ବିଜେପି କରିବ ଜନଜାଗରଣ ପଦଯାତ୍ରା

ଦୁର୍ନୀତିକୁ ପ୍ରସଙ୍ଗ କରି ‌ଆନ୍ଦୋଳନର ବ୍ଲୁପ୍ରିଣ୍ଟ୍ ଦେଲା ବିଜେପି , ଡିସେମ୍ବର‌େର ପରିବର୍ତ୍ତନ ଯାତ୍ରା, ଆସିବେ ରାଷ୍ଟ୍ରୀୟ ନେତା

ଭୁବନେଶ୍ବର : ଅକ୍ଟୋବର ୨ରୁ ବିଜେଡିର ଏକ ମାସ ବ୍ୟାପି ଚାଲିଛି ଜନସମ୍ପର୍କ ପଦଯାତ୍ରା। ରାଜ୍ୟ ସରକାରଙ୍କ ସଫଳତା ଓ କେନ୍ଦ୍ରର ଅବହେଳାକୁ ପ୍ରସଙ୍ଗ କରି ବିଜେଡି ନେତା, କର୍ମୀ ପଦଯାତ୍ରା କରୁଛନ୍ତି। ଏହାର ଜବାବ ଦେବାକୁ ବିଜେପି ଅଣ୍ଟା ଭିଡ଼ିଛି। ଜନସମ୍ପର୍କ ପଦଯାତ୍ରାର ଜବାବ ଜନଜାଗରଣ ପଦଯାତ୍ରାରେ ଦେବ ବୋଲି ଘୋଷଣା କରିଛି ବିଜେପି। ନଭେମ୍ବର ୧ରୁ ୩୦ ତାରିଖ ଯାଏ ନେତା ଓ କର୍ମୀମାନେ ବ୍ଲକ୍, ପଞ୍ଚାୟତ, ବୁଥ୍ ଓ ୱାର୍ଡ ସ୍ତରରେ ଚାଲିବେ। ୧୮ ବର୍ଷର ଶାସନରେ ସ୍ଥାଣୁତା ଓ ଅପାରଗତା କାରଣରୁ ଲୋକ ଭୋଗୁଥିବା ଦୁଃଖଦୁର୍ଦ୍ଦଶାର ପ୍ରତିବାଦ କରିବେ।

ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ବିରୋଧରେ ଦୁର୍ନୀତିକୁ ପ୍ରସଙ୍ଗ କରି ବିଜେପି ଜୋର୍‌ଦାର୍ ଆନ୍ଦୋଳନ କରିବାକୁ ଗତକାଲି କାର୍ଯ୍ୟକାରିଣୀ ବୈଠକରେ ନିଷ୍ପତ୍ତି ହୋଇଥିଲା। ସେହି ଅନୁଯାୟୀ ଆଜି ରାଜ୍ୟ ସଭାପତି ବସନ୍ତ ପଣ୍ଡା ଗଣମାଧ୍ୟମ ସାମ୍ନାରେ ଆନ୍ଦୋଳନର ବ୍ଲୁପ୍ରିଣ୍ଟ୍ ରଖିଛନ୍ତି। ସେ କହିଛନ୍ତି, ଅକ୍ଟୋବର ୨୭ରୁ ୩୦ ତାରିଖ ପର୍ଯ୍ୟନ୍ତ ରାଜ୍ୟର ସବୁ ବ୍ଲକ୍ ଅଫିସ୍ ସାମ୍ନାରେ ‌େଘରାଉ ଓ ବିକ୍ଷୋଭ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହେବ। ବ୍ଲକ୍‌ଗୁଡ଼ିକ ଦୁର୍ନୀତି ଓ ପିସିର କେନ୍ଦ୍ର ପାଲଟିଛି। ଆମ ଗାଁ ଆମ ବିକାଶ ଯୋଜନା ପିସିକୁ ପ୍ରୋତ୍ସାହନ ଦେବା ପାଇଁ ଉଦ୍ଦିଷ୍ଟ। ଲୋକ ଚାହୁଁଥିବା କାମ ହେଉ ନାହିଁ। ମାତ୍ର ବିଧାୟକ ଓ ବିଜେଡି ନେତାଙ୍କ ଯୋଜନାରେ ପାଣ୍ଠି ସଂଗ୍ରହ ପାଇଁ ଯୋଜନା ପ୍ରସ୍ତୁତ ହୋଇ ବିନା ଟେଣ୍ଡର୍‌ରେ ଦଳୀୟ କର୍ମୀମାନଙ୍କୁ ଅର୍ଥ ଯୋଗାଇ ଦିଆଯିବା ମାମଲାରେ ଏହି ବିକ୍ଷୋଭ କରାଯିବ। ନିଜସ୍ବ ଖାଦ୍ୟ ସୁରକ୍ଷା ନାଁରେ ଦଳୀୟ କର୍ମୀମାନଙ୍କୁ ଚାଉଳ ଯୋଗାଣ ପାଇଁ ପ୍ରଶାସନିକ କଳକୁ ବ୍ୟବହାର କରାଯାଉଛି। ତାଲିକାକୁ ସାର୍ବଜନୀନ କରାଯାଉ ନାହିଁ ବା ବାଦ୍ ପଡ଼ୁଥିବା ଯୋଗ୍ୟ ହିତାଧିକାରୀଙ୍କ ଅଭିଯୋଗକୁ ଶୁଣିବାର ବ୍ୟବସ୍ଥା ନାହିଁ। ବିକ୍ଷୋଭେ ବେଳେ ଏହି ସବୁ ପ୍ରସଙ୍ଗ ଉଠିବ। ନଭେମ୍ବର ୧ରୁ ୩୦ ଯାଏ ପଦଯାତ୍ରା ପରେ ଡିସେମ୍ବର ୧ରୁ ୩୦ ତାରିଖ ଯାଏ ରାଜ୍ୟ ସାରା ବିଶାଳ ପରିବର୍ତ୍ତନ ଯାତ୍ରା ବାହାର କରାଯିବ। ଏଥିରେ ରାଜ୍ୟର ନେତୃମଣ୍ଡଳୀ ସହିତ ରାଷ୍ଟ୍ରୀୟ ନେତା ଯୋଗ ଦେବେ।

ଶ୍ରୀ ପଣ୍ଡା ଆହୁରି କହିଲେ, ଓଡ଼ିଶାର ଲୋକ ଏକ ବଡ଼ ପରିବର୍ତ୍ତନ ପାଇଁ ମାନସିକ ପ୍ରସ୍ତୁତି କରିସାରିଛନ୍ତି। ୧୮ ବର୍ଷ ଶାସନରେ ଦୁର୍ନୀତିଖୋରମାନେ ରାଜ୍ୟର ବିକାଶ ପାଇଁ ଉଦ୍ଦିଷ୍ଟ ଅର୍ଥକୁ ଆତ୍ମସାତ କରି ସାଧାରଣ ଲୋକଙ୍କୁ ପ୍ରତାରିତ କରିଛନ୍ତି। ରାଜ୍ୟ ସରକାରଙ୍କ ପ୍ରତି ବିରୋଧ ଏବଂ ମୋଦୀଙ୍କ ସୁଶାସନ ଓ ଗରିବ କଲ୍ୟାଣ ପ୍ରତି ବ୍ୟାପକ ଜନସମର୍ଥନ ବିଜେପିର ମିସନ୍-୧୨୦କୁ ସଫଳ କରିବା ସହ ସାଂଖ୍ୟାଧିକ ଲୋକସଭା ସଦସ୍ୟଙ୍କ ବିଜୟ ପାଇଁ ପଥ ପରିଷ୍କାର କରିବ। ଆୟୁଷ୍ମାନ ଭାରତ ଯୋଜନା ଓଡ଼ିଶାରେ ଲାଗୁ କରିବା ପାଇଁ ରାଜ୍ୟରେ ଚାଲୁଥିବା ଦସ୍ତଖତ ଅଭିଯାନକୁ ବ୍ୟାପକ ଜନସମର୍ଥନ ମିଳିଛି। ଦଶହରା ପୂର୍ବରୁ ଏକ କୋଟି ଦସ୍ତଖତ ସହ ରାଜ୍ୟପାଳଙ୍କୁ ସାକ୍ଷାତ କରି ଏହି ଦାବିପତ୍ର ପ୍ରଦାନ କରାଯିବ ବୋଲି ବିଜେପି ସଭାପତି ସୂଚନା ଦେଇଥିଲେ। ସାମ୍ବାଦିକ ସମ୍ମିଳନୀରେ ବିଜେପି ବିଧାୟକ ଦଳ ନେତା କେ ଭି ସିଂହଦେଓ, ରାଜ୍ୟ ଉପସଭାପତି ସମୀର ମହାନ୍ତି ଓ ସାଧାରଣ ସମ୍ପାଦକ ଭୃଗୁ ବକ୍ସିପାତ୍ର ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର