ମହାନଦୀ ପରେ ପେଟ୍ରୋଲ, ଡିଜେଲ : ତୈଳଦର ଅଣାୟତ ପ୍ରସଙ୍ଗରେ କେନ୍ଦ୍ରକୁ ଦାୟୀ କଲା ବିଜେଡି

୨୮ରେ ରାଜଭବନ ସାମ୍ନାରେ ଧାରଣା ଓ ବିକ୍ଷୋଭ, ୨୮ରୁ ୩୦ ତାରିଖ ପର୍ଯ୍ୟନ୍ତ ସବୁ ବ୍ଲକ୍‌ରେ ବିକ୍ଷୋଭ

ଭୁବନେଶ୍ୱର : ମହାନଦୀ ମହାଆନ୍ଦୋଳନକୁ ନିର୍ଣ୍ଣାୟକ ରୂପ ଦେବା ପୂର୍ବରୁ ଆଜି ବିଜେଡି କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି ଆଉ ଏକ ବଡ଼ ଆନ୍ଦୋଳନ ସଂପର୍କରେ ଘୋଷଣା କରିଛି। ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ଅଣାୟତ ହୋଇଥିବାରୁ ଏ ପ୍ରସଙ୍ଗରେ ଆସନ୍ତା ୨୮ ତାରିଖ ଦିନ ଭୁବନେଶ୍ୱର ରାଜଭବନ ସମ୍ମୁଖରେ ବିଜେଡି ଧାରଣା ଓ ବିକ୍ଷୋଭ କରିବ। ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ବିଜେଡି ନେତାମାନେ ରାଜ୍ୟପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରିବେ। କେବଳ ସେତିକି ନୁହେଁ, ଏହି ପ୍ରସଙ୍ଗକୁ ଗାଁରେ ପହଞ୍ଚାଇବା ପାଇଁ ୨୮ତାରିଖରୁ ୩୦ ତାରିଖ ଯାଏ ୩ଦିନ ଧରି ରାଜ୍ୟର ସମସ୍ତ ବ୍ଲକରେ ବିଜେଡି ପ୍ରତିବାଦ ସଭା କରିବ। ଏହା ଆଳରେ ଲୋକଙ୍କ ମଧ୍ୟରେ ଦଳ ଜନସଚେତନତା ସୃଷ୍ଟି କରିବ ଓ ସ୍ଥାନୀୟ ପ୍ରଶାସନ ଜରିଆରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ଦିଆଯିବ।

ଆଜି ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ବଦଳର ସାଧାରଣ ସଂପାଦକ ସଂଜୟ କୁମାର ଦାସବର୍ମା, ଡ. ଅରୁଣ କୁମାର ସାହୁ, ମୁଖପାତ୍ର ଡ. ସସ୍ମିତ ପାତ୍ର ଓ ଛାତ୍ର ବିଜେଡି ସଭାପତି ରାଣା ପ୍ରତାପ ପାତ୍ର ଗଣମାଧ୍ୟମକୁ କହିଥିଲେ, ଦେଶରେ ପେଟ୍ରୋଲ ଓ ଡ଼ିଜେଲ ଦର ବୃଦ୍ଧି ଏବେ ଅଣାୟତ ଅବସ୍ଥାରେ ପହଞ୍ଚିଛି। ଏହା ସାଧାରଣ ଲୋକଙ୍କ ପକେଟ୍‌ ଉପରେ ବଡ଼ ଧରଣର ପ୍ରଭାବ ପକାଇଲାଣି। ସବୁ ବର୍ଗର ଲୋକ ଗଭୀର ଭାବେ ପ୍ରଭାବିତ ହେଉଛନ୍ତି। ଓଡ଼ିଶାରେ ଆଜି ଡ଼ିଜେଲର ଲିଟର ପିଛା ଦର ୭୩.୨୬ ପଇସା ରହିଛି। ପେଟ୍ରୋଲର ଲିଟର ପିଛା ଦର ୭୫.୯୮ ଟଙ୍କାରେ ପହଞ୍ଚିଛି।

