ଇସିଙ୍କ ନିକଟରେ ଫେରାଦ ହେଲା ବିଜେପି

ଅଭିଯୋଗର ଭିତ୍ତି ନାହିଁ: ପିନାକୀ ମିଶ୍ର

ନୂଆଦିଲ୍ଲୀ : ନିର୍ବାଚନୀ ଖର୍ଚ୍ଚ ଅନିୟମିତତା ମାମଲାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୋଧରେ ଜନ ପ୍ରତିନିଧି ଆଇନର ଧାରା ୭୭ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଦାବି କରି ଆଜି ରାଜ୍ୟ ବିଜେପିର ପ୍ରତିନିଧିମଣ୍ଡଳ ଭାରତୀୟ ନିର୍ବାଚନ କମିସନ(ଇସି)ଙ୍କ ନିକଟରେ ଫେରାଦ ହୋଇଥିଲା। ହିଂଜିଳି ବିଧାନସଭା ନିର୍ବାଚନୀ ଖର୍ଚ୍ଚ ମାମଲାରେ ଆଜି ବିଜେପି ମୁଖ୍ୟ ନିର୍ବାଚନ କମିସନରଙ୍କୁ ସମ୍ପୂର୍ଣ୍ଣ ତଥ୍ୟ ପ୍ରଦାନ କରିଥିଲା ବୋଲି ବିଜେପି ପ୍ରତିନିଧି ମଣ୍ଡଳରେ ସାମିଲ୍‌ ଥିବା ରାଜ୍ୟ ବିଜେପିର ମୁଖପାତ୍ର ପୀତାମ୍ବର ଆଚାର୍ଯ୍ୟ ସାମ୍ବାଦିକମାନଙ୍କୁ ଅବଗତ କରିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କ ଦଳ ମଧ୍ୟରେ ନିର୍ବାଚନୀ ଖର୍ଚ୍ଚର କୌଣସି ସାମଞ୍ଜସ୍ୟ ନାହିଁ ବୋଲି କହି ଜନ ପ୍ରିତିନିଧି ଆଇନର ଧାରା ୧୦ ଅନୁସାରେ ସେ ଅଯୋଗ୍ୟ ଘୋଷିତ ହେବା କଥା ବୋଲି ପ୍ରତିନିଧିମଣ୍ଡଳ କମିସନଙ୍କୁ ଜଣାଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ଖର୍ଚ୍ଚ ଅନିୟମିତତା ମାମଲାରେ ସୁପ୍ରିମକୋର୍ଟ ଓ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ମୁଖ୍ୟ ନିର୍ବାଚନ କମିସନର ଚୁଡ଼ାନ୍ତ ନିଷ୍ପତ୍ତି ନେଇନଥିବାରୁ ତଥା ଦୀର୍ଘ ଦିନ ହେଲା ଏହି ମାମଲା ବିଚାରାଧୀନ ଥିବାରୁ ଯଥାଶୀଘ୍ର କମିସନ ମାମଲାକୁ ବିଚାର କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିବେଦନ କରାଯାଇଛି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ବିଜେଡିର ହାତବାରିସୀ ସାଜିଛନ୍ତି ଓ କୌଣସି ପ୍ରକାର ନୀତିନିୟମ ମାନୁନାହାନ୍ତି ବୋଲି ମୁଖ୍ୟ ନିର୍ବାଚନ କମିସନରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ବୁଥ୍‌ ପୁର୍ନଗଠନ ଓ ଭୋଟର ତାଲିକା ସଂଶୋଧନରେ ଅନିୟମିତତା ହୋଇଥିବା ଅବଗତ କରାଯାଇଥିଲା। ସେପ୍ଟେମ୍ବର ୧ ତାରିଖ ସୁଦ୍ଧା ରାଜ୍ୟର ସମସ୍ତ ରାଜନୈତିକ ଦଳମାନଙ୍କୁ ଚିଠା ଭୋଟର ତାଲିକା ଦେବା କଥା, କିନ୍ତୁ ରାଜ୍ୟର ମୁଖ୍ୟ ନିର୍ବାଚନୀ ଅଧିକାରୀଙ୍କ ଦ୍ୱାରା ତାହା ଦିଆଯାଇନାହିଁ। ସେ ତାଙ୍କ ସାମ୍ବିଧାନିକ କର୍ତ୍ତବ୍ୟ ସଠିକ୍‌ ରୂପେ ସମ୍ପାଦନ କରୁନାହାନ୍ତି ବୋଲି ପ୍ରତିନିଧି ମଣ୍ଡଳ କମିସନଙ୍କୁ ଅବଗତ କରିଥିଲେ।

ଅନ୍ୟପକ୍ଷରେ ଆଜି ବିଜେଡି ସାଂସଦ ପିନାକୀ ମିଶ୍ର ଏହି ମାମଲାରେ କହିଛନ୍ତି ଯେ ବିଜେପି କରିଥିବା ଅଭିଯୋଗର କୌଣସି ଭିତ୍ତି ନାହିଁ। ନିର୍ବାଚନ ପର୍ଯ୍ୟନ୍ତ ଏହି ମାମଲାକୁ ଟାଣିବା ପାଇଁ ବିଜେପି ଅଯଥା ପ୍ରୟାସ କରୁଛି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର