶିଷ ମଲ୍ଲିକ ବିଜେଡି ବିରୋଧରେ ଚାଲିଥିବା ଷଡ୍‌ଯନ୍ତ୍ର ନେଇ ସାଂଘାତିକ ଅଭିଯୋଗ ଆଣିଥିଲେ। ଶ୍ରୀ ପଣ୍ଡା କିଭଳି ଏ ଷଡ୍‌ଯନ୍ତ୍ର ଭିଆଇଥିଲେ, ସେ ନେଇ ତଥ୍ୟ ରଖିଥିଲେ ଓ ତାଙ୍କ ଠାରୁ ଦୂରେଇ ଯାଇଥିଲେ। ଆଜି କେନ୍ଦ୍ରାପଡା ଜିଲ୍ଲା ସଂଖ୍ୟାଲଘୁ ସେଲ୍‌ର ପୂର୍ବତନ ସଭାପତି ତଥା ସାଂସଦଙ୍କ ଅନୁଗତ ଭାବେ ଜଣାଶୁଣା ସଲିମ୍‌ ଖାନ୍‌ ପାଲଟା ଅଭିଯୋଗ ଆଣିଛନ୍ତି। ଯଦିଓ ସାଂସଦ ବିଜେଡିରୁ ନିଲମ୍ବିତ ହୋଇସାରିଛନ୍ତି, ତଥାପି ଏହି ବିଜେଡି ନେତା ଶ୍ରୀ ପଣ୍ଡାଙ୍କ ଭୁବନେଶ୍ୱର ବାସଭବନରେ ସାମ୍ବାଦିକ ସମ୍ମିଳନୀ କରି ଦେବୁ ମଲ୍ଲିକଙ୍କ ଅଭିଯୋଗକୁ ଖଣ୍ଡନ କରିବା ସହିତ ଏହା ପଛରେ ଷଡ଼୍‍ଯନ୍ତ୍ର ଥିବା ଅଭିଯୋଗ କରିଥିଲେ। କହିଥିଲେ, ଜଣେ ପୂର୍ବତନ ମନ୍ତ୍ରୀ ଓ ପ୍ରଶାସକ ଏସବୁ ଭିଆଇଛନ୍ତି। ଏପରିକି ତାଙ୍କୁ ମଧ୍ୟ କେନ୍ଦ୍ରାପଡା ପୌରାଧ୍ୟକ୍ଷ ଓ ନିଗମ ଯଚା ଯାଇଥିଲା ବୋଲି କହିଛନ୍ତି। ଏ ସଂକ୍ରାନ୍ତରେ ଏକ ଅଡିଓ ଟେପ୍‌ ସେ ଶୁଣାଇଥିଲେ ହେଁ ଗଣମାଧ୍ୟମ ପ୍ରଶ୍ନର କୌଣସି ସଠିକ୍‌ ଉତ୍ତର ଦେଇନପାରି ହଲାପଟା ହୋଇଛନ୍ତି। ସଲିମ୍‌ କହିଥିଲେ ଯେ ତାଙ୍କୁ ଧମକ ଚମକ ମିଳିଥିଲା। ହେଲେ ସେ କାହିଁକି ପୁଲିସର ଆଶ୍ରୟ ନେଇନାହାନ୍ତି, ଯଦି ଫୋନ୍‌ରେ ଏତେ ସବୁ ରେକର୍ଡ ତଥ୍ୟ ମିଳିଛି, ତେବେ ବିଜେଡି ମୁଖିଆଙ୍କୁ ଜଣାଇବାରେ କେଉଁଠି ଅସୁବିଧା ରହିଲା, ସେ ନେଇ କିଛି ସ୍ପଷ୍ଟ ଭାବେ କହିପାରିନଥିଲେ। ସେହିଭଳି ୧୬ ତାରିଖରୁ ଏ ସଂପର୍କରେ ଜାଣି ବି ସେ ତିନି ଦିନ ହେଲା କାହିଁକି ନିରବ ରହିଥିଲେ ବୋଲି ସାମ୍ବାଦିକମାନେ ତାଙ୍କୁ ପଚାରିଥିଲେ ହେଁ, ସେ ଥତମତ ହୋଇଯାଇଥିଲେ।

ସମ୍ବନ୍ଧିତ ଖବର