ବିଜେଡି ହେଉଛି ‘ଲଲିପପ୍‌’ର ସରକାର: ଅରୁଣ ସିଂହ

୧୯ ବର୍ଷର ଶାସନରେ ୩୪ ଲକ୍ଷ ଭୋକିଲା ରହିଲେ କାହିଁକି, ବିଧାନସଭା ନିର୍ବାଚନମଣ୍ଡଳୀ ସ୍ତରରେ ହେବ ‘ପୋଲ୍‌ ଖୋଲ୍‌’ ଅଭିଯାନ

ଭୁବନେଶ୍ୱର : ରାଜ୍ୟରେ ବିଜେଡି ସରକାର ଲୋକଙ୍କୁ ମୌଳିକ ସୁବିଧା ଯୋଗାଇ ଦେଇ ପାରୁ ନାହିଁ। କୃଷି, ନିଯୁକ୍ତି ସୁଯୋଗ, ଅମା ଗାଁ ଆମ ବିକାଶ, ବିଜୁଳି ଆଦି ସବୁ କ୍ଷେତ୍ରରେ ସରକାର ଲଲିପପ୍‌ ଧରାଇ ଲୋକଙ୍କୁ ଭଣ୍ଡାଇବାକୁ ଚେଷ୍ଟା କରୁଛନ୍ତି। ବାସ୍ତବରେ ରାଜ୍ୟରେ ଏକ ‘ଲଲିପପ୍‌ ସରକାର’ ଚାଲିଛି ବୋଲି ବିଜେପି ରାଜ୍ୟ ପ୍ରଭାରୀ ଅରୁଣ ସିଂହ କହିଛନ୍ତି।

ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ସିଂହ କହିଲେ, ପିସି ବନ୍ଦ କରିବା କଥା କହୁଥିବା ମୁଖ୍ୟମନ୍ତ୍ରୀ ନିଜେ ‘ଆମ ଗାଁ ଆମ ବିକାଶ’ ମାଧ୍ୟମରେ ପିସିକୁ ପ୍ରୋତ୍ସାହନ ଦେଉଛନ୍ତି। ବିକାଶ କାର୍ଯ୍ୟ ପାଇଁ ଟେଣ୍ଡର୍‌ ହେଉ ନାହିଁ। ଗାଁ ଗାଁରେ ବିଜେଡି ନେତାଙ୍କ ଠାରୁ ଆରମ୍ଭ କରି କାର୍ଯ୍ୟକର୍ତ୍ତାମାନେ ସମସ୍ତେ ଦଲାଲି କରି ଚାଲିଛନ୍ତି। ‘ଆମ ଗାଁ ଆମ ବିକାଶ’ କାର୍ଯ୍ୟକ୍ରମରେ କୌଣସି ଜନପ୍ରତିନିଧିଙ୍କୁ ସାମିଲ୍‌ କରା ନ ଯିବା ଦୁର୍ଭାଗ୍ୟଜନକ। ଏହି କାର୍ଯ୍ୟକ୍ରମକୁ ଗ୍ରାମସଭା ନ କରି ସିଧାସଳଖ ବିଜେଡି ଦଳୀୟ ନେତାଙ୍କୁ ଦେଇ ୩ରୁ ୧୦ ପ୍ରତିଶତ ପିସି ଆଦାୟ କରାଯାଉଛି। ସେହିପରି ଗତ ୧୮ ବର୍ଷ ମଧ୍ୟରେ ଯୁବକମାନଙ୍କୁ ନିଯୁକ୍ତି ଦେବାରେ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି। ସେଥି ପାଇଁ ବିଜୁ ଯୁବ ବାହିନୀ ନାମରେ ଏକ ଯୋଜନା କରି ରାଜ୍ୟବାସୀଙ୍କ ଆଖିରେ ଧୂଳି ଦେବାକୁ ଚେଷ୍ଟା କରୁଛନ୍ତି। ଗତ ୨୦୦୯ ନିର୍ବାଚନ ପୂର୍ବରୁ ‘ଗ୍ରାମ ସାଥୀ’ ନାମରେ ଏକ ଯୋଜନା କରି ଲକ୍ଷ ଲକ୍ଷ ଲୋକଙ୍କୁ ସାମିଲ୍‌ କରାଯାଇଥିଲା। ସେହିପରି ୨୦୧୪ ନିର୍ବାଚନ ସମୟରେ ‘କୃଷକ ସାଥୀ’ ନାମରେ ଏକ ଯୋଜନା କରି ରାଜ୍ୟ ସରକାର ସମାନ ନୀତି ଆପଣେଇଥିଲେ। ଆଉ ଏବେ ବିଜୁ ଯୁବ ବାହିନୀରେ କିଛି ଦଳୀୟ ଯୁବକଙ୍କୁ ସାମିଲ୍‌ କରି ସେମାନଙ୍କୁ କିଛି ଅର୍ଥ ଦେଇ ‘ଲଲିପପ୍‌’ ଧରାଇଛନ୍ତି।

