ଦୁର୍ନୀତି, ଭ୍ରଷ୍ଟାଚାରର ଖୁଲାସା କରାଯିବ: ବିଜେପି

ଭୁବନେଶ୍ୱର : ରାଜ୍ୟରେ ଦୁର୍ନୀତି କାୟା ବିସ୍ତାର କରିସାରିଲାଣି। ନିଜେ ମୁଖ୍ୟମନ୍ତ୍ରୀ ବି ଦୁର୍ନୀତିରୁ ଊର୍ଧ୍ୱରେ ନୁହଁନ୍ତି। ଯେଉଁମାନେ ବିଜେଡିର ମଙ୍ଗ ଧରିଛନ୍ତି, ସେମାନେ ଦୁର୍ନୀତିକୁ ପ୍ରୋତ୍ସାହନ ଦେଇ ଚାଲିଛନ୍ତି। ଆଗାମୀ ଦିନରେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସରକାରଙ୍କ ଦୁର୍ନୀତି ଓ ଭ୍ରଷ୍ଟାଚାରର ଖୁଲାସା ହେବ ବୋଲି ବିଜେପି ପକ୍ଷରୁ ଚେତାବନୀ ଦିଆଯାଇଛି।

ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ପୀତାମ୍ବର ଆଚାର୍ଯ୍ୟ କହିଲେ, ବର୍ତ୍ତମାନ ରାଜ୍ୟ ସରକାରଙ୍କ ପ୍ରତି ବିଭାଗରେ ଭ୍ରଷ୍ଟାଚାର ବସା ବାନ୍ଧିଛି। ଅନ୍ୟ ପଟେ ରାଜ୍ୟର କୋଟି କୋଟି ଯୁବକ ବେରୋଜଗାର ହୋଇ ବୁଲୁଛନ୍ତି। ରାଜ୍ୟ ସରକାର ୯୦ ହଜାର କୋଟି ଟଙ୍କାରୁ ଅଧିକ ଋଣ ଭାର ମୁଣ୍ଡାଇଛନ୍ତି। ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ପରି ମୌଳିକ ସୁବିଧା ଲୋକମାନଙ୍କୁ ଯୋଗାଇ ପାରୁ ନାହାନ୍ତି। ଖବରକାଗଜରେ କେବଳ ବିଜ୍ଞାପନ ଦେଇ ମୁଖ୍ୟମନ୍ତ୍ରୀ ନିଜର ଆତ୍ମପ୍ରଚାର କରିବା ଦୁର୍ଭାଗ୍ୟଜନକ। ଗୋଟିଏ ପଟେ ଶାସକ ଦଳର ବରିଷ୍ଠ ନେତା ଦାମୋଦର ରାଉତ ଗୋଟିଏ ପରେ ଗୋଟିଏ ଦୁର୍ନୀତିର ପେଡ଼ି ଖୋଲୁଥିବା ବେଳେ ରାଜ୍ୟର ମୁଖ୍ୟମନ୍ତ୍ରୀ କୌଣସି ଉତ୍ତର ନ ରଖିବା ନିନ୍ଦନୀୟ। ନିଜର ସ୍ୱଚ୍ଛ ନିର୍ମଳ ଭାବମୂର୍ତ୍ତି ଦେଖାଉଥିବା ମୁଖ୍ୟମନ୍ତ୍ରୀ କାହିଁକି ତାଙ୍କ ଦଳର ବିଧାୟକ କହିବା ଅନୁଯାୟୀ ଦୁର୍ନୀତିର ତଦନ୍ତ କରୁ ନାହାନ୍ତି ? ଓଡ଼ିଶାର ଦୁର୍ନୀତି ସମ୍ପର୍କରେ ଦୁଇଟି ସଦ୍ୟ ପ୍ରକାଶିତ ରିପୋର୍ଟ ଆସିଛି। ରାଜ୍ୟରେ ଶତକଡ଼ା ୭୭ ଭାଗ ଦୁର୍ନୀତି ହେଉଛି। ସେହିପରି ୪୧ ଭାଗ ଇନ୍‌ଭେଷ୍ଟର୍‌ ଦୁର୍ନୀତିର ଶିକାର ହୋଇଛନ୍ତି ବୋଲି ନ୍ୟାସ୍‌ନାଲ୍‌ କାଉନ୍‌ସିଲ୍‌ ଫର୍‌ ଆପ୍ଲାଏଡ୍‌ ଇକୋନୋମିକ୍‌ ରିସର୍ଚ୍ଚ ଓ ସେଣ୍ଟର୍‌ ଫର୍‌ ମିଡିଆ ଷ୍ଟଡିଜ୍‌ ରିପୋର୍ଟରେ ପ୍ରକାଶ ପାଇଛି। ପୂର୍ବରୁ ଦୁର୍ନୀତି ଅଭିଯୋଗରେ ମନ୍ତ୍ରୀ ପଦରୁ ବିଦା କରିଥିବା ବିଧାୟକମାନଙ୍କୁ ପରେ ପୁଣି ମୁଖ୍ୟମନ୍ତ୍ରୀ ନିଜ ଦଳରେ ଗୁରୁତ୍ୱପୂର୍ଣ୍ଣ ପଦବି ଦେଇଛନ୍ତି। ଆଗାମୀ ଦିନରେ ବିଜେପି ମୁଖ୍ୟମନ୍ତ୍ରୀଙ୍କ ଦୁର୍ନୀତିର ଚିଠା ଖୁଲାସା କରିବା ସହ ତୃଣମୂଳ ସ୍ତରରେ ଲୋକଙ୍କ ପାଖରେ ପହଞ୍ଚାଇବ ବୋଲି ଶ୍ରୀ ଆଚାର୍ଯ୍ୟ କହିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ବିଜେପି ଉପସଭାପତି ସମୀର ମହାନ୍ତି ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର