ବିଜେପି ରାଜ୍ୟପାଳଙ୍କ ଦ୍ୱାରସ୍ଥ

ପ୍ରତାପ ଓ ପ୍ରସନ୍ନଙ୍କ ବିରୋଧରେ ମାମଲା ରୁଜୁ ପାଇଁ ଦାବି

ଭୁବନେଶ୍ୱର : ଦିଲେଶ୍ୱର ସାହୁଙ୍କ ମୃତ୍ୟୁ ଘଟଣାକୁ ନେଇ ବିଜେପି ସନ୍ଦେହ ପ୍ରକଟ କରିଛି। ଆଜି ଦଳର ନେତାମାନେ ଘଟଣାର ସିବିଆଇ ତଦନ୍ତ ଦାବି କରିବା ସହିତ ରାଜ୍ୟପାଳଙ୍କୁ ଭେଟି ଘଟଣା ସଂପର୍କରେ ଆଗତୁରା ଅବଗତ କରିଛନ୍ତି।

ବିଜେପି ମୁଖପାତ୍ର ସଜ୍ଜନ ଶର୍ମା କହିଛନ୍ତି ଯେ ଦୁଇ ଦିନ ତଳେ ସୋହେଲାରେ ଘଟିଥିବା ହିଂସାକାଣ୍ଡ କାରଣରୁ ଦିଲେଶ୍ୱର ସାହୁଙ୍କ ମୃତ୍ୟୁ ଅତ୍ୟନ୍ତ ଦୁଃଖଦାୟକ। ମାତ୍ର ଏହି ଘଟଣା ପଛରେ ଅପରାଧିକ ପୃଷ୍ଠଭୂମି ଥିବା ମନ୍ତ୍ରୀ ସୁଶାନ୍ତ ସିଂଙ୍କ ଭାଇ ସୁବ୍ରତ ସିଂଙ୍କ ଟେଣ୍ଡର ଫିକ୍ସିଂ ଓ ବିଜେଡି ଭିତରର ଅର୍ନ୍ତଦ୍ୱନ୍ଦ୍ୱ ରହିଛିା ତେଣୁ ମୃତ ଦିଲେଶ୍ୱର ସାହୁଙ୍କ ଶବର ବ୍ୟବଚ୍ଛେଦ କରାଯାଇ ତାହାର ରିପୋର୍ଟ ସାର୍ବଜନୀନ କରାଯିବା ଦରକାର।

ବିଜେପି କହିଛି, ଆହତ ହୋଇ ବୁର୍ଲାରେ ଭର୍ତ୍ତି ହେବା ପରେ ଗୁଳି ବାଜି ନ ଥିବା ଏବଂ ସ୍ୱାସ୍ଥ୍ୟାବସ୍ଥା ଠିକ ଥିବା ବୁର୍ଲା ମେଡିକାଲ କଲେଜର ମୁଖ୍ୟ କର୍ତ୍ତୃପକ୍ଷ ସ୍ପଷ୍ଟ କରିଥିଲେ । ଯଦି ଦିଲେଶ୍ୱରଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଅବନତି ଘଟିଥିଲା ତୁରନ୍ତ କାହିଁକି ତାଙ୍କୁ ଅଧିକ ଚିକିତ୍ସା ସୁବିଧା ଥିବା ସ୍ଥାନକୁ ସ୍ଥାନାନ୍ତରଣ କରାଯାଇ ନଥିଲା ତାହା ହିଁ ଚିନ୍ତାର ବିଷୟ। ଏଥିସହ ବିଜେଡି ମୁଖପାତ୍ର ପ୍ରତାପ ଦେବ ଓ ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କ ବିରୋଧରେ ଫୌଜଦାରୀ ମକଦ୍ଦମା କରିବା ଲାଗି ଦଳ ଦାବି କରି କହିଛି, ଘଟଣା ଘଟିବା ପରେ ସେମାନେ ହିଁ ଆହତମାନଙ୍କ ମଧ୍ୟରୁ ଜଣେ ଦୁଇ ଜଣ ମୃତ୍ୟୁବରଣ କରିବେ ବୋଲି ବୟାନ ଦେଇଥିଲେ । ଏମାନଙ୍କୁ ତଦନ୍ତ ପରିସରଭୁକ୍ତ କରାଯିବା ଦରକାର। ଏହି ଅବସରରେ ଦଳ ପକ୍ଷରୁ ପଞ୍ଚାୟତ ନିର୍ବାଚନରେ ବିଜେପି କର୍ମୀଙ୍କୁ ହତ୍ୟା ଘଟଣାର ତାଲିକା ଉପସ୍ଥାପନ କରିଛି।

ପରେ ବିଜେପିର ଏକ ପ୍ରତିନିଧି ଦଳ ରାଜ୍ୟପାଳଙ୍କୁ ଭେଟିଥିଲେ। ଉପସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ଏହି ପ୍ରତିନିଧି ଦଳରେ ସୁକେଶୀ ଓରାମ, ଭୃଗୁ ବକ୍ସିପାତ୍ର, ମୁଖପାତ୍ର ସଜ୍ଜନ ଶର୍ମା, ସଂପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାର, ସଂପାଦକ ଶିଶିର ଗମାଙ୍ଗୋ, ଯୁବମୋର୍ଚ୍ଚା ରାଷ୍ଟ୍ରୀୟ ଉପ ସଭାପତି ଠାକୁର ରଣଜିତ୍‌ ଦାସ, କୃଷକ ମୋର୍ଚ୍ଚା ସାଧାରଣ ସଂପାଦକ ସୁରଥ ବିଶ୍ୱାଳ ପ୍ରମୁଖ ଥିଲେ ।

ସମ୍ବନ୍ଧିତ ଖବର