ସ୍ଥାନୀୟ ସମସ୍ୟାକୁ ନେଇ ତୃଣମୂଳ ସ୍ତରରେ ଆନ୍ଦୋଳନ

ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ଆରମ୍ଭ, ଆଜି ଯୋଗ ଦେବେ ସ୍ମୃତି ଇରାନୀ

ଭୁବନେଶ୍ବର : ବିଜେପିର ଦୁଇ ଦିନିଆ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଆଜି ଠାରୁ ଦଳୀୟ କାର୍ଯ୍ୟାଳୟରେ ଆରମ୍ଭ ହୋଇଛି। ପ୍ରଥମ ଦିନ ପଦାଧିକାରୀମାନଙ୍କ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ରାଜ୍ୟରେ ହେଉଥିବା ବ୍ୟାପକ ଦୁର୍ନୀତି, ଭ୍ରଷ୍ଟାଚାର, ଦିନକୁ ଦିନ ବଢ଼ି ଚାଲିଥିବା ମହିଳା ହିଂସା ଓ ଅତ୍ୟାଚାର, ବିପର୍ଯ୍ୟସ୍ତ ଶିକ୍ଷା, ସ୍ବାସ୍ଥ୍ୟ ବ୍ୟବସ୍ଥା ଓ ସାମ୍ପ୍ରତିକ ରାଜନୈତିକ ସ୍ଥିତି ସମ୍ପର୍କରେ ଆଲୋଚନା‌ ହୋଇଥିଲା। ରାଜ୍ୟ ସରକାରଙ୍କ ବିଭିନ୍ନ ନୀତି ବିରୋଧରେ ଏକ ଖସଡ଼ା ପ୍ରସ୍ତୁତ କରାଯାଇଥିଲା। ଏହା ସହ ଆଗାମୀ ଦିନରେ ସ୍ଥାନୀୟ ସମସ୍ୟାକୁ ନେଇ ତୃଣମୂଳ ସ୍ତରରେ ବ୍ୟାପକ ଜନ ଆନ୍ଦୋଳନ ଆରମ୍ଭ ହେବା ସହ ରାଜ୍ୟ ସରକାରଙ୍କ ସ୍ଥାଣୁତା ଓ ଅପାରଗତା ସମ୍ପର୍କରେ ସାଧାରଣ ଜନତାଙ୍କୁ ଅବଗତ କରାଯିବ ବୋଲି ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ସାଂଗଠନି ସ୍ତରରେ ନିର୍ବା‌ଚନ ପାଇଁ ବିଜେପି ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି। ଯେ କୌଣସି ସମୟରେ ନିର୍ବାଚନ ହେଲେ ବିଜେପି ସାଂଗଠନିକ ଓ ନେତୃତ୍ବ ସ୍ତରରେ ନିର୍ବାଚନ ଲଢ଼ିପାରିବ ବୋଲି ବୈଠକରେ ଜୋର୍‌ ଦିଆଯାଇଥିଲା। ଆସନ୍ତାକାଲି କାର୍ଯ୍ୟକାରିଣୀ ବୈଠକ‌େର କେନ୍ଦ୍ର ବୟନ ଶିଳ୍ପ ମନ୍ତ୍ରୀ ସ୍ମୃତି ଇରାନୀ ଯୋଗ ଦେବେ। ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ସଭାପତିତ୍ବରେ ଆୟୋଜିତ ଆଜିର ପଦାଧିକାରୀ ବୈଠକରେ କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଓ ରାଜ୍ୟ ପ୍ରଭାରୀ ଅରୁଣ ସିଂହ, ରାଷ୍ଟ୍ରୀୟ ସମ୍ପାଦକ ସୁରେଶ ପୂଜାରୀ, ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓ, ରାଜ୍ୟ ସାଧାରଣ ସମ୍ପାଦକ(ସଂଗଠନ) ମାନସ ମହାନ୍ତି, ବରିଷ୍ଠ ନେତା ବିଶ୍ବଭୂଷଣ ହରିଚନ୍ଦନ, ଗିରିଧର ଗମାଙ୍ଗୋ, ମନମୋହନ ସାମଲ ଓ ବରିଷ୍ଠ ନେତାମାନେ ଉପସ୍ଥିତ ଥି‌େଲ।

ସମ୍ବନ୍ଧିତ ଖବର