ଏପ୍ରିଲ ୨୬ରେ ପ୍ରାର୍ଥୀପତ୍ର ଦାଖଲ କରିବେ ମୋଦୀ; ୫ ଲକ୍ଷ ଲୋକଙ୍କ ବିଶାଳ ରାଲି ଲାଗି ଆୟୋଜନ କରୁଛି ବିଜେପି
ନୂଆଦିଲ୍ଲୀ: ଚଳିତ ନିର୍ବାଚନରେ ପୁଣି ବାରାଣାସୀରୁ ନିର୍ବାଚନ ଲଢୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ମୋଦୀଙ୍କ ପ୍ରାର୍ଥୀପତ୍ର ଦାଖଲକୁ ଅତ୍ୟନ୍ତ ଆଡମ୍ବରପୂର୍ଣ୍ଣ କରିବାକୁ ପାଇଁ ବିଜେପି ପକ୍ଷରୁ ଜୋରଦାର ପ୍ରସ୍ତୁତି ଚାଲିଛି। ୫ ଲକ୍ଷ ଲୋକଙ୍କ ବିଶାଳ ରାଲିରେ ଆସି ମୋଦୀ ପ୍ରାର୍ଥୀପତ୍ର ଦାଖଲ କରିବେ ବୋଲି ଯୋଜନା କରୁଛି ବିଜେପି। ଏହି ରାଲିରେ ବିଜେପିର ସବୁ ବରିଷ୍ଠ ନେତା ଓ ବିଜେପି ଶାସିତ ସମସ୍ତ ମୁଖ୍ୟମନ୍ତ୍ରୀ ଯୋଗଦେବେ।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ଅନୁଯାୟୀ, ପ୍ରାର୍ଥୀପତ୍ର ଦାଖଲ ପୂର୍ବରୁ ବାରାଣାସୀରେ ଗଙ୍ଗା ମା’ଙ୍କ ପୂଜା କରିବେ ମୋଦି । ପ୍ରଧାନମନ୍ତ୍ରୀଙ୍କ ନାମାଙ୍କନ ଦାଖଲ କାର୍ଯ୍ୟକ୍ରମକୁ ଅନ୍ତିମ ରୂପ ଦେବା ପାଇଁ ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଶୁକ୍ରବାର ବାରାଣାସୀଠାରେ ପହଞ୍ଚିଥିଲେ । ମୋଦିଙ୍କ ନାମାଙ୍କନକୁ ଐତିହାସିକ କରିବା ପାଇଁ ବିଳମ୍ବିତ ରାତି ପର୍ଯ୍ୟନ୍ତ ସେଠାରେ ସଂଗଠନ ସହ ମାନସମନ୍ଥନ କରିଥିଲେ ଶାହା । ଏହି ବୈଠକରେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡାଙ୍କ ସମେତ ବହୁ ବିଜେପି କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।
ଚୂଡ଼ାନ୍ତ ହୋଇଥିବା କାର୍ଯ୍ୟକ୍ରମ ଅନୁଯାୟୀ, ଆସନ୍ତା ଏପ୍ରିଲ ୨୬ ତାରିଖରେ ନାମାଙ୍କନ ପତ୍ର ଦାଖଲ କରିବେ ନରେନ୍ଦ୍ର ମୋଦୀ । ଆଉ ଏହାର ଠିକ୍ ଗୋଟିଏ ଦିନ ଆଗରୁ ୨୫ ଏପ୍ରିଲରେ ବାରାଣାସୀ ଠାରେ ରୋଡ୍ ସୋ’ କରିବେ ପ୍ରଧାନମନ୍ତ୍ରୀ । ରୋଡ ସୋ’ ପରେ କାଶୀ ବିଶ୍ୱନାଥ ମନ୍ଦିର ଦର୍ଶନ କରି ଗଙ୍ଗା ମା’ଙ୍କ ପୂଜା କରିବେ ମୋଦି । ତେବେ ମୋଦିଙ୍କ ନାମାଙ୍କନ ରାଲିରେ ପାଖାପାଖି ୫ ଲକ୍ଷ ଲୋକଙ୍କୁ ସାମିଲ କରାଯିବା ନେଇ ବିଜେପି ପ୍ରୟାସ କରୁଥିବା ସୂଚନା ମିଳିଛି । ସେପଟେ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିବା ପାଇଁ ମଧ୍ୟ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି ।