ମଣିଶଙ୍କରଙ୍କ ବିବାଦୀୟ ମନ୍ତବ୍ୟ: ଲାଇଭ୍‌ ସୋ’ରେ କାନ୍ଦିଲେ ବିଜେପି ମୁଖପାତ୍ର

କଂଗ୍ରେସର ବରିଷ୍ଠ ନେତା କହିଥିଲେ, ମୋଦି ଛୋଟ ଲୋକ

ନୂଆଦିଲ୍ଲୀ: କଂଗ୍ରେସର ବରିଷ୍ଠ ନେତା ମଣିଶଙ୍କର ଆୟାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଛୋଟ ଲୋକ ବା ନିଚ୍‌ ଆଦମୀ କହିବା ପରେ ଲାଇଭ୍‌ ସୋ’ରେ କ୍ୟାମେରା ଆଗରେ ଗୁରୁବାର ଲୁହ ଗଡ଼ାଇଛନ୍ତି ଭାରତୀୟ ଜନତା ପାର୍ଟିର ମୁଖପାତ୍ର ଜିଭିଏଲ ନରସିଂହ ରାଓ। ଶ୍ରୀ ରାଓ ଏମିତି ଭାବୁକ ହୋଇଥିଲେ ଯେ, କଂଗ୍ରେସ ନେତାଙ୍କ ଏହି ବିବାଦୀୟ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ଦେଇ ପାରି ନଥିଲେ। ମଣିଶଙ୍କରଙ୍କ ବିବାଦୀୟ ମନ୍ତବ୍ୟ ଗଣମାଧ୍ୟମକୁ ଆସିବା ପରେ ହଙ୍ଗାମା ଦେଖାଯାଇଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜରାଟର ସୁରତ ର‍୍ୟାଲିରେ ମଣିଶଙ୍କରଙ୍କ କଥାରେ କହିଛନ୍ତି, ଯଦିଓ ମୁଁ ନୀଚ୍ଚ ଜାତିର ଲୋକ ତଥାପି ଉଚ୍ଚ କାମ କରିଛି। ପ୍ରଧାନମନ୍ତ୍ରୀଙ୍କ ପ୍ରତିକ୍ରିୟା ପରେ ଏହା କୁହାଯାଉଛି ଯେ, ମଣିଶଙ୍କରଙ୍କ ମନ୍ତବ୍ୟର ଲାଭ ଗୁଜରାଟ ନିର୍ବାଚନରେ ବିଜେପିକୁ ହେବ। ଏହି ପ୍ରସଙ୍ଗରେ ବିଜେପି ପ୍ରବକ୍ତା ଜିଭିଏଲ ନରସିଂହ ରାଓ ଏକ ଜାତୀୟ ସ୍ତରର ହିନ୍ଦି ଚ୍ୟାନେଲରେ ଉପସ୍ଥିତ ଥିଲେ।

ସୋ’ର ଆଙ୍କର ଜିଭିଏଲ ନରସିଂହଙ୍କୁ ପଚାରିଥିଲେ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ମଣିଶଙ୍କର ଆୟାରଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା କ’ଣ ରହିବ? ଆଙ୍କରଙ୍କ କଥା ଶୁଣି ଜିଭିଏଲ ପ୍ରଥମେ ନିଜର ଆଖି ପୋଛି ଏକ କାଗଜ ଖଣ୍ଡ ଉଠାଇଥିଲେ। କାଗଜରେ ଲେଖା ଥିଲା ଯେ, ଆଇ ପ୍ରୋଟେଷ୍ଟ। ବିଜେପି ମୁଖପାତ୍ର ଏଭଳି କରୁଥିବାର ଦେଖି ପଚାରିଥିଲେ ଯେ, ଆପଣଙ୍କ ମୁହଁରୁ କିଛି କହିବେନି କି? ଜିଭିଏଲ ଉତ୍ତର ଦେଇଥିଲେ, ନାହିଁ। ବିଜେପି ମୁଖପାତ୍ର ନୀରବ ରହୁଥିଲେ ମଧ୍ୟ ଆଙ୍କର ବାରମ୍ବାର ପ୍ରତିକ୍ରିୟା ନେବାକୁ ଉଦ୍ୟମ କରିଥିଲେ।

ଅନେକ ଥର ପଚାରିବା ପରେ ମଧ୍ୟ ଆଙ୍କର କୌଣସି ଉତ୍ତର ପାଇ ନଥିଲେ। ଶେଷରେ ସେ ଦେଖିଥିଲେ ଯେ ବିଜେପି ନେତା ଆଖିରୁ ଲୁହ ଗଡ଼ାଇ କାନ୍ଦୁଥିଲେ।

ସମ୍ବନ୍ଧିତ ଖବର