ରାଜ୍ୟ ନିର୍ବାଚନ କମିସନରଙ୍କ ବରଖାସ୍ତ ଦାବି : ରାଜ୍ୟପାଳଙ୍କୁ ଭେଟିଲେ ବିଜେପି ପ୍ରତିନିଧି ଦଳ

ଭୁବନେଶ୍ୱର : ନବନିଯୁକ୍ତ ରାଜ୍ୟ ନିର୍ବାଚନ କମିସନର ନବ କୁମାର ନାୟକଙ୍କୁ ତୁରନ୍ତ ବରଖାସ୍ତ କରିବା ପାଇଁ ରାଜ୍ୟପାଳଙ୍କ ଠାରେ ଆଜି ବିଜେପି ଦାବି ରଖିଛି। ବିଜେପିର ଏକ ପ୍ରତିନିଧି ଦଳ ରାଜ୍ୟପାଳଙ୍କୁ ତାଙ୍କୁ ବରଖାସ୍ତ କରିବା ଲାଗି ଦାବି କରିଛନ୍ତି।

ବିଜେପି ଅଭିଯୋଗ କରିଛି, ସାମ୍ବିଧାନିକ ବିଧି ବ୍ୟବସ୍ଥାକୁ ସମ୍ପୂର୍ଣ୍ଣରୂପେ ଧୂଳିସାତ୍‌ କରି ରାଜ୍ୟ ସରକାର ଶ୍ରୀ ନାୟକଙ୍କୁ ନିର୍ବାଚନ କମିସନରଙ୍କ ଭଳି ଗୁରୁତ୍ୱପୂର୍ଣ୍ଣ ସାମ୍ବିଧାନିକ ପଦବିରେ ବସାଇଛନ୍ତି। ୨୦୧୪ ମାର୍ଚ୍ଚ ୩୧ରେ ସରକାରୀ ଚାକିରିରୁ ଅବସର ନେବା ପରେ ଶ୍ରୀ ନାୟକଙ୍କୁ ରାଜ୍ୟ ସରକାର ଅନେକ ପଦ ପଦବିରେ ବସାଇଛନ୍ତି। ଶ୍ରୀ ନାୟକଙ୍କୁ ରାଜ୍ୟ ଆଡିସନାଲ ଚିଫ୍‌ ଇଲେକ୍ଟୋରାଲ ଅଫିସର, ଷ୍ଟାଫ୍‌ ସିଲେକସନ୍‌ କମିସନର ଅଧ୍ୟକ୍ଷ ଓ ପରେ ରାଜ୍ୟ ଯୋଜନା ଓ ସମନ୍ଵୟ ବିଭାଗରେ ଓଏସଡି ଭାବେ ନିଯୁକ୍ତି ଦିଆଯାଇଥିଲା

ବିଜେପି କହିଛି, ରାଜ୍ୟ ନିର୍ବାଚନ କମିସନର ୫ ବର୍ଷିଆ କାଯ୍ୟର୍କାଳରେ ୬୫ ବର୍ଷ ବୟସ ପଯ୍ୟର୍ନ୍ତ ଏହି ଦାୟିତ୍ୱ ତୁଲାଇ ପାରିବେ । ଶ୍ରୀ ନାୟକ ୨୦୧୯ ମସିହା ମାର୍ଚ୍ଚରେ ୬୫ ବର୍ଷରେ ପଦାର୍ପଣ କରିବେ। ଏଣୁ ସେପ୍ଟେମ୍ବର ୨୦୧୮ରେ ହେବାକୁ ଥିବା ପୌର ନିର୍ବାଚନରେ ସରକାରୀ ଦଳକୁ ଲାଭ ପାଇଁ ଚଞ୍ଚକତା କରି ଶ୍ରୀ ନାୟକଙ୍କୁ ଏହି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦିଆଯାଇଛି ବୋଲି ବିଜେପି ଅଭିଯୋଗ କରିଛି। ଶ୍ରୀ ନାୟକଙ୍କ ପୂର୍ବରୁ ୪ ଜଣ ରାଜ୍ୟ ନିର୍ବାଚନ କମିସନର, ମୁଖ୍ୟ ଶାସନ ସଚିବ ର‍୍ୟାଙ୍କର ଥିବା ବେଳେ ଶ୍ରୀ ନାୟକ ଆଡିସନାଲ ସେକ୍ରେଟାରି ସ୍ତରରୁ ଚାକିରିରୁ ଅବସର ନେଇଛନ୍ତି। ଏତେ ତଳ ସ୍ତରର ସରକାରୀ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯିବା ଉପରେ ବିଜେପି ପ୍ରଶ୍ନ ଉଠାଇବା ସହ ତୁରନ୍ତ ବହିଷ୍କାର କରିବାକୁ ଦାବି କରିଛି।