ବିଜେଡି କହିଛି, ବାରମ୍ବାର ତୈଳଦର ବୃଦ୍ଧି ଯୋଗୁ ନିତ୍ୟ ବ୍ୟବହାର୍ଯ୍ୟ ଓ ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ ହୁ ହୁ ହୋଇ ବଢିଚାଲିଛି। ୨୦୧୪ ରେ ଏନ୍‌ଡ଼ିଏ ସରକାର ଶାସନ ଭାର ଗ୍ରହଣ କଲା ବେଳେ ବିଶ୍ୱ ବଜାରରେ ଅଶୋଧିତ ତୈଳ ଦର ଆଶାତୀତ ଭାବେ କମୁଥିଲା। ସେତେବେଳେ ଆଶା କରାଯାଉଥିଲା ଏହି ସ୍ଥିତିର ଫାଇଦା ସାଧାରଣ ଖାଉଟିଙ୍କ ପାଖରେ ପହଞ୍ଚିବ। ମାତ୍ର ସେମିତି କିଛି ହେଲାନି। ଓଲଟା କେନ୍ଦ୍ର ସରକାର ସାଧାରଣ ଲୋକଙ୍କୁ ଆର୍ଥିକ ଦୁର୍ଗତି ଭିତରକୁ ଠେଲିଦେଲେ ଓ ଉତ୍ପାଦ ଶୁଳ୍କ ବୃଦ୍ଧି କରି ଏହାର ଆୟର ପ୍ରମୁଖ ଉତ୍ସ ଭାବେ ବ୍ୟବହାର କଲେ।

ପରିସଂଖ୍ୟାନ ଜରିଆରେ ବିଜେଡି ତୈଳ ଦର ବୃଦ୍ଧି ପାଇଁ କେନ୍ଦ୍ର ସରକାରଙ୍କୁ ଦାୟୀ କରି କହିଛି, ୨୦୧୪ ଜୁଲାଇ ୧୦ରେ କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ ପ୍ରତି ଲିଟର ପେଟ୍ରୋଲ ଉପରେ ୯ ଟଙ୍କା ୨୦ ପଇସା ଥିଲା । ଏହା ୨୦୧୮ ପେବ୍ରୁଆରି ୨ରେ ୧୧୦ ପ୍ରତିଶତ ବୃଦ୍ଧି ପାଇଁ ୧୯ ଟଙ୍କା ୪୮ ପଇସାରେ ପହଞ୍ଚିଛି। ସେହିପରି ଡ଼ିଜେଲ ଉପରେ ଉତ୍ପାଦ ଶୁକ୍ଳ ୨୦୧୪ ଜୁଲାଇ ୧୦ରେ ଲିଟର ପିଛା ୩ ଟଙ୍କା ୪୬ ପଇସା ଥିଲା। ୨୦୧୮ ଫେବ୍ରୁଆରି ୨ରେ ୩୫୦ ପ୍ରତିଶତ ବୃଦ୍ଧି ପାଇ ୧୫ ଟଙ୍କା ୩୩ ପଇସାରେ ପହଞ୍ଚିଲାଣି।