ରାଜ୍ୟ ସରକାରଙ୍କ ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନାକୁ ସମାଲୋଚନା କରି ଶ୍ରୀ ସିଂହ କହିଲେ, ବିଜେଡି ୧୮ ବର୍ଷ ଧରି ରାଜ୍ୟରେ ଶାସନ କଲା ପରେ ରାଜ୍ୟରେ ୩୪ ଲକ୍ଷ ଲୋକ ଭୋକିଲା ଅବସ୍ଥାରେ ଅଛନ୍ତି ବୋଲି ନିଜେ ସରକାର ପରୋକ୍ଷରେ ସ୍ୱୀକାର କରିଛନ୍ତି। ଏହା ହିଁ ଶାସକ ଦଳର ସବୁଠାରୁ ବଡ଼ ବିଫଳତା। ରାଜ୍ୟ ସରକାରଙ୍କ ଏପରି ବିଫଳତାକୁ ପ୍ରସଙ୍ଗ କରି ବିଜେପି ତୃଣମୂଳ ସ୍ତରକୁ ଯାଉଛି। ମୋଦୀ ସରକାରଙ୍କ ଜନକଲ୍ୟାଣମୂଳକ ଯୋଜନା ସମ୍ପର୍କରେ ଲୋକଙ୍କୁ ସଚେତନ କରାଯାଉଛି। ପ୍ରତି ବିଧାନସଭା ନିର୍ବାଚନମଣ୍ଡଳୀ ସ୍ତରରେ ମନ୍ତ୍ରୀ, ବିଧାୟକ ଓ ବିଜେଡି ନେତାଙ୍କ ଦୁର୍ନୀତିକୁ ପର୍ଦ୍ଦାଫାସ କରିବା ପାଇଁ ‘ପୋଲ୍‌ ଖୋଲ୍‌’ ଅଭିଯାନ ଆରମ୍ଭ କରାଯିବ। ଏଥିରେ ଶାସକ ଦଳର ମୁଖା ଖୋଲିଦିଆଯିବ। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ମିସନ୍‌ ୧୨୦+ ଲକ୍ଷ୍ୟ ନିଶ୍ଚିତ ପୂରଣ ହେବ ବୋଲି ଶ୍ରୀ ସିଂହ ଦୃଢ଼ୋକ୍ତି ବାଢ଼ିଥିଲେ। ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ବିଜେପି ଉପସଭାପତି ସମୀର ମହାନ୍ତି ଓ ମୁଖପାତ୍ର ଗୋଲକ ମହାପାତ୍ର ଉପସ୍ଥିତ ଥିଲେ।

ରାଜ୍ୟରେ ବିକାଶ ତ୍ୱରାନ୍ଵିତ ହୋଇଛି: ବିଜେଡି

ଭୁବନେଶ୍ୱର : ବିଜେପି ପ୍ରଭାରୀ ଅରୁଣ ସିଂହଙ୍କ ଆରୋପ ଉପରେ ପ୍ରତିକ୍ରିୟା ରଖିଛି ବିଜେଡି। ଦଳର ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି, ଗତ ଚାରି ପାଳିରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ସରକାର ବିକାଶକୁ କିପରି ତ୍ୱରାନ୍ଵିତ କରିଛନ୍ତି, ତାହା ରାଜ୍ୟବାସୀ ଭଲ ଭାବେ ଜାଣନ୍ତି। ରାଜ୍ୟ ସରକାରଙ୍କ ଉପରକୁ ଆଙ୍ଗୁଠି ଉଠାଇବା ପୂର୍ବରୁ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର ରାଜ୍ୟକୁ ଦକ୍ଷତା ବିକାଶ, ଦାରିଦ୍ର୍ୟ ଦୂରୀକରଣ ଓ ଗ୍ରାମ୍ୟ ରାସ୍ତା ନିର୍ମାଣରେ କିପରି ପୁରସ୍କୃତ କରିଛନ୍ତି, ତାହା ଦେଖନ୍ତୁ। ସାରା ଦେଶର ଲୋକ ବିଜେପି ନେତାଙ୍କ ଦୁର୍ନୀତି ଦେଖୁଛନ୍ତି ଓ ସେମାନଙ୍କ ପୋଲ୍‌ ଖୋଲ୍‌ ହୋଇସାରିଛି। ପ୍ରତି ଆକାଉଣ୍ଟ୍‌ରେ ୧୫ ଲକ୍ଷ ଟଙ୍କା ଜମା କରିବା, ୨ କୋଟି ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ପ୍ରତିଶ୍ରୁତି କୁଆଡ଼େ ଗଲା ବୋଲି ଶ୍ରୀ ପାତ୍ର ପ୍ରଶ୍ନ କରିଛନ୍ତି।

ସମ୍ବନ୍ଧିତ ଖବର