ପ୍ରତିନିଧି ଦଳରେ ବିଜେପି ନେତା ପୀତାମ୍ବର ଆଚାର୍ଯ୍ୟ, ଉପ ସଭାପତି ସମୀର ମହାନ୍ତି, ବିଷ୍ଣୁ ସେଠୀ, ସୁଶ୍ରୀ ସୁକେଶୀ ଓରାମ, ରାଜ୍ୟ ସାଧାରଣ ସଂପାଦକ ଭୃଗୁ ବକ୍ସିପାତ୍ର, ରାଜ୍ୟ ସଂପାଦକ କାଳନ୍ଦୀ ସାମଲ, ରାଜ୍ୟ ମୁଖପାତ୍ର ସଜ୍ଜନ ଶର୍ମା, ଯୁବ ମୋର୍ଚ୍ଚା ରାଷ୍ଟ୍ରୀୟ ଉପ ସଭାପତି ଠାକୁର ରଣଜିତ୍‌ ଦାସ ପ୍ରମୁଖ ସାମିଲ ଥିଲେ ।

ହାଇକୋର୍ଟରେ ଶୁଣାଣି ୧୫ରେ

କଟକ : ନବ ନିଯୁକ୍ତ ରାଜ୍ୟ ନିର୍ବାଚନ କମିସନର ନବ କୁମାର ନାୟକଙ୍କ ନିଯୁକ୍ତି ରଦ୍ଦ ପାଇଁ ଦାୟର ମାମଲାର ଶୁଣାଣି ମୁଖ୍ୟ ବିଚାରପତିଙ୍କ ଖଣ୍ଡପୀଠରେ ଫେବ୍ରୁଆରି ୧୫ରେ ହେବ। ଆଜି ଜଷ୍ଟିସ ଏସ୍‌.ସି.ପରିଜା ଓ ଜଷ୍ଟିସ ଦେବବ୍ରତ ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠରେ ମାମଲାର ଶୁଣାଣି ହୋଇଥିଲା। ନିର୍ବାଚନ କମିସନର ନିଯୁକ୍ତି ନିୟମାବଳୀର ସାମ୍ବିଧାନିକ ବୈଧତା ପ୍ରସଂଗ ଜଡିତ ଥିବା ଦୃଷ୍ଟିରୁ ଏହି ମାମଲାର ଶୁଣାଣି ମୁଖ୍ୟ ବିଚାରପତିଙ୍କ ଖଣ୍ଡପୀଠରେ ହେବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଆବେଦନକାରୀଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟ ସୂଚନା ଦେଇଛନ୍ତି। ବରିଷ୍ଠ ଆଇନଜୀବୀ ଶ୍ରୀ ଆଚାର୍ଯ୍ୟଙ୍କୁ ଏହି ମାମଲା ପରିଚାଳନାରେ ଆଇନଜୀବୀ ଅଦ୍ୱିତୀୟ ଶତପଥୀ, ଗାୟତ୍ରୀ ପାତ୍ର ସହଯୋଗ କରୁଛନ୍ତି। ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତିଙ୍କ ପକ୍ଷରୁ ଦାୟର ମାମଲାରେ ରାଜ୍ୟ ନିର୍ବାଚନ କମିସନର ଭାବେ ଶ୍ରୀ ନାୟକଙ୍କ ନିଯୁକ୍ତିକୁ ଚାଲେଞ୍ଜ କରାଯାଇଛି।

ସମ୍ବନ୍ଧିତ ଖବର