ମେକ୍‌ ଇନ୍‌ ଓଡିଶା କନକ୍ଲେଭରୁ ସିଆଇଆଇ ଓହରିଯିବା ପ୍ରସଙ୍ଗ : ବୈଜୟନ୍ତ ପଣ୍ଡାଙ୍କ ପରିବାରକୁ ଦାୟୀ କଲା ବିଜେଡ଼ି

ଭୁବନେଶ୍ୱର : ମେକ ଇନ ଓଡିଶା କନକ୍ଲେଭର ଦ୍ୱିତୀୟ ସଂସ୍କରଣକୁ ବଡ଼ ଝଟକା। ଆସନ୍ତା ନଭେମ୍ବର ୧୧ରୁ ୧୫ ତାରିଖ ଯାଏଁ ହେବାକୁ ଥିବା ଏହି କାର୍ଯ୍ୟକ୍ରମରୁ ଅପ୍ରତ୍ୟାଶିତ ଭାବେ ଓହରି ଯାଇଛି ଭାରତୀୟ ଶିଳ୍ପ ମହାସଂଘ। ଯାହାକୁ ସହଜରେ ବରଦାସ୍ତ କରିପାରୁନି ବିଜେଡି। ଦଳ ଅଭିଯୋଗ କରିଛି, ଓଡିଶାର ପ୍ରଗତି ଓ ସ୍ୱାର୍ଥ ବିରୋଧରେ ଚାଲିଛି ବଡ଼ଧରଣର ଷଡଯନ୍ତ୍ର । ମେକ୍‌ ଇନ୍‌ ଓଡ଼ିଶା ପ୍ରସ୍ତୁତି ବୈଠକରେ ସିଆଇଆଇ ଭାଗ ନେଉଥିବା ବେଳେ ଗତ ୪ ତାରିଖରେ ଏଥିରେ ଯୋଗ ଦେବନାହିଁ ବୋଲି ମନା କରିଦେଇଛି। ଏହି ସମୟରେ ଅନ୍ୟ କାର୍ଯ୍ୟକ୍ରମ ଥିବା ଦର୍ଶାଇଛି ସିଆଇଆଇ। ମାତ୍ର ଏଭଳି ଯୁକ୍ତିକୁ ଗ୍ରହଣ କରିପାରୁନି ବିଜେଡି ।

ମେକ୍‌ ଇନ୍‌ ଓଡ଼ିଶା କନକ୍ଳେଭକୁ ସିଆଇଆଇ ଓହରିଯିବା ପ୍ରସଙ୍ଗରେ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ପରିବାରକୁ ଦାୟୀ କରିଛି ବିଜେଡି। ଫଳରେ ବିଜେଡି ଓ ବୈଜୟନ୍ତଙ୍କ ବିବାଦ ପୁଣି ଥରେ ତେଜିଛି । ବିଜେଡି ଅଭିଯୋଗ କରିଛି ସିଆଇଆଇର ପୂର୍ବାଞ୍ଚଳ ଅଧ୍ୟକ୍ଷା ଭାବେ ଜାଗିମଙ୍ଗତ ପଣ୍ଡା ଦାୟିତ୍ୱ ନେବା ପରେ ଏଭଳି ନିଷ୍ପତି ନେଇଛି ଭାରତୀୟ ଶିଳ୍ପ ମହାସଂଘ। ଓଡିଶାର ପ୍ରଗତି ଓ ସ୍ୱାର୍ଥ ବିରୋଧରେ ବଡ଼ଧରଣର ଷଡଯନ୍ତ୍ର ଚାଲିଥିବା କହିଛି ବିଜେଡି। ତେବେ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ଜାଗିମଙ୍ଗତ ପଣ୍ଡା।

ଗତ ମାର୍ଚ୍ଚ ମାସରେ ସିଆଇଆଇର ପୂର୍ବାଂଚଳ ଅଧ୍ୟକ୍ଷା ଭାବେ ଦାୟିତ୍ୱ ନେଇଛନ୍ତି ଜାଗିମଙ୍ଗତ ପଣ୍ଡା। ବିଜେଡି ଅଭିଯୋଗ କରିଛି ବ୍ୟକ୍ତିଗତ ଚାପ ଯୋଗୁଁ ସିଆଇଆଇ ଏଭଳି ନିଷ୍ପତି ନେଇଛି। ତେବେ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ଜାଗି ମଙ୍ଗତ ପଣ୍ଡା। ଅଯଥାରେ ତାଙ୍କୁ ରାଜନୀତିରେ ନପୂରାଇବାକୁ ସେ ଅନୁରୋଧ କରିିଛନ୍ତି । ସେପଟେ ମେକ୍‌ ଇନ୍‌ ଓଡ଼ିଶାରୁ ସିଆଇଆଇ ଓହରିଯିବା ପ୍ରତିବାଦରେ ଇସ୍ତଫା ଦେଇଛନ୍ତି ଓଡିଶା ଚାପ୍ଟଟର ଚେୟାରମ୍ୟାନ ଓ ଭାଇସ ଚେୟାରମ୍ୟାନ। ଓଡିଶାର ସ୍ୱାର୍ଥହାନୀ ହେଉଥିବାରୁ ଇସ୍ତଫା ଦେଇଥିବା କହିଛନ୍ତି ଭାଇସ ଚେୟାରମ୍ୟାନ ସୁବ୍ରତ ତ୍ରିପାଠୀ।

ଭାରତୀୟ ଶିଳ୍ପ ମହାସଂଘ ବା ସିଆଇଆଇରେ ସଦସ୍ୟ ଅଛନ୍ତି ଦେଶର ବଡ଼ ବଡ଼ ଶିଳ୍ପପତି । ସିଆଇଆଇ ସହଯୋଗରେ ୨୦୧୬ରେ ମେକ୍‌ ଇନ୍‌ ଓଡ଼ିଶା କନକ୍ଳେଭ ବେଶ୍‌ ସଫଳ ହୋଇଥିଲା । ପ୍ରଥମ ସଂସ୍କରଣରେ ୩ ଲକ୍ଷ ୬୪ ହଜାର କୋଟି ଟଙ୍କାର ୧୨୪ଟି ନିବେଶ ପ୍ରସ୍ତାବ ଆସିଥିଲା। ସେଥିରୁ ୬୦ ପ୍ରତିଶତ ନିବେଶ, ବିଭିନ୍ନ ପର୍ଯ୍ୟାୟରେ ରହିଛି । ତେବେ ଦ୍ୱିତୀୟ ସଂସ୍କରଣରେ ସିଆଇଆଇ ଓହରି ଯିବା ରାଜ୍ୟ ସରକାରଙ୍କ ମେକ୍‌ ଇନ୍‌ ଓଡ଼ିଶା ଯୋଜନାକୁ ଲାଗିଛି ବଡ଼ ଧରଣର ଝଟ୍‌କା । ନିଷ୍ପତିର ପୁନଃବିଚାର କରିବାକୁ ସିଆଇଆଇକୁ ଅନୁରୋଧ କରିବେ ସରକାର। ସହଯୋଗ ନ ମିଳିଲେ ବି କନକ୍ଲେଭ ବନ୍ଦ ହେବନି ଓ ରାଜ୍ୟ ସରକାର ଏହାକୁ ଆଗେଇ ନେବେ ବୋଲି ସ୍ପଷ୍ଟ କରିଛି ବିଜେଡି।

ସେପଟେ ବିଜେଡି ବନାମ ବୈଜୟନ୍ତଙ୍କ ପରିବାର ବିବାଦ ତେଜୁଥିବା ବେଳେ ଜାଗିମଙ୍ଗତ ପଣ୍ଡାଙ୍କ ସମର୍ଥନରେ ବାହାରିଲା ବିଜେପି। ମେକ୍‌ ଇନ୍‌ ଓଡିଶା କାର୍ଯ୍ୟକ୍ରମରୁ ସିଆଇଆଇ ଓହରିଯିବା ପ୍ରସଙ୍ଗରେ ବିଧାୟକ ପ୍ରଦୀପ ପୁରୋହିତ କହିଛନ୍ତି ରାଜ୍ୟ ସରକାରଙ୍କର କୌଣସି ଭିଜନ ନଥିବାରୁ ସିଆଇଆଇ ଓହରିଯାଇଛି । ଅଯଥାରେ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ପଛରେ ପଡିଛି ବିଜେଡି। ସେପଟେ ବିଜେପି ସହ ବୈଜୟନ୍ତଙ୍କ ଭିତିରିଆ ସଂପର୍କ ରହିଥିବା ଅଭିଯୋଗ ଆଣିଛି ବିଜେଡି । ଇଣ୍ଡଷ୍ଟ୍ରୀ ଷ୍ଟାଣ୍ଡିଂ କମିଟିରେ ବୈଜୟନ୍ତ ପଣ୍ଡା ମେମ୍ବର ହୋଇଥିବା ଏହାର ପ୍ରମାଣ ବୋଲି କହିଛନ୍ତି ବିଜେଡି ସାଂସଦ ପ୍ରତାପ ଦେବ।

ସମ୍ବନ୍ଧିତ ଖବର