ମିଶନ ୧୨୦ ଟାର୍ଗେଟ ପୂରଣ ନ ହେବା ଯାଏଁ ଦାୟିତ୍ୱରୁ ହଟିପାରିବନି ବିଜେପି: ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ଭାରତୀୟ ଜନତା ପାର୍ଟିର ମିଶନ ହେଉଛି ୧୨୦। ଆଉ ଏହି ଟାର୍ଗେଟ ଯେତେଦିନ ଯାଏଁ ପୂରଣ ହୋଇନି, ସେତେଦିନ ଯାଏଁ ଦାୟିତ୍ୱରୁ ହଟିବନି ବୋଲି କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ଏବଂ ଇସ୍ପାତ ମନ୍ତ୍ରୀ ଶନିବାର କହିଛନ୍ତି। ବିଜେପିର ୧୨୦ ମିଶନ ୨୦୨୪ରେ ପୂରଣ ହେବ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଜେପିର ସମ୍ବର୍ଦ୍ଧନା ସଭାରେ ପୁଣିଥରେ କର୍ମୀଙ୍କ କାନରେ ମିଶନ ୧୨୦କୁ ସଫଳ କରିବାର ମନ୍ତ୍ର ଫୁଙ୍କିଛନ୍ତି।

୨୦୧୯ରେ ବିଜେପିର ଭୋଟ ହାର ବଢିବା ସହ ବିଧାନସଭାରେ ବିରୋଧୀ ଦଳ ଆସନ ହାତେଇଛି। ବିରୋଧୀ ଦଳ ଆସନରେ ବସିଥିବା ବିଜେପି କିନ୍ତୁ ଏବେ ଚୁପ ବସିବ ନାହିଁ। ୨୦୨୪ ପାଇଁ ପ୍ରସ୍ତୁତ ହେବ ବ୍ଲୁ ପ୍ରିଣ୍ଟ। ସମ୍ବର୍ଦ୍ଧନା ସଭାରୁ ଏଭଳି କିଛି ସଂକେତ ଦେଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ। ବିଜେପିର ମିଶନ ୧୨୦ କୁଆଡେ ଗଲା ବୋଲି ଯେଉଁମାନେ କହୁଥିଲେ ସେମାନଙ୍କୁ ଲକ୍ଷ୍ୟ କରି ଧର୍ମେନ୍ଦ୍ର ମାରିଛନ୍ତି ତେରଛା ବାଣ। ୨୦୧୯ରେ ବିଜେପିର ଭୋଟ ହାର ଆଶ୍ଚର୍ଯ୍ୟଜନକ ଭାବେ ବଢିଛି। ଏପରିକି ଦଳ ୩ ନମ୍ବର ସ୍ଥାନ ପରିତ୍ୟାଗ କରି ଏବେ ବିରୋଧୀ ଦଳ ଆସନରେ ବସିଛି କିନ୍ତୁ ଅଧୁରା ଥିବା ମିଶନ ୧୨୦କୁ ଦଳ ଏଯାଏଁ ଭୁଲିନାହିଁ।

ମିଶନ ୧୨୦କୁ ପୂରା କରିବାକୁ ପ୍ରତିଶୃତି ଦେବା ସହ ନାଁ ନ ନେଇ ବିଜେଡି ଉପରେ ବର୍ଷିଥିଲେ ଧର୍ମେନ୍ଦ୍ର। ଯେଉଁମାନେ ୨୧ରୁ ୨୧ ଆସନରେ ବିଜୟୀ ହୋଇ ଦିଲ୍ଲୀ କ୍ଷମତା ଡୋରିର ଚାବିକାଠି ଧରିବାକୁ ସ୍ୱପ୍ନ ଦେଖୁଥିଲେ ସେମାନଙ୍କୁ ରାଜ୍ୟବାସୀ ଉପଯୁକ୍ତ ଜବାବ ଦେଇଛନ୍ତି ବୋଲି ସେ କହିଛନ୍ତି। ଏବେ ବିଜେପି ସହ ରାଜ୍ୟର ସବୁ ବର୍ଗର ଲୋକ ଯୋଡି ହୋଇଛନ୍ତି, ଯାହାର ଝଲକ ଚଳିତ ନିର୍ବାଚନରେ ଦେଖିବାକୁ ମିଳିଛି। ବିଜେପିକୁ ଭୋଟ ଦେବାସହ ରାଜ୍ୟବାସୀ୮ ସାଂସଦଙ୍କୁ ଦିଲ୍ଲୀ ପଠାଇଛନ୍ତି। ବିଜେପି କେବଳ ଜନତାଙ୍କ ବିଶ୍ୱାସ ଓ ଭରସା ଜିତିନାହିଁ ବରଂ ରାଜ୍ୟବାସୀଙ୍କ ପ୍ରତି ଦଳର ଦାୟିତ୍ୱ ମଧ୍ୟ ବଢିଛି।

ଗୋଟିଏ ପଟେ ମିଶନ ୧୨୦ ଓ ଅନ୍ୟପଟେ ବିଜେଡିକୁ ଟାର୍ଗେଟ। ଆଉ ଏଭଳି ଗରମାଗରମ ମାହୋଲ ମଧ୍ୟରେ ବାଲେଶ୍ୱର ସାଂସଦ ତଥା କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀଙ୍କୁ ପ୍ରଂଶସାରେ ପୋତି ପକାଇଥିଲେ ଧର୍ମେନ୍ଦ୍ର। ଶପଥ ଗ୍ରହଣ ଉତ୍ସବରେ ପ୍ରତାପଙ୍କ ପାଇଁ ମୋଦୀଙ୍କ ପରେ ସବୁଠୁ ଅଧିକ ତାଳି ବାଜିଥିଲା। ଏହା ପ୍ରତାପ ନନାଙ୍କର ସମ୍ମାନ ନୁହେଁ ଏହା ପୂରା ରାଜ୍ୟବାସୀଙ୍କ ପାଇଁ ସମ୍ମାନ। ପ୍ରତାପ ଯେଉଁ ବିନମ୍ରତା ଦେଖାଇଥିଲେ ତାହାର ଫଳ ଥିଲା ଜନତାଙ୍କ ତାଳିମାଡ। ସମ୍ବର୍ଦ୍ଧନା ସଭାରେ ଧର୍ମେନ୍ଦ୍ରଙ୍କ ଏହି ବୟାନ କେବଳ ବିଜେପି କର୍ମୀଙ୍କ ମନରେ ଜୋଶ ଭରିନଥିଲା ବରଂ ମୋଦୀଙ୍କ ଫୋକସରେ ଓଡିଶା ରହିଥିବା ସ୍ପଷ୍ଟ ଦର୍ଶାଇଥିଲା।

ସମ୍ବନ୍ଧିତ ଖବର