ସରକାରୀ ଚିଠିକୁ ଦଳୀୟ ବିଜ୍ଞାପନରେ ବ୍ୟବହାର କରି ଶାସକ ବିଜେଡି ନିର୍ବାଚନ ଆଚରଣ ବିଦ୍ଧି ଉଲ୍ଲଘଂନ କରୁଛି : ବିଜେପି

ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଅଭିଯୋଗ

ଭୁବନେଶ୍ୱର: ଶାସକ ବିଜେଡି ବିଭିନ୍ନ ଖବରକାଗଜ ମାନଙ୍କରେ ସରକାରୀ ଚିଠି, ଦସ୍ତାବିଜକୁ ନେଇ ନିର୍ବାଚନ ପ୍ରଚାର କରୁଛି । ଚଳିତ ମାସ ୨୧ ଏବଂ ୨୫ ତାରିଖରେ ବିଜେଡି ପକ୍ଷରୁ ବିଭିନ୍ନ ଖବର କାଗଜରେ ୨ ଫୁଲ ପେଜ ବିଜ୍ଞାପନ ମାଧ୍ୟମରେ ସରକାରୀ ତଥ୍ୟ ଏବଂ ଚିଠିକୁ ବିଜେଡି ଦ୍ୱାରା ଅପବ୍ୟବହାର କରାଯାଇଛି । ଏପ୍ରିଲ ୨୧ ତାରିଖରେ ବିଜେଡିର ଏକ ଫୁଲ ପେଜ ବିଜ୍ଞାପନରେ ନାଲକୋ ଫାଉଣ୍ଡେସନ ଏବଂ ବିଏମସି, ରାଉରକେଲା ଷ୍ଟିଲ ପ୍ଲାଂଟ, ଆରଏସଏଫ ମଧ୍ୟରେ ହୋଇଥିବା ୨ ଟି ବୁଝାମଣା ପତ୍ରକୁ ଦର୍ଶାଇଛି । ସେହିଭଳି ଏପ୍ରିଲ ୨୫ ତାରିଖ ଦିନ ମେଡିକାଲ କାଉନସିଲ ଅଫ ଇଣ୍ଡିଆର ଚିଠିକୁ ବିଜ୍ଞାପନରେ ମାଧ୍ୟମରେ ବ୍ୟବହାର କରିଛି ।

ବିଜେପି ଅଭିଯୋଗ ଆଣିଛି ଯେ, ଏହି କାମ କରି ଶାସକ ବିଜେଡି ଆଦର୍ଶ ନିର୍ବାଚନ ଆଚରଣ ବିଦ୍ଧିର ଉଲ୍ଲଘଂନ କରିଛି । ସରକାରୀ କାଗଜ ପତ୍ରକୁ ଦଳୀୟ ବିଜ୍ଞାପନରେ ବ୍ୟବହାର କରିବା ରାଜନୈତିକ ଦଳଙ୍କ ଆଦର୍ଶ ଆଚରଣ ବିଦ୍ଧି ଭାଗ -୭କୁ ଉଲ୍ଲଘଂନ କରୁଛି । ଶାସକ ବିଜେଡି ମେଡିକାଲ କାଉନସିଲ ଅଫ ଇଣ୍ଡିଆ,
ନାଲକୋ, ଆରଏସଏଲକୁ ବ୍ୟବହାର କରି ବିଜେପିକୁ ବଦନାମ କରୁଛି । ଏହା ବିରୁଦ୍ଧରେ ତୁରନ୍ତ ତଦନ୍ତ କରିବା ସହ ବିଜେଡି ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ରାଜ୍ୟ ଉପ ସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଦାବି ଜଣାଇଛି ।

ଏହି ପ୍ରତିନିଧୀ ଦଳରେ ରାଜ୍ୟ ମୁଖପାତ୍ର ଗୋବିନ୍ଦ ଅଗ୍ରୱାଲ, ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଟଙ୍କଧର ତ୍ରିପାଠୀ, ରାଜ୍ୟ ନିର୍ବାଚନ ପ୍ରକୋଷ୍ଠ ଆବାହକ ରବିଶଙ୍କର ପଟ୍ଟନାୟକ, ସୋସିଆଲ ମିଡିଆ ସଂଯୋଜକ ମାନସ ବକ୍ସି ପ୍ରମୁଖ ଉପସ୍ଥିତ ଥିଲେ ।

ସମ୍ବନ୍ଧିତ ଖବର