ପୁଲିସ୍‌କୁ ବିଜେଡି ଅସ୍ତ୍ର କରୁଛି: କେଭି

ଭୁବନେଶ୍ୱର : ରାଜ୍ୟରେ ଶାସକ ବିଜେଡି ପୁଲିସ୍‌କୁ ଅସ୍ତ୍ର ଭାବେ ବ୍ୟବହାର କରୁଛି। ବିଶେଷ କରି ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀ ଭାବେ ବିଜେପି ଉପରେ ଆକ୍ରୋଶ ରାଜନୀତି ଚଳାଇଛି ବୋଲି ଅଭିଯୋଗ କରିଛନ୍ତି ବିଜେପି ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓ। ଆଜି ଦଳୀୟ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ସିଂହଦେଓ କହିଲେ, ବିଜେପୁର ବିଧାନସଭା ନିର୍ବାଚନମଣ୍ଡଳୀ ବାହାରେ ହୋଇଥିବା ହିଂସାକାଣ୍ଡକୁ ଚଞ୍ଚକତା କରି ଶାସକ ଦଳ ବିଜେପିର ପୂର୍ବତନ ବିଧାୟକ ଜୟ ନାରାୟଣ ମିଶ୍ରଙ୍କୁ ଛନ୍ଦିବା ପାଇଁ ଷଡ଼ଯନ୍ତ୍ର କରିଛି। ଘଟଣା ସହ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବେ ଶ୍ରୀ ମିଶ୍ରଙ୍କ ସମ୍ପର୍କ ନାହିଁ। ତାଙ୍କୁ ମିଛ ମାମଲାରେ ଗିରଫ କରି ବିଜେପିକୁ ବଦନାମ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗୃହ ବିଭାଗ ଷଡ଼ଯନ୍ତ୍ର କରିଛି।

ଶ୍ରୀ ସିଂହଦେଓ ଆହୁରି ଅଭିଯୋଗ କରିଛନ୍ତି, ଗୋଟିଏ ପଟେ ବିଜେପି ନେତାଙ୍କୁ ଛନ୍ଦିବା ପାଇଁ ଚେଷ୍ଟା କରୁଥିଲା ବେଳେ ଅନ୍ୟ ପଟେ ଗତ ପଞ୍ଚାୟତ ନିର୍ବାଚନ ବେଳେ ୧୪ ଜଣ ବିରୋଧୀ କାର୍ଯ୍ୟକର୍ତ୍ତାଙ୍କୁ ବିଜେଡି ଗୁଣ୍ଡାମାନେ ନିର୍ମମ ହତ୍ୟା କରିଛନ୍ତି। ପ୍ରତିଟି ହତ୍ୟାକାଣ୍ଡରେ କେଉଁ କେଉଁ ବିଜେଡି ନେତା ସାମିଲ୍‌ ଅଛନ୍ତି, ତାହା ଏତଲାରେ ସ୍ପଷ୍ଟ ଭାବେ ଲେଖାଯାଇଛି। କିନ୍ତୁ ପୁଲିସ୍‌ ସେମାନଙ୍କୁ ଗିରଫ କରିବା ବଦଳରେ ସୁରକ୍ଷା ପ୍ରଦାନ କରୁଛି। ସେ କହିଥିଲେ, ନବୀନ ପଟ୍ଟନାୟକଙ୍କ ଲମ୍ବା ସମୟ ମୁଖ୍ୟମନ୍ତ୍ରୀତ୍ୱରେ ମୁଖ୍ୟ ବିରୋଧୀ ଦଳ କଂଗ୍ରେସକୁ ଶାସକ ଦଳର ବି ଟିମ୍‌ ଭାବେ ବ୍ୟବହାର କରାଯାଇଛି। ସାମ୍ବାଦିକ ସମ୍ମିଳନୀରେ ବିଧାୟକ ରବି ନାଏକ, ପ୍ରଦୀପ ପୁରୋହିତ, ଗୋବିନ୍ଦ ଦାଶ ଓ ବିଜେପି ମୁଖପାତ୍ର ସଜ୍ଜନ ଶର୍ମା ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର