ସବୁ ଆର୍‌ଆଇ ଅଫିସ୍‌ ସାମ୍ନାରେ ଆନ୍ଦୋଳନ କରିବ ବିଜେପି

ଭୁବନେଶ୍ୱର : ଚାଷ ଓ ଚାଷୀଙ୍କ ସମସ୍ୟା ନେଇ ରାସ୍ତାକୁ ଓହ୍ଲାଇବ ବିଜେପି। ଡିସେମ୍ବର ମାସରେ ସାରା ରାଜ୍ୟରେ ବିକ୍ଷୋଭ ଓ ଆନ୍ଦୋଳନ କରାଯିବ। ସବୁ ଆର୍‌ଆଇ ଅଫିସ୍‌ ସାମ୍ନାରେ ବିଜେପି କର୍ମୀମାନେ ଆନ୍ଦୋଳନ କରିବେ। ପ୍ରକୃତ କ୍ଷତିଗ୍ରସ୍ତ ଚାଷୀ ଚିହ୍ନଟ, ଚିହ୍ନଟର ସମୟସୀମା ସ୍ଥିର ଓ ତୁରନ୍ତ କ୍ଷତିପୂରଣ ଦାବିରେ ଏହି ଆନ୍ଦୋଳନ ହେବ। ଆଜି ବିଜେପିର ଜିଲ୍ଲା ସଭାପତି ଓ ବରିଷ୍ଠ ନେତାମାନଙ୍କ ଉପସ୍ଥିତିରେ ହୋଇଥିବା ଏକ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

ଏ ସମ୍ପର୍କରେ ସୂଚନା ଦେଇ ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତି କହିଛନ୍ତି, ସ୍ୱଳ୍ପ ବୃଷ୍ଟି କାରଣରୁ ଫସଲ ହାନି, ପରେ ଚକଡ଼ା ପୋକ ଆକ୍ରମଣ ଓ ପୁଣି ଅଦିନିଆ ବର୍ଷା କାରଣରୁ ରାଜ୍ୟରେ ଚାଷୀମାନେ ସଙ୍କଟରେ ଅଛନ୍ତି। ନକଲି ବିହନ ଓ ନକଲି କୀଟନାଶକ ରାଜ୍ୟ ଚାଷୀକୂଳକୁ ସର୍ବନାଶ କରିଛି। ଏହି ପରିସ୍ଥିତିରେ ରାଜ୍ୟ ସରକାରଙ୍କ ପ୍ୟାକେଜ୍‌ ଘୋଷଣାର ଲାଭ ନକଲି ଚାଷୀ ନୁହେଁ, ପ୍ରକୃତ କ୍ଷତିର ସାମ୍ନା କରିଥିବା ଚାଷୀଙ୍କୁ ମିଳିବା ଦାବିରେ ଦଳ ତରଫରୁ ଆନ୍ଦୋଳନ କରାଯିବ।

ବିଜେପି ପକ୍ଷରୁ ସନ୍ଦେହ ପ୍ରକାଶ କରାଯାଇ କୁହାଯାଇଛି, ଚାଷୀଙ୍କ କ୍ଷୟକ୍ଷତି ଆକଳନ କରି ରିପୋର୍ଟ ଦେବା ପାଇଁ ସରକାର ସରପଞ୍ଚମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ରାଜସ୍ୱ ବିଭାଗର ତୃଣମୂଳ ସ୍ତରର କର୍ମଚାରୀ ମରୁଡ଼ି କାରଣରୁ ଠିକ୍‌ ସମୟରେ କ୍ଷୟକ୍ଷତି ଆକଳନ ନେଇ ସନ୍ଦେହ ରହିଛି। ସରପଞ୍ଚମାନଙ୍କ ରିପୋର୍ଟ ଆଧାରରେ କ୍ଷତିପୂରଣ ତାଲିକା ପ୍ରସ୍ତୁତି ପାଇଁ ସରକାରଙ୍କ ଯୋଜନା ପ୍ରକୃତ ଚାଷୀ ବଦଳରେ ରାଜନୈତିକ ଆଧାରରେ କ୍ଷତିଗ୍ରସ୍ତ ଚାଷୀଙ୍କ ତାଲିକା ପ୍ରସ୍ତୁତ କରିବାକୁ ସରକାର ଚାହୁଁଛନ୍ତି ବୋଲି ଦଳ ଅଭିଯୋଗ କରିଛି।

ସମ୍ବନ୍ଧିତ ଖବର