ଭିଏଲ୍‌ଡବ୍ଲ୍ୟୁ ମୃତ୍ୟୁ ଘଟଣାରେ ବିଜେପି ହୀନ ରାଜନୀତି କରୁଛି: ବିଜେଡି

ଭୁବନେଶ୍ୱର: ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକର ଭିଏଲ୍‌ଡବ୍ଲ୍ୟୁ ସ୍ମିତାରାଣୀ ବିଶ୍ୱାଳଙ୍କ ମୃତ୍ୟୁ ଘଟଣାରେ ପୁଲିସ୍‌ ହରିଦାଶପୁର ପଞ୍ଚାୟତର ସରପଞ୍ଚଙ୍କ ସ୍ୱାମୀ ରୂପେଶ ଭଦ୍ରଙ୍କୁ ବାନ୍ଧିବା ସହିତ ତଦନ୍ତ ପ୍ରକ୍ରିୟାକୁ ତ୍ୱରାନ୍ଵିତ କରିଥିବା ବେଳେ ରାଜନୈତିକ ଅଭିସନ୍ଧି ରଖି ଭାରତୀୟ ଜନତା ପାର୍ଟି (ବିଜେପି) ଏବେ ଏଥିରେ ବିଜେଡି ନେତାମାନଙ୍କୁ ଯୋଡ଼ିବାକୁ ଉଦ୍ୟମ କରୁଛି। ଏପରିକି ଏହି ମାମଲାରେ ବିଜେଡିକୁ ଯୋଡ଼ିବା ପାଇଁ ବିଜେପି ନେତାମାନେ ଗିରଫ ହୋଇଥିବା ସରପଞ୍ଚଙ୍କ ସ୍ୱାମୀଙ୍କ ସହିତ କିଛି ବିଜେଡି ନେତାଙ୍କ ଫଟୋ ଦେଖାଇଛନ୍ତି। ତେବ ଗିରଫ ହୋଇଥିବା ରୂପେଶଙ୍କ ସହିତ ବିଜେପିର କିଛି ବରିଷ୍ଠ ନେତାଙ୍କ ମାଳମାଳ ଫଟୋ ଏବେ ପଦାକୁ ଆସିଛି। ତେଣୁ ଏହି ମାମଲାରେ କ’ଣ ବିଜେପି ନେତାମାନେ ଜଡ଼ିତ କି ବୋଲି ପ୍ରଶ୍ନ କରିଛନ୍ତି ବିଜେଡି ମୁଖପାତ୍ର ଶ୍ରୀମତି ସୁଲତା ଦେଓ।

ଶ୍ରୀମତି ଦେଓ କହିଛନ୍ତି ଯେ, ଏହି ସମ୍ବେଦନଶୀଳ ମାମଲାରେ ପୁଲିସ ତଦନ୍ତ ଜାରି ରଖିଛି। ଇତି ମଧ୍ୟରେ ମାମଲାରେ ଜଡ଼ିତ ଅଭିଯୋଗରେ ସରପଞ୍ଚଙ୍କ ସ୍ୱାମୀ ଗିରଫ ହୋଇଛନ୍ତି। ରାଜ୍ୟ ସରକାର ମାମଲାକୁ ଗୁରୁତ୍ୱର ସହ ନେଇ ତଦନ୍ତକୁ ଜୋରଦାର କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ତେଣୁ ତଦନ୍ତ ସରିବା ପର୍ଯ୍ୟନ୍ତ ବିରୋଧୀଦଳ ଗୁଡ଼ିକୁ ଅପେକ୍ଷା କରିବା ଉଚିତ୍‌। ହେଲେ ଦଳୀୟ ସ୍ୱାର୍ଥ ଦୃଷ୍ଟିରୁ ସେମାନେ ଏବେ ମାମଲାକୁ ଅଧିକ ଗୋଳିଆ କରିବାରେ ଲାଗିଛନ୍ତି। ଏଥି ଯୋଗୁଁ ତଦନ୍ତ ବାଟବଣା ହେବାରେ ଆଶଙ୍କା ବି ରହିଛି। ଜଣେ ମହିଳା କର୍ମଚାରୀଙ୍କ ମୃତ୍ୟୁ ଅତ୍ୟନ୍ତ ସ୍ପର୍ଶକାତର ଘଟଣା ହୋଇଥିବା ଏବଂ ଆତ୍ମୀୟଙ୍କୁ ହରାଇ ତାଙ୍କର ପରିବାର ଅତ୍ୟନ୍ତ ମାନସିକ ଚାପରେ ଥିବାଯୋଗୁଁ ଦଳ ମତ ନିର୍ବିଶେଷରେ ସମସ୍ତେ ଏହି ତଦନ୍ତକୁ ସହାୟତା କରିବା ଆବଶ୍ୟକ। ହେଲେ ତାହା ନ କରି ବିଜେପି ଯେଭଳି ରାଜନୈତିକ ସ୍ୱାର୍ଥ ସାଧନ ଲାଗି ବିବୃତ୍ତିମାନ ଜାରି କରୁଛି ତାହା ଅତ୍ୟନ୍ତ ନିନ୍ଦନୀୟ। ତେଣୁ ମାମଲାର ତଦନ୍ତ ସରିବା ପର୍ଯ୍ୟନ୍ତ ବିଜେପି ଏଭଳି ଦାୟିତ୍ୱହୀନ ମନ୍ତବ୍ୟ ଦେବାରୁ ନିବୃତ୍ତ ରହିବା ସହିତ ହୀନ ରାଜନୀତି ନ କରିବାକୁ ଶ୍ରୀମତି ଦେଓ ପରାମର୍ଶ ଦେଇଛନ୍ତି।

ସମ୍ବନ୍ଧିତ ଖବର