କୋଲକାତାରେ ହାତ ଧରାଧରି ହେବେ ୨୦ ଦଳର ମୋଦି ବିରୋଧୀ; ସାମିଲ ହେବ ନାହିଁ ବିଜେଡି

କୋଲକାତା : କୋଲକାତାରେ ହାତ ଧରାଧରି ହେବେ ୨୦ଟି ବିରୋଧୀ ରାଜନୈତିକ ଦଳର ନେତା ।  ତୃଣମୂଳ କଂଗ୍ରେସ ମୁଖ୍ୟ ମମତା ବାନାର୍ଜୀଙ୍କ ନେତୃତ୍ୱରେ ଶନିବାର ଏକାଠି ହେଉଛନ୍ତି ମୋଦି ବିରୋଧୀ । କର୍ଣ୍ଣାଟକରେ କଂଗ୍ରେସ-ଜେଡିଏସ ସରକାର ଗଠନ ବେଳେ ଶକ୍ତି ପ୍ରଦର୍ଶନ କରିଥିଲେ ବିରୋଧୀ ପକ୍ଷ । ସେହିପରି ଛତିଶଗଡରେ କଂଗ୍ରେସ ମୁଖ୍ୟମନ୍ତ୍ରୀଙ୍କ ଶପଥଗ୍ରହଣ ଉତ୍ସବରେ ହାତ ଧରାଧରି ହୋଇ ବିଜେପିକୁ ବିରୋଧୀ ଏକତାର ବାର୍ତା ଦେଇଥିଲେ ପ୍ରତିପକ୍ଷ ରାଜନୈତିକ ଦଳ।

ମମତାଙ୍କ ନେତୃତ୍ୱରେ ହେଉଥିବା ବିରୋଧୀ ସମାବେଶରେ ସାମିଲ ହେବ କଂଗ୍ରେସ । ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡରେ କଂଗ୍ରେସର ବିଜୟ ଉତ୍ସବରେ ସାମିଲ ହୋଇ ନ ଥିଲେ ମମତା ବାନାର୍ଜୀ । ତେଣୁ ଅନୁମାନ କରାଯାଉଥିଲା, ତୃଣମୂଳ କଂଗ୍ରେସ ନେତୃତ୍ୱାଧୀନ ବିରୋଧୀ ରାଲିରେ ରହିବ ନାହିଁ କଂଗ୍ରେସ । ହେଲେ ମମତାଙ୍କ ବିରୋଧୀ ରାଲିକୁ ସମର୍ଥନ ଜଣାଇ ଚିଠି ଲେଖିଛନ୍ତି ରାହୁଲ ଗାନ୍ଧି ।

କୋଲକାତାର ବ୍ରିଗେଡ ପରେଡ ଗ୍ରାଉଣ୍ଡରେ ଶନିବାର ମିଳିତ ବିରୋଧୀ ରାଲିର ଆହ୍ୱାନ ଦେଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ୨୦୧୯ ଲୋକସଭା ନିର୍ବାଚନ ପୂର୍ବରୁ ମୋଦି ବିରୋଧୀଙ୍କୁ ଏକାଠି କରିବାର ପ୍ରୟାସ ଆରମ୍ଭ କରିଛନ୍ତି ମମତା । ଆଗାମୀ ନିର୍ବାଚନରେ ଆଂଚଳିକ ଦଳଗୁଡିକର ପ୍ରଭାବ ଅଧିକ ରହିବ ଏବଂ ବିଜେପି ଆବଶ୍ୟକ ସଂଖ୍ୟା ଯୋଗାଡ କରିପାରିବ ନାହିଁ ବୋଲି ଦୃଢୋକ୍ତି କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ।

 

ତେବେ ମମତାଙ୍କ ମୋଦୀ ବିରୋଧୀ ମେଳିରେ ସାମିଲ ହେଉନାହିଁ ବିଜେଡି । କଂଗ୍ରେସ-ବିଜେପି ପ୍ରତି ସମଦୂରତା ଆଭିମୁଖ୍ୟକୁ ପୁଣି ଦୋହରାଇଛି ଦଳ । ମୁଖପାତ୍ର ପ୍ରତାପ ଦେବ କହିଛନ୍ତି ଏହି ରାଲି ପାଇଁ ନିମନ୍ତ୍ରଣ ପାଇନାହିଁ ବିଜେଡି । ମୋଦି ବିରୋଧୀଙ୍କୁ ଏକାଠି କରିବା ଲାଗି ଭିନ୍ନ ଭିନ୍ନ ସ୍ତରରେ ଅଭିଯାନ ଚଳାଇଛନ୍ତି ତିନି ପ୍ରମୁଖ ନେତା – ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ନେତ୍ରୀ ମମତା ବାନାର୍ଜୀ, ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ତଥା ଟିଆରଏସ ନେତା କେସିଆର ଓ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ । ୨୦୧୯ ନିର୍ବାଚନରେ ଏହା ଏକ ବଡ଼ ରାଜନୈତିକ ସମୀକରଣ ସୃଷ୍ଟି କରିବା ସମ୍ଭାବନା ରହିଛି ।

ସମ୍ବନ୍ଧିତ ଖବର