ବିଜେଡି ଆହୁରି କହିଛି, କେନ୍ଦ୍ର ସରକାରଙ୍କ ଦ୍ୱାରା ଆଦାୟ ହେଉଥିବା ବହିଃଶୁଳ୍କ ଉଭୟ ପେଟ୍ରୋଲ ଓ ଡ଼ିଜେଲ ଉପରେ ୨.୫ ପ୍ରତିଶତ ଥିବା ବେଳେ ପ୍ରତି ମେଟ୍ରିକ୍‌ ଟନ୍‌ ଅଶୋଧିତ ତୈଳ ଉପରେ ମଧ୍ୟ କେନ୍ଦ୍ର ସରକାର ୫୦ଟଙ୍କା ରାଷ୍ଟ୍ରୀୟ ଆକସ୍ମିକ ବିପର୍ଯ୍ୟୟ ଶୁଳ୍କ ବାବଦରେ ନେଉଛନ୍ତି। ଏସବୁ କାରଣରୁ ତୈଳ କ୍ଷେତ୍ରରେ ଜାତୀୟ ରାଜସ୍ୱ ୨୦୧୩-୧୪ରେ ୮୮ହଜାର ୬ଶହ କୋଟିରୁ ବୃଦ୍ଧି ପାଇ (୨୮୫ ପ୍ରତିଶତ) ୨୦୧୬-୧୭ରେ ୨ଲକ୍ଷ ୫୩ ହଜାର୨୫୪ କୋଟିରେ ପହଞ୍ଚିଥିଲା। କେନ୍ଦ୍ର ସରକାର ସାଧାରଣ ଜନତାଙ୍କୁ ଟିକସ ଜାଲରେ ଫସାଇ ହନ୍ତସନ୍ତ କରୁଛନ୍ତି ଏକଥା ଏଥିରୁ ସ୍ପଷ୍ଟ ଜଣାପଡୁଛି ବୋଲି ବିଜେଡି ଅଭିଯୋଗ କରିଛି।

ବିଜେଡି କହିଛି, ଯେତେବେଳେ ଅନ୍ତରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳ ଦର ହ୍ରାସ ପାଇଛି, ସେତେବେଳେ କେନ୍ଦ୍ର ସରକାର ଉତ୍ପାଦ ଶୁଳ୍କକୁ କମାଇବା ପରିବର୍ତ୍ତେ ଇତିମଧ୍ୟରେ ୯ ଥର ବୃଦ୍ଧି କରିଛନ୍ତି। ଏଭଳିସ୍ଥଳେ ରାଜ୍ୟ ସରକାରଙ୍କୁ ଭାଟ୍‌ ହ୍ରାସ ପାଇଁ ପରାମର୍ଶ ଦେବା କେତେ ଯୁକ୍ତିଯୁକ୍ତ ବୋଲି ନେତାମାନେ ପ୍ରଶ୍ନ କରିଥିଲେ।

ଓଡ଼ିଶାରେ ତୈଳ ଉପରେ ଭାଟ୍‌ ଅନ୍ୟ ରାଜ୍ୟ ତୁଳନାରେ ଅପେକ୍ଷାକୃତ କମ୍‌ ରହିଛି ବୋଲି ତଥ୍ୟ ଦେଇ ବିଜେଡି କହିଛି, ୨୦୧୮ ମାର୍ଚ୍ଚରୁ ମହାରାଷ୍ଟ୍ରର ବିଜେପି ସରକାର ପେଟ୍ରୋଲ ଉପରେ ୨୬ ପ୍ରତିଶତ ଭାଟ୍‌ ସହିତ ଲିଟର ପିଛା ୯ ଟଙ୍କା ଅତିରିକ୍ତ ଶୁଳ୍କ ଆଦାୟ କରୁଛନ୍ତି। ଆସାମର ବିଜେପି ସରକାର ପେଟ୍ରୋଲ ଉପରେ ଭାଟ୍‌ ୩୨.୬୬ ପ୍ରତିଶତ ଆଦାୟ କରୁଥିବା ବେଳେ ରାଜସ୍ଥାନର ବିଜେପି ସରକାର ୩୦ ପ୍ରତିଶତ ଭାଟ୍‌ ସହିତ ପ୍ରତି ୧୦୦୦ ଲିଟର ପିଛା ୧୫୦୦ ଟଙ୍କା ରାସ୍ତା ଉନ୍ନତିକରଣ ସେସ୍‌ ନେଉଛନ୍ତି। ସେହି ତୁଳନାରେ ଓଡ଼ିଶାରେ ୨୬ ପ୍ରତିଶତ ଭାଟ୍‌ ଆଦାୟ କରାଯାଉଥିବା ବେଳେ କୌଣସି ଅତିରିକ୍ତ ଶୁଳ୍କ ଆଦାୟ କରାଯାଉନାହିିଁ। ଯାହା ଅନ୍ୟମାନଙ୍କ ତୁଳନାରେ କମ୍‌।

ସମ୍ବନ୍ଧିତ ଖବର