କୃଷିଋଣ ଛାଡ ନେଇ ଚାଲିଲା ପ୍ରତିଯୋଗିତା : ସତ୍ତାକୁ ଆସିଲେ କୃଷିଋଣ ଛାଡ କରିବୁ ବୋଲି କହିଲା ବିଜେପି, ସରକାର ଅନୁଧ୍ୟାନ କରୁଛନ୍ତି ବୋଲି ମତ ରଖିଲା ବିଜେଡି

ଭୁବନେଶ୍ବର:   ମଧ୍ୟପ୍ରଦେଶ ଓ ଛତିଶଗଡରେ କଂଗ୍ରେସ ସରକାର ଆସି କୃଷିଋଣ ଛାଡ କରିବାକୁ ଘୋଷଣା କରିବା ପରେ ବିଜେପି ମଧ୍ୟ ଏହି ରଣନୀତିକୁ ଆପଣାଇଛି । ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା କହିଛନ୍ତି,୨୦୧୯ରେ ଓଡିଶାରେ ବିଜେପି କ୍ଷମତାକୁ ଆସିଲେ କୃଷିଋଣ ଛାଡ ହେବ । କୃଷକଙ୍କୁ ସୁଧମୁକ୍ତ ଋଣ ଦେବା ଲାଗି ବନ୍ଦୋବସ୍ତ କରାଯିବ । ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଏଭଳି ଘୋଷଣା କରିଥିଲେ । ରାଜ୍ୟ  ସରକାରଙ୍କ କୃଷକ ମାରଣ ନୀତି ଯୋଗୁଁ ଚାଷୀ ଶୋଷିତ ହୋଇ ଆସୁଛନ୍ତି । ତେଣୁ କୃଷି ସମସ୍ୟା ନେଇ ଆସନ୍ତା ୮ ତାରିଖରେ ବିଜେପି ରାଜ୍ୟ ସଚିବାଳୟ ଘେରାଉ କରିବ । ଏପରିକି ଧାନ ମଣ୍ଡିରେ ଯେଉଁ ସମସ୍ୟା ଦେଖାଦେଇଛି ସେଥିପାଇଁ ଆସନ୍ତାକାଲି ଠାରୁ ରାଜ୍ୟର ସବୁ ଧାନ ମଣ୍ଡିରେ ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ଆନ୍ଦୋଳନ କରାଯିବ ।

ସେପଟେ ବିଜେପି ରାଜ୍ୟ ସଭାପତିଙ୍କ ମନ୍ତବ୍ୟ ନେଇ ପ୍ରତିକ୍ରିୟା ରଖିଛି ବିଜେଡି । ମୁଖପାତ୍ର ପ୍ରତାପ ଦେବ କହିଛନ୍ତି, ବିଜେପିର ଏହା ବିନାଶ କାଳେ ବିପରୀତ ବୁଦ୍ଧି । କୃଷି ଋଣ ପ୍ରସଙ୍ଗରେ ରାଜ୍ୟ ସରକାର ଅନୁଧ୍ୟାନ କରୁଛନ୍ତି ବୋଲି ସେ କହିଛନ୍ତି । ଏଥିପାଇଁ ମନ୍ତ୍ରିମଣ୍ଡଳସ୍ତରୀୟ ଏକ ଟିମ୍ ଗଠନ କରିଛନ୍ତି । ସେମାନେ ବିଭିନ୍ନ କୃଷକ ନେତାଙ୍କ ସହ ଆଲୋଚନା କରିଛନ୍ତି । ଏପରିକି ବିଭିନ୍ନ ଜିଲ୍ଲା ଓ ବ୍ଲକ ସ୍ତରରେ ଚାଷୀଙ୍କ ସମସ୍ୟା ସମ୍ପର୍କିତ ମତାମତ ସଂଗ୍ରହ କରୁଛନ୍ତି ରାଜ୍ୟ ସରକାର । ଆଉ ଏହାକୁ ଅନୁଧ୍ୟାନ କରି ଠିକଣା ସମୟରେ ଠିକ୍ ନିଷ୍ପତି ନିଆଯିବ ବୋଲି କହିଛନ୍ତି ପ୍ରତାପ ଦେବ ।

ନିକଟରେ ସରିଥିବା ବିଧାନସଭା ନିର୍ବାଚନରେ କୃଷିଋଣ କଂଗ୍ରେସ ଘୋଷଣାପତ୍ରରେ ସବୁଠୁ ଆଗରେ ଥିଲା । ଆଉ ଦଳ କ୍ଷମତାକୁ ଆସିବା ପରେ ମଧ୍ୟପ୍ରଦେଶ ଓ ଛତିଶଗଡରେ ପ୍ରଥମ ନିଷ୍ପତି ସ୍ୱରୂପ କୃଷିଋଣ ଛାଡ ହୋଇଛି । ତେଣୁ କୃଷି ଋଣକୁ ପ୍ରସଙ୍ଗ କରି ନିର୍ବାଚନୀ ବୈତରଣୀ ପାର ହେବାକୁ ଲକ୍ଷ୍ୟ ରଖିଛି ବିଜେପି ।

ସମ୍ବନ୍ଧିତ ଖବର