ମୋଦିଙ୍କ ପୋଷ୍ଟର୍‌ ଚିରାକୁ ବିରୋଧ କଲା ବିଜେପି

ରାଜଧାନୀରେ ବିକ୍ଷୋଭ ପ୍ରଦର୍ଶନ
ଉଭୟ ବିଜେଡି ଓ କଂଗ୍ରେସକୁ ଟାର୍ଗେଟ୍‌

ଭୁବନେଶ୍ୱର : ଯୁବ କଂଗ୍ରେସ ପକ୍ଷରୁ ପେଟ୍ରୋଲ୍‌ ପମ୍ପ୍‌ଗୁଡ଼ିକରେ ଲାଗିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପୋଷ୍ଟର୍‌ ଚିରିବାକୁ ବିରୋଧ କରିଛି ବିଜେପି। ଆଜି ଏ ନେଇ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ରାଜଧାନୀରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଉଭୟ ବିଜେଡି ଓ କଂଗ୍ରେସକୁ ଟାର୍ଗେଟ୍‌ କରାଯାଇଛି। ମୋଦିଙ୍କ ଲୋକପ୍ରିୟତାରେ ଅସହିଷ୍ଣୁ ହୋଇ ଏପରି ପୋଷ୍ଟର୍‌ ଚରାଯାଉଛି ବୋଲି ଦଳ ଅଭିଯୋଗ କରିଛି।

ଦଳ ପକ୍ଷରୁ କୁହାଯାଇଛି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗରିବ କଲ୍ୟାଣ ଯୋଜନାରେ ଉଭୟ ରାହୁଳ ଗାନ୍ଧୀ ଓ ନବୀନ ପଟ୍ଟନାୟକ ଅସହିଷ୍ଣୁ ହୋଇପଡ଼ିଛନ୍ତି। ସେଥି ପାଇଁ ସେମାନେ ପ୍ରଧାନମନ୍ତ୍ରୀଙ୍କ ପୋଷ୍ଟର୍‌ ଚିରିବା ପରି କାମ କରିଛନ୍ତି। କେବଳ ପ୍ରଧାନମନ୍ତ୍ରୀଙ୍କୁ ନୁହେଁ, ବରଂ ମୋଦିଙ୍କ ଗରିବ କଲ୍ୟାଣ କାର୍ଯ୍ୟକ୍ରମକୁ କଂଗ୍ରେସ ତାଚ୍ଛଲ୍ୟ କରିଛି। ମୋଦି ସରକାର ଆସିବା ପରେ ଓଡ଼ିଶାକୁ ଅଧିକ କେନ୍ଦ୍ରୀୟ ଅନୁଦାନ ମିଳିଛି। ୟୁପିଏ ସରକାରର ଶେଷ ପାଞ୍ଚ ବର୍ଷରେ ଓଡ଼ିଶାକୁ ୧,୦୫,୮୧୪ କୋଟି ଟଙ୍କା ମିଳିଥିଲା ବେଳେ ମୋଦି ସରକାରଙ୍କ ୫ଟି ବଜେଟ୍‌ରେ ଓଡ଼ିଶାକୁ ମିଳିଛି ୨,୩୬,୫୫୭ କୋଟି ଟଙ୍କା। ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାରେ ଓଡ଼ିଶାର ୨୨ ଲକ୍ଷ ଗରିବ ପରିବାରଙ୍କୁ ଗ୍ୟାସ୍‌ ମିଳିଛି। ଏସବୁ କଂଗ୍ରେସ ଓ ବିଜେଡି ଆଖିରେ ଯାଉ ନ ଥିବାରୁ ସେମାନେ ମୋଦିଙ୍କ ପୋଷ୍ଟର୍‌ ଚିରୁଛନ୍ତି ବୋଲି ଦଳ ଅଭିଯୋଗ କରିଛି। ରାମମନ୍ଦିର ଛକ ନିକଟରେ ବିଜେପି ଯୁବମୋର୍ଚ୍ଚା ରାଜ୍ୟ ସାଧାରଣ ସମ୍ପାଦକ ବିଶ୍ୱରଞ୍ଜନ ବଡ଼ଜେନାଙ୍କ ନେତୃତ୍ୱରେ ହୋଇଥିବା ଏହି ବିକ୍ଷୋଭରେ ଦିଲ୍ଲୀପ ମହାନ୍ତି, ଜଗନ୍ନାଥ ପ୍ରଧାନ, ବିଭାସ ସେନଗୁପ୍ତ, ସୁଶାନ୍ତ ସାବତ, ସଂଗ୍ରାମ କେଶରୀ ନାୟକ, ରଶ୍ମିରଞ୍ଜନ ମୁଦୁଲି ଓ ଅଚ୍ୟୁତାନନ୍ଦ ରଣଜିତ